ଭୁବନେଶ୍ବର: ‘ମୃତ୍ତିକା ହେଉଛି ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତର ପ୍ରାଣସତ୍ତାର ଆଧାର। ଏଥିରେ ହିଁ ଜୀବଜଗତର ସୃଷ୍ଟି ଓ ବିଲୟ ହୋଇଥାଏ। ଖାଦ୍ୟ ସୁରକ୍ଷା ପାଇଁ ଆମେ ସଂପୂର୍ଣ୍ଣ ଭାବେ ମୃତ୍ତିକା ଉପରେ ନିର୍ଭରଶୀଳ। ସେଥିପାଇଁ ମୃତ୍ତିକାର ସୁସ୍ଥତା ସମଗ୍ର ଜୀବଜଗତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସଂପୂର୍ଣ୍ଣ ସୁସ୍ଥ ଓ ସମୃଦ୍ଧ ମୃତ୍ତିକାରେ ୧୨ ପ୍ରତିଶତ ଜୈବିକ ତତ୍ତ୍ବ ରହିଥାଏ। ଚାଷବାଷ ପାଇଁ ଏହି ପ୍ରତିଶତ ଅନ୍ୟୂନ ୩ରୁ ୬ ପ୍ରତିଶତ ରହିବା କଥା। ସଂପ୍ରତି ଏହି ମାତ୍ରା କିନ୍ତୁ ୦.୫ ପ୍ରତିଶତକୁ ଖସିଗଲାଣି। ଏଣୁ ସମଗ୍ର ବିଶ୍ବରେ ଖାଦ୍ୟ ସଂକଟ ସୃଷ୍ଟି ହେବାଠାରୁ ଆମେ ଆଉ ବେଶି ଦୂରରେ ନାହାନ୍ତି। ଏଭଳି ସ୍ଥିତିରେ ମୃତ୍ତିକା ସଂରକ୍ଷଣ ଓ ଏହାର ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ପରିଣତ ବୟସରେ ମାରାଥନ୍ ଦୌଡ଼ି ମୁଁ ଏଥିନେଇ ସଚେତନତା ସୃଷ୍ଟି କରୁଛି। ବହୁତ ନହେଲେ ବି ମୋ ଦ୍ବାରା ଯଦି ଜଣେ କିମ୍ବା ଦୁଇ ଜଣ ମାଟି ମା’ର ସୁରକ୍ଷା ନେଇ ସଚେତନ ହୁଅନ୍ତି, ତାହେଲେ ମୋ ପ୍ରୟାସ ସଫଳ ହୋଇଛି ବୋଲି ଭାବିବି।’’

Advertisment

‘କଳିଙ୍ଗ ରନର୍ସ’ କ୍ଲବ୍‌ ଦ୍ବାରା ରବିବାର ଆୟୋଜିତ ‘ଭୁବନେଶ୍ବର ମାରାଥନ୍‌’କୁ ସଫଳତାର ସହ ‌‌ଶେଷ କରିବା ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ବାସିନ୍ଦା ସୁବ୍ରମଣ୍ୟମ ଶର୍ମା ‘ସମ୍ବାଦ’କୁ ଏହା କହିଛନ୍ତି। ଜଣେ ସିଭିଲ ଇଞ୍ଜିନିୟର୍‌ ଭାବେ ଜୀବନର ଅଧିକାଂଶ ସମୟ କୋଠାବାଡ଼ି ନିର୍ମାଣରେ ବିତାଇଛନ୍ତି ସୁବ୍ରମଣ୍ୟମ। ଟଙ୍କାପଇସାର ଅଭାବ ନାହିଁ। ଚାହିଁଥିଲେ ଅବସର ପରେ ବିଶ୍ରାମ ନେଇପାରିଥା’ନ୍ତେ। ପରିବାର ସହ ଖୁସିର ସମୟ କଟାଇ ପାରିଥା‌’ନ୍ତେ। ହେଲେ ଗତ ଦୁଇବର୍ଷ ହେଲା ସାରା ଦେଶରେ ଭ୍ରମଣକରି ବିଭିନ୍ନ ମାରାଥନ୍‌ରେ ଅଂଶଗ୍ରହଣ କରିବା ସହ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ବାଣ୍ଟୁଛନ୍ତି ସେ। ବୟସ ୬୫ ପାର ହୋଇଥିଲେ ମଧ୍ୟ ବଞ୍ଚିଥିବା ଯାଏଁ ଏହି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ଦୃଢ଼ତାର ସହ କହିଛନ୍ତି ସେ। ସୁବ୍ରମଣ୍ୟମ ପେସାରେ ଜଣେ ଯନ୍ତ୍ରୀ ହୋଇଥିଲେ ମଧ୍ୟ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ୧୫ ବର୍ଷ ହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିଆସୁଛନ୍ତି। ସଦ୍‌ଗୁରୁଙ୍କ ଈଶା ଫାଉଣ୍ଡେସନ୍ କରୁଥିବା ବିଭିନ୍ନ ଜନହିତକର କାମରେ ସକ୍ରିୟ ଭୂମିକା ତୁଲାଉଛନ୍ତି। ୨୦୦୮ ମସିହାରେ ଈଶା ଆଉଟ୍‌ରିଚ୍ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ‘ଈଶା ବିଦ୍ୟା’ ଯୋଜନାରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ପେସାଦାରସ୍ତରୀୟ ଶିକ୍ଷା ଭିତ୍ତିଭୂମି ଯୋଗାଉଥିଲେ ସେ। ଏଥିଲାଗି ୧୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ପାଣ୍ଠି ସଂଗ୍ରହ କରୁଥିଲେ। ପରେ ସଦଗୁରୁଙ୍କ ‘ନଦୀ ସୁରକ୍ଷା’ ଅଭିଯାନ ଅନ୍ତର୍ଗତ ବିଭିନ୍ନ ନଦୀବନ୍ଧର ଉଭୟ ପାର୍ଶ୍ବର ଏକ କିଲୋମିଟର ଭିତରେ ବୃକ୍ଷରୋପଣ କରିବା ଭଳି ମହତ କାମ କରୁଥିଲେ। ସେହିଭଳି ‘କାବେରୀ କଲିଂ’ ଅଭିଯାନରେ କାବେରୀ ନଦୀ ସୁରକ୍ଷା ଲାଗି ଲଢ଼େଇ କରିଥିଲେ।

ମାରାଥନ ଦୌଡ଼ି ମୃତ୍ତିକା ବଞ୍ଚାଅ ବାର୍ତ୍ତା ଦେବା ନିଶା ୨୦୨୨ରୁ ଆରମ୍ଭ ହୋଇଥିଲା। ସେହିବର୍ଷ ମାର୍ଚ୍ଚମାସରେ ସଦ୍‌ଗୁରୁ ମୋଟରସାଇକେଲ୍‌ରେ ୧୩୦୦୦ କିଲୋମିଟର ଯାତ୍ରା କରି ‘ମୃତ୍ତିକା ବଞ୍ଚାଅ’ ବା ‘ସେଭ୍ ସଏଲ୍’ ଲାଗି ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଶୁଭ୍ରମଣ୍ୟମ ଗତ ୧ ବର୍ଷ ୧୦ ମାସ ଭିତରେ ୩୦ଟି ମାରାଥନ୍‌ରେ ଅଂଶଗ୍ରହଣ କରି ସଡ଼କରୁ ‘ସେଭ୍ ସଏଲ୍’ ବାର୍ତ୍ତା ଦେଇସାରିଲେଣି। ୩,୭୦୩ କିଲୋମିଟର ପଥ ଦୌଡ଼ି ସାରିଲେଣି। ଏଥିଲାଗି ତାଙ୍କୁ ମାସ ମାସ ପତ୍ନୀ ଓ ପୁଅଠାରୁ ଦୂରେଇ ରହିବାକୁ ପଡ଼ୁଛି। ବୃକ୍ତିଗତ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି। ତଥାପି ଭୁବନେଶ୍ବର ମାରାଥନ୍‌ରେ ଦ୍ବିତୀୟ ଥର ଅଂଶଗ୍ରହଣ କରିବା ପରେ ଏଠାକୁ ବାରମ୍ବାର ଆଶି ସଚେତନତା ବାର୍ତ୍ତା ବାଣ୍ଟିବେ। ନିଜ କୃତି, କୀର୍ତ୍ତି ଓ ପ୍ରୟାସରେ ମା’ ମାଟିର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ସୁବ୍ରମଣ୍ୟମ।