ଭୁବନେଶ୍ବର : ଅଭିଜ୍ଞ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କୁ ସ୍ବାକ୍ଷର କରିବାର ମାତ୍ର ଦିନକ ପରେ ଆଇଏସ୍ଏଲ୍ ପେସାଦାର ଫୁଟବଲ୍ ଲିଗ୍ରେ ଓଡ଼ିଶାର ନିଜସ୍ବ ଦଳ ‘ଓଡ଼ିଶା ଏଫ୍ସି’ ଆଉ ଜଣେ ବ୍ରାଜିଲୀୟ ତାରକାଙ୍କୁ ଦଳରେ ସାମିଲ କରିଛି। ବୁଧବାର ଦଳ ଆଇଏସ୍ଏଲ୍ର ସପ୍ତମ ଋତୁ ପୂର୍ବରୁ ବ୍ରାଜିଲୀୟ ଫରୱାର୍ଡ ମାର୍ସେଲିନୋ ଲେଇଟେ ପେରେରାଙ୍କୁ ଚୁକ୍ତିବଦ୍ଧ କରିଛି। ଅବଶ୍ୟ ୩୩ ବର୍ଷୀୟ ମାର୍ସେଲିନୋଙ୍କ ସହ ଚୁକ୍ତିର ଅବଧି ମାତ୍ର ଗୋଟିଏ ବର୍ଷ ରହିଛି। ଆଗାମୀ ଋତୁରେ ସେ ଷ୍ଟ୍ରାଇକର କିମ୍ବା ଆଟାକିଂ ମଧ୍ୟଭାଗ ଖେଳାଳି ଦାୟିତ୍ବ ତୁଲାଇପାରନ୍ତି। ମାର୍ସେଲିନୋଙ୍କର ଆଇଏସ୍ଏଲ୍ ସହ ସମଗ୍ର ବିଶ୍ବର ବଛାବଛା ଫୁଟବଲ୍ ଲିଗ୍ରେ ଖେଳିବାର ଦୀର୍ଘ ଅଭିଜ୍ଞତା ରହିଛି। ୨୦୧୬ ଋତୁରେ ଦିଲ୍ଲୀ ଡାଇନାମସ୍ (ଓଡ଼ିଶା ଏଫ୍ସିର ପୁରୁଣା ନାଁ) ପକ୍ଷରୁ ଖେଳି ୧୫ ମ୍ୟାଚ୍ରୁ ୧୦ ଗୋଲ୍ କରି ସ୍ବର୍ଣ୍ଣ ଜୋତା ଜିତିଥିଲେ ସେ । ତାଙ୍କ ପ୍ରଦର୍ଶନ ବଳରେ ଏହି ଦଳ ମଧ୍ୟ ପ୍ଲେ ଅଫ୍ରେ ପ୍ରବେଶ କରି ପାରିଥିଲା। ଏହା ପରେ ମାର୍ସେଲିନୋ ଏଫ୍ସି ପୁନେ ସିଟି ଏବଂ ହାଇଦ୍ରାବାଦ ଏଫ୍ସି ପକ୍ଷରୁ ଲଗାତାର ତିନିଟି ଋତୁ ଖେଳି ୩୧ ଗୋଲ୍ ଦେବା ସହ ୧୮ ଗୋଲ୍ରେ ସହଯୋଗ କରିଥିଲେ। ଆଇଏସ୍ଏଲ୍ରେ ତାଙ୍କର ୬୩ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ମାର୍ସେଲିନୋ ନିଜ ପେସାଦାର ଜୀବନ ଆଟଲେଟିକୋ ମାଦ୍ରିଦ ବି’ରୁ ଆରମ୍ଭ କରିଥିଲେ। ୟୁଏଇ, ଗ୍ରିସ୍, ସ୍ପେନ୍, ଇଟାଲି ଏବଂ ନିଜ ଦେଶ ବ୍ରାଜିଲର ଏକାଧିକ ବରିଷ୍ଠ ସ୍ତରୀୟ କ୍ଲବ୍ରୁ ମଧ୍ୟ ସେ ଖେଳିସାରିଛନ୍ତି। ମାର୍ସେଲିନୋଙ୍କ ଫେରିବାକୁ ଓଡ଼ିଶା ଏଫ୍ସି ମାଲିକ ରୋହିନ ଶର୍ମା ସ୍ବାଗତ କରିଛନ୍ତି। ତାଙ୍କ କଳା କୌଶଳ ଓଡ଼ିଶା ଏଫ୍ସିକୁ ଆସନ୍ତା ଋତୁରେ ଭଲ କରିବାରେ ସହାୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର ତାଙ୍କୁ ଜଣେ ଚମତ୍କାର ଖେଳାଳି ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଅଭିଜ୍ଞତା ଦଳ ପାଇଁ ବଡ଼ ସମ୍ପତ୍ତି ହେବ ବୋଲି କହିଛନ୍ତି। ଓଡ଼ିଶା ଏଫ୍ସିରେ ଯୋଗଦେଇ ମୁଁ ଉଲ୍ଲସିତ। ନୂଆ ଦଳ ଓ ନୂଆ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ମାର୍ସେଲିନୋ ମତ ପ୍ରକାଶ କରିଛନ୍ତି।
ମାର୍ସେଲିନୋଙ୍କୁ ଚୁକ୍ତିବଦ୍ଧ କଲା ଓଡ଼ିଶା ଏଫ୍ସି
/sambad/media/post_attachments/wp-content/uploads/2020/09/Striker-Marcelinho-Odisha-FC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)