ଆଠ ମାସର ଶିଶୁ ପାଇଁ ଅଲିମ୍ପିକ୍ସ ପଦକ ନିଲାମ କଲେ ମାରିଆ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାର ମାତ୍ର ଦୁଇ ସପ୍ତାହ ପରେ ପୋଲାଣ୍ଡର ମହିଳା ଜାଭଲିନ୍ ତାରକା ମାରିଆ ଆନ୍ଦ୍ରେଇଚେକ୍ ନିଜ ମହାନତାର ପରିଚୟ ଦେଇଛନ୍ତି। ଏକ ମହତ କାର୍ଯ୍ୟ ପାଇଁ ନିଜ ପ୍ରିୟ ପଦକଟିକୁ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଲାମ କରି ଦେଇଛନ୍ତି। ନିଜ ଦେଶର ଜଣେ ୮ ମାସ ଶିଶୁର ବ୍ୟୟବହୁଳ ଅସ୍ତ୍ରୋପଚାର ଲାଗି ମାରିଆ ଏଭଳି ଏକ ପଦକ୍ଷେପ ନେବା ପରେ ଚାରିଆଡ଼ୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ମିଲୋସେକ୍ ମାଲିସା ନାମକ ଏହି ଶିଶୁପୁତ୍ରଟି ମାରାତ୍ମକ ହୃଦ୍‌ ରୋଗରେ ପୀଡ଼ିତ ଅଛି। ବଞ୍ଚିବା ଲାଗି ତାର ତୁରନ୍ତ ଅସ୍ତ୍ରୋପଚାର ହେବା ନିହାତି ଦରକାର। ହେଲେ ଏଭଳି ଏକ ଜଟିଳ ଓ ବ୍ୟୟବହୁଳ ଅସ୍ତ୍ରୋପଚାର କରିବା ଲାଗି ମିଲୋସେକ୍‌ର ପିତା-ମାତାଙ୍କ ପାଖରେ ସମ୍ବଳ ନାହିଁ। ତା ସହ ୟୁରୋପ ମହାଦେଶର ବହୁ ବଡ଼ ବଡ଼ ଓ ଆଧୁନିକ ଡାକ୍ତରଖାନା ମଧ୍ୟ ଏହି ଅସ୍ତ୍ରୋପଚାର କରିବାକୁ ଅସମର୍ଥ ପ୍ରକାଶ କରିଛନ୍ତି।

ଶେଷରେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ କେନ୍ଦ୍ର ଏଭଳି ଏକ ଅସ୍ତ୍ରୋପଚାର କରିବାକୁ ଆଗେଇ ଆସିଛି। ତେବେ ଏଥିଲାଗି ପାଖାପାଖି ସାଢ଼େ ଚାରି କୋଟି ଟଙ୍କା ଦରକାର ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ମିଲୋସେକ୍‌ର ପିତା-ମାତାଙ୍କୁ ଜଣାଇ ଦିଆଯାଇଛି। ଏତେ ଟଙ୍କା ପାଖରେ ନଥିବାରୁ ସେମାନେ ଅନଲାଇନ୍‌ରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସମୟ କମ୍ ଥିବାରୁ ଆବଶ୍ୟକ ଅର୍ଥର କେବଳ ୫୦ ପ୍ରତିଶତ ସଂଗ୍ରହ ହୋଇପାରିବ ବୋଲି ଜାଣିବା ପରେ ଉଭୟ ନିଜ ଦେଶର ନାମୀ, ଦାମୀ ଓ ଧନୀ ତାରକାମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଆକୁଳ ନିବେଦନ କରିଛନ୍ତି। ମାରିଆ ଏକଥା ଜାଣିବା ପରେ ତୁରନ୍ତ ନିଜ ଅଲିମ୍ପିକ୍ସ ପଦକ ନିଲାମ କରି ମିଲୋସେକ୍‌କୁ ସୁସ୍ଥ କରିବା ଲାଗି ଆଗେଇ ଆସିଥିଲେ।

ଏହି ୨୫ ବର୍ଷୀୟା ତଥା କୋମଳ ହୃଦୟର ଅଧିକାରିଣୀ ନିଜ ଫେସବୁକ୍‌ ପୃଷ୍ଠାରେ ହିଁ ଟୋକିଓ ଅଲିମ୍ପିକ୍ସ ପଦକକୁ ନିଲାମ କରିବା ଲାଗି ‌ବିଜ୍ଞାପନ ଦେଇଥିଲେ। ଶେଷରେ ପୋଲାଣ୍ଡର ଏକ ସୁପରମାର୍କେଟ୍ ଚେନ୍ ‘ଜବକା’ ନିଲାମରେ ସର୍ବାଧିକ ୧୨୫୦୦୦ ଡଲାର ବା ପାଖାପାଖି ୯୩ ଲକ୍ଷ ଟଙ୍କା ଦେଇ ମାରିଆଙ୍କ ଜୀବନର ଏହି ଦୁର୍ମୂଲ୍ୟ ସମ୍ପତ୍ତିକୁ କିଣିଥିଲା। ପଦକଟିକୁ କିଣିବା ପରେ ‘ଜବ୍‌କା’ ଅଧିକାରୀମାନେ କିନ୍ତୁ ମାରିଆଙ୍କୁ ତାଙ୍କ ପଦକ ଫେରାଇ ଦେବା ସହ ଏହି ରାଶିକୁ ଦାନ ଆକାରରେ ମିଲୋସେକ୍ ପରିବାରକୁ ଦେଇଥିଲେ। ଏଥିଲାଗି ଉଭୟ ଜବ୍‌କା ଏବଂ ମାରିଆ ଏବେ ପୋଲାଣ୍ଡର ଜାତୀୟ ନାୟକ ପାଲଟି ଯାଇଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ୨୦୧୬ ରିଓ ଅଲିମ୍ପିକ୍ସରେ ମାତ୍ର ୨ ସେଣ୍ଟିମିଟର ପାଇଁ ମାରିଆ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ଅସ୍ଥିକର୍କଟ ହୋଇଥିବା ଜଣାପଡ଼ିଥିଲା। ତେବେ ନିଜ ଅଦମ୍ୟ ସାହସ ଓ ଦୃଢ଼ ଆତ୍ମବଳରେ କର୍କଟ ଭଳି ମାରାତ୍ମକ ରୋଗକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ସେ ନିଜ ଯାଦୁ ଦେଖାଇଥିଲେ। ଟୋକିଓରେ ୬୪.୬୧ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ‌ନିଜ ଜୀବନର ପ୍ରଥମ ଅଲିମ୍ପିକ୍ସ ପଦକ (ରୌପ୍ୟ) ଜିତିଥିଲେ ମାରିଆ। ଚୀନ୍‌ର ସିୟିଙ୍ଗ ଲିଉ (୬୬.୩୪ ମିଟର) ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ମାରିଆଙ୍କ ଏଭଳି ବଦାନ୍ୟତାକୁ ସିୟିଙ୍ଗ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର