ଟେନିସ୍ ଛାଡ଼ିଲେ ଗ୍ଲାମର୍‌ ଗାର୍ଲ ତଥା ରୁଷିଆ ଟେନିସ୍‌ କିଂବଦନ୍ତୀ ମାରିଆ ସାରାପୋଭା

ନ୍ୟୁୟର୍କ : ଟେନିସ୍ ଦୁନିଆର ଗ୍ଲାମର ଗାର୍ଲ ତଥା ରୁଷିଆ ଟେନିସ୍‌ କିଂବଦନ୍ତୀ ମାରିଆ ସାରାପୋଭାଙ୍କୁ ଆଉ ଟେନିସ୍‌ କୋର୍ଟରେ ଦେଖିବାକୁ ମିଳିବନି। ପଞ୍ଚଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ସହ ନିଜ ପ୍ରେମ ସଂପର୍କ, ଡୋପିଂ ବିବାଦ ତଥା ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାବିତ୍ ଭାବେ ଗତ ଦୁଇ ଦଶନ୍ଧି ହେବ ଚର୍ଚାରେ ରହି ଆସୁଥିବା ସାରାପୋଭା ୩୨ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ମାତ୍ର ୪ ବର୍ଷ ବୟସରେ ଟେନିସ୍ ରୢାକେଟ୍ ଧରିଥିବା ସାରାପୋଭା ୧୭ ବର୍ଷ ବୟସରେ ୱିମ୍ବିଲଡନ୍‌ ଟ୍ରଫି ଜିତିବା ପରେ ବିଶ୍ବ ଟେନିସ୍‌ ଜଗତରେ ତାଙ୍କ ଚମକ ବଢ଼ିଥିଲା। ୨୦୦୪ ୱିମ୍ବିଲଡନ୍‌ ଫାଇନାଲ୍‌ରେ ସେରେନା ୱିଲିୟମ୍‌ସଙ୍କୁ ପରାସ୍ତ କରି ସାରାପୋଭା ନିଜ ଜୀବନର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି କରାୟତ୍ତ କରିଥିଲେ। ତାହାହିଁ ମୋ ଜୀବନର ସବୁଠୁ ବଡ଼ ସଫଳତା ଥିଲା ବୋଲି ସାରାପୋଭା ବର୍ଣ୍ଣନା କରିଛନ୍ତି। ୱିମ୍ବିଲଡନ୍‌ ବ୍ୟତୀତ ସାରାପୋଭା ଦୁଇ ଥର ଫ୍ରେଞ୍ଚ୍‌ ଓପନ୍‌ ଏବଂ ଥରେ ଲେଖାଏଁ ୟୁଏସ୍‌ ଓପନ୍‌ ଓ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ହୋଇଥିଲେ। ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ସାରାପୋଭା ମଧ୍ୟ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ମୋଟାମୋଟି ଭାବେ ସାରାପୋଭା ୩୬ ଡବ୍ଲୁଟିଏ ଟ୍ରଫି ନିଜ ପାଖରେ ରଖିଛନ୍ତି। ସେ ମଧ୍ୟ କ୍ୟାରିୟର ଗ୍ରାଣ୍ଡ୍‌ ସ୍ଲାମ୍‌ ହାସଲ କରିବାରେ ଏକମାତ୍ର ରୁଷୀୟ ଏବଂ ୧୦ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଶେଷଥର ପାଇଁ ସାରାପୋଭାଙ୍କୁ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଦେଖିବାକୁ ମିଳିଥିଲା। ବର୍ଷର ଏହି ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ସେ ଡୋନା ଭେକିକ୍‌ଙ୍କଠାରୁ ହାରି ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ। ହେଲେ ବୁଧବାର ଏହି ରୁଷୀୟ ସୁନ୍ଦରୀ ଅବସର ଘୋଷଣା କଲା ବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ରୁଷିଆ ମହିଳା ଟେନିସ୍‌ ସଂଘ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ସାରାପୋଭା ୧୯୯୪ରୁ ଆମେରିକାରେ ଅବସ୍ଥାନ କରୁଥିଲେ। ସେ ୫ ଥର ଅଲଗା ଅଲଗା ସମୟରେ ଡବ୍ଲୁଟିଏ ଏକକ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ। ମୋଟ ଉପରେ ସେ ୨୧ ସପ୍ତାହ ଧରି ଶୀର୍ଷ ସ୍ଥାନ ଉପଭୋଗ କରିଥିଲେ। ତିନି ତିନି ଥର କାନ୍ଧରେ ଆଘାତ ଲାଗିବା ସତ୍ତ୍ବେ ‌ଟେନିସ୍ କୋର୍ଟକୁ ଫେରି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଟେନିସ୍‌ ବିଶେଷଜ୍ଞମାନେ ଏକଦା ତାଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଟେନିସ୍‌ ଖେଳାଳିର ମାନ୍ୟତା ପ୍ରଦାନ କରିଥିଲେ। ସାରାପୋଭା ମଧ୍ୟ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ନିଜ ପ୍ରଶଂସକଙ୍କୁ ଅନନ୍ୟ ଉପହାର ଦେଇଥିଲେ। କେବଳ ଋଷିଆ ଓ ଆମେରିକା ନୁହେଁ ଭାରତ ସମେତ ବିଶ୍ବର କୋଣଅନୁକୋଣରେ ତାଙ୍କର ପ୍ରଶଂସକ ଅଛନ୍ତି।

ଡୋପିଂ ବିବାଦ ଓ ନିଲମ୍ବନ
ତେବେ ୨୦୧୬ରେ ଡୋପ୍‌ ଟେଷ୍ଟ୍‌ରେ ଧରାପଡ଼ି ବାସନ୍ଦ ହେବା ତାଙ୍କ କ୍ରୀଡ଼ା ଜୀବନର ଏକ କଳଙ୍କିତ ଅଧ୍ୟାୟ ଥିଲା। ୨୦୧୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡୋପ୍‌ ଟେଷ୍ଟ୍‌ରେ ବିଫଳ ହେବା ପରେ ୱାଡା (ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍ସି) ଦ୍ବାରା ବାସନ୍ଦ ହୋଇଥିଲେ। ସେତେବେଳେ ସେ ନିଷିଦ୍ଧ ଡ୍ରଗ୍‌ ମେଲ୍‌ଡୋନିୟମ୍‌ ସେବନ କରିଥିବା ଧରାପଡ଼ିଥିଲା। ତାଙ୍କ ନିଲମ୍ବନ ସମୟ ୨୦୧୬ ଜାନୁଆରି ୧ ତାରିଖରୁ ଲାଗୁ କରାଯାଇଥିଲା। ‌ହେଲେ ୨୦୧୬ ଜୁନ୍‌ ୮ ତାରିଖରେ ଆନ୍ତର୍ଜାତିକ ଟେନିସ୍‌ ଫେଡେରେସନ୍‌ ତାଙ୍କୁ ଟେନିସ୍‌ ଖେଳିବାରୁ ୨ ବର୍ଷ ପାଇଁ ନିଲମ୍ବିତ କରିଥିଲା। ପରେ ଅବଶ୍ୟ ଏହାକୁ ୧୫ ମାସକୁ କମାଇ ଦିଆଯାଇଥିଲା। ଚଳିତ ବର୍ଷ ଦୁବାଇରେ ଏକ ପ୍ରଦର୍ଶନୀ ପ୍ରତିଯୋଗିତା ଖେଳି ସାରାପୋଭା ୨୦୨୦ ଋତୁ ଆରମ୍ଭ କରିଥିଲେ। ନିଜ ଶକ୍ତିଶାଳୀ ସର୍ଭିସ୍ ପାଇଁ ପରିଚିତ ସାରାପୋଭା ବ୍ରିସବନ୍ ଓପନ ଓ ଅଷ୍ଟ୍ରେଲିଆନ୍ ଓପନ୍ ପାଇଁ ୱାଇଲ୍ଡ କାର୍ଡ ପାଇଥିଲେ ମଧ୍ୟ ବିଶେଷ ସଫଳ ହୋଇ ନଥିଲେ। ଅଷ୍ଟ୍ରେଲିଆନ୍ ଓପନ୍ ପ୍ରଥମ ରାଉଣ୍ଡ ପରାଜୟ ହିଁ ତାଙ୍କର ଶେଷ ମ୍ୟାଚ୍ ଥିଲା। ସାରାପୋଭା ଏକଦା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଚିହ୍ନି ନ ପାରି ବିବାଦ ଘେରକୁ ମଧ୍ୟ ଆସିଥିଲେ।

ଚର୍ଚିତ ‌ପ୍ରେମ ସଂପର୍କ
୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ସାରାପୋଭା ଟେନିସ୍ ‌କୋର୍ଟରେ ନିଜ ସର୍ଭିସ୍ ପାଇଁ ଯେତିକି ଚର୍ଚିତ ଥିଲେ ତାଠାରୁ ଅଧିକ ନିଜ ପ୍ରେମ ସଂପର୍କକୁ ‌ନେଇ ହୋଇଥିଲେ। ଟେନିସ୍ ଦୁନିଆ ସହ ମଡେଲିଂ ଓ ଗ୍ଲାମର ଦୁନିଆରେ ବି ସେ ବେଶ୍ ଲୋକପ୍ରିୟ ଥିଲେ। ଢେର କିଛି ସମୟ ପାଇଁ ସେ ମଧ୍ୟ ବିଶ୍ବର ସର୍ବାଧିକ ଆୟକାରୀ ମହିଳା ଖେଳାଳି ଥିଲେ। ତାଙ୍କ ରୋଜଗାରର ସିଂହ ଭାଗ ବିଜ୍ଞାପନ ଓ ବ୍ରାଣ୍ଡ ପ୍ରଚାରରୁ ଆସୁଥିଲା। ସ୍ଲୋଭେନିଆର ବାସ୍କେଟବଲ୍‌ ଖେଳି ଶଶା ଭୁଜାସିକଙ୍କ ସହ ଦୀର୍ଘ ସମୟ ପ୍ରେମ ସଂପର୍କରେ ରହିବା ପରେ ୨୦୧୧ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ତେବେ ୨୦୧୨ରେ ଶଶାଙ୍କ ସହ ସେ ସବୁ ସଂପର୍କ ତୁଟାଇ ଦେଇଥିଲେ। ତାଙ୍କର ମଧ୍ୟ ବୁଲଗେରିଆ ଟେନିସ୍‌ ତାରକା ଗ୍ରିଗୋରି ଦିମିତ୍ରୋଭଙ୍କ ସହ ପ୍ରେମ ସଂପର୍କ ଥିଲା। ଟେଲିଭିଜନ ପ୍ରଯୋଜକ ଚାର୍ଲି ଏବେରସୋଲ, ଆମେରିକୀୟ ଟେନିସ୍ ତାରକା ଆଣ୍ଡି ରଡିକ୍, ଗାୟକ ଆଦାମ ଲେଭିନେଙ୍କ ସହ ମଧ୍ୟ ତାଙ୍କର ସଂପର୍କ ଥିଲା। ଏବେ ସେ ପେଡେଲ୮ କଂପାନିର ସଂସ୍ଥାପକ ଆଲେକଜାଣ୍ଡାର ଗିଲକେସଙ୍କ ‌ପ୍ରେମରେ ପଡ଼ିଛନ୍ତି।

ଉତ୍‌ଥାନ ପତନ ଭରା କ୍ୟାରିୟର
ନାଁ: ମାରିଆ ୟୁରେଭ୍ନା ସାରପୋଭା
ଦେଶ: ରୁଷିଆ, ବାସସ୍ଥାନ: ଆମେରିକା
ଜନ୍ମ: ୧୯ ଏପ୍ରିଲ ୧୯୮୭, ନ୍ୟାଗନ, ରୁଷିଆ
ଉଚ୍ଚତା: ୧.୮୮ ସେଣ୍ଟିମିଟର (୬ ଫୁଟ ୨ ଇଞ୍ଚ)
ପେସାଦାର: ଏପ୍ରିଲ ୧୯, ୨୦୦୧
ଖେଳିବା ଶୈଳୀ: ରାଇଟ୍ ହ୍ୟାଣ୍ଡେଡ୍ (ଟୁ ହ୍ୟାଣ୍ଡେଡ୍ ବ୍ୟାକ୍‌ହ୍ୟାଣ୍ଡ)
ପୁରସ୍କାର ରାଶି: ୩୮,୭୦୩, ୬୦୯ ଡଲାର
ଏକକ ଏଟିପି (ଜୟ/ପରାଜୟ) ରେକର୍ଡ: ୬୪୫/୧୭୧
ଏକକ ଟ୍ରଫି: ୩୬ ଡବ୍ଲ୍ୟୁଟିଏ, ୪ ଆଇଟିଏଫ୍
ସର୍ବୋଚ୍ଚ ମାନ୍ୟତା: ୧ (୨୨ ଅଗଷ୍ଟ ,୨୦୦୫)
ସାଂପ୍ରତିକ ମାନ୍ୟତା: ୩୬୯ (ଫେବ୍ରୁଆରି ୩, ୨୦୨୦)
ଗ୍ରାଣ୍ଡସ୍ଲାମ୍ ଏକକ ସଫଳତା: ୫
ଅଷ୍ଟ୍ରେଲିଆ ଓପନ୍: ୧ (୨୦୦୮)
ଫ୍ରେଞ୍ଚ ଓପନ୍: ୨ (୨୦୧୨, ୨୦୧୪)
ୱିମ୍ବଲଡନ୍ ଓପନ୍: ୧ (୨୦୦୪)
ୟୁଏସ୍ ଓପନ୍: ୧ (୨୦୦୬)
ଯୁଗଳ ଜୟ/ପରାଜୟ ରେକର୍ଡ: ୨୩/୧୭
ଯୁଗଳ ଟ୍ରଫି: ୩
ସର୍ବୋଚ୍ଚ ମାନ୍ୟତା: ୪୧ (୧୪ ଜୁନ୍ ୨୦୦୪)
ଗ୍ରାଣ୍ଡସ୍ଲାମ୍ ଯୁଗଳ ଟ୍ରଫି : ୦
ଅଷ୍ଟ୍ରେଲିଆନ୍ ଓପନ୍: ଦ୍ବିତୀୟ ରାଉଣ୍ଡ (୨୦୦୩, ୨୦୦୪)
ୟୁଏସ୍ ଓପନ୍: ଦ୍ବିତୀୟ ରାଉଣ୍ଡ (୨୦୦୩)
ଗ୍ରାଣ୍ଡସ୍ଲାମ୍ ମିଶ୍ରିତ ଯୁଗଳ ଟ୍ରଫି: ୦
ଜୟ/ପରାଜୟ: ୨-୧
ୟୁଏସ୍ ଓପନ୍: କ୍ବାର୍ଟର ଫାଇନାଲ୍
ଅନ୍ୟାନ୍ୟ ପ୍ରତିଯୋଗିତା
ଟୁର୍ ଫାଇନାଲ୍ସ ଟ୍ରଫି: ୧ (୨୦୦୪)
ଫେଡ୍ କପ୍: ୧ (୨୦୦୮)
ଅଲିମ୍ପିକ୍ସ ସଫଳତା
ମହିଳା ଏକକ ରୌପ୍ୟ : ୨୦୧୨ (ଲଣ୍ଡନ)

ସମ୍ବନ୍ଧିତ ଖବର