ମାରିନ୍‌ ଜିତିଲେ ଥାଇଲାଣ୍ଡ୍‌ ଓପନ୍‌ ଟ୍ରଫି

ବ୍ୟାଙ୍କକ୍‌: ଅଲିମ୍ପିକ୍‌ ବିଜୟୀନି କାରୋଲିନା ମାରିନ୍‌ ଥାଇଲାଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟ୍ରଫି ଜିତି ନେଇଛନ୍ତି। ମହିଳା ଏକକ ବର୍ଗ ଫାଇନାଲ୍‌ରେ ସେ ଶୀର୍ଷ ମାନ୍ୟତା ତଥା ୨୬ ବର୍ଷ ବୟସ୍କା ତାଇୱାନ୍‌ ପ୍ରତିଦ୍ବନ୍ଦ୍ବୀ ତାଇ ଜୁ ୟିଙ୍ଗ୍‌ଙ୍କୁ ୨୧-୯ ଓ ୨୧-୧୬ରେ ପରାସ୍ତ କରିଦେଇଥିଲେ। ସେହିପରି ପୁରୁଷ ଏକକ ବର୍ଗ ଫାଇନାଲ୍‌‌ରେ ଡେନ୍‌ମାର୍କର ଭିକ୍ଟର ଆକ୍ସେଲେସେନ୍‌ ୨୧-୧୪ ଓ ୨୧-୧୪ ସିଧାସଳଖ ଗେମ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ହଂକଂର ଅଙ୍ଗୁସ୍‌ ଲଙ୍ଗ୍‌ଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିନେଇଛନ୍ତି।

ଅନ୍ୟପକ୍ଷରେ ଇଣ୍ଡୋନେସିଆର ଗ୍ରେସିଆ ପୋଲି ଓ ଅପ୍ରିୟାନୀ ରାହାୟୁ ୨୧-୧୫ ଓ ୨୧-୧୨ରେ ଥାଇଲାଣ୍ଡ୍‌ ଯୋଡ଼ି ଜଙ୍ଗ୍‌କୋଲ୍‌ଫାନ୍‌ କିଟିଥାରାକୁଲ-ରାୱିନ୍ଦା ପ୍ରଜଙ୍ଗ୍‌ଜାଇଙ୍କୁ ପରାସ୍ତ କରି ମହିଳା ଯୁଗଳ ଟ୍ରଫି କରାୟତ୍ତ କରିନେଇଛନ୍ତି। ପୋଲିଙ୍କ ପାଇଁ ଥାଇଲାଣ୍ଡ୍‌ରେ ଏହା ରେକର୍ଡ ଚତୁର୍ଥ ଟ୍ରଫି। ପୁରୁଷ ଯୁଗଳରେ ତାଇୱାନ୍‌ର ଲି ୟାଙ୍ଗ୍‌-ୱାଙ୍ଗ୍‌ ଚି-ଲିନ୍‌ ୨୧-୧୬, ୨୧-୨୩ ଓ ୨୧-୧୯ରେ ମାଲେସିଆର ଗୋହ ଭି ସେମ୍‌-ଟାନ୍‌ ୱି କିଓଙ୍ଗ୍‌ଙ୍କୁ ପରାସ୍ତ କରି ଟ୍ରଫି ହାତେଇଥିଲା ବେଳେ ମିଶ୍ରିତ ଯୁଗଳରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ଥାଇଲାଣ୍ଡ୍‌ର ଦେଚାପୋଲ ପୂଭାରାନୁକ୍ରୋ-ସାପ୍‌ସିରେ ଟେରାଟାନାଚାଇ ୨୧-୩, ୨୦-୨୨ ଓ ୨୧-୧୮ରେ ଇଣ୍ଡୋନେସିଆର ପ୍ରବୀଣ ଜୋର୍ଡାନ୍‌-ମେଲାଟି ଦାଇଭାଙ୍କୁ ପରାସ୍ତ କରି ଟ୍ରଫି ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର