ଲଣ୍ଡନ : ଦୁଇ ଥରର ଗ୍ରାଣ୍ଡସ୍ଲାମ୍ ଉପବିଜେତା ମାର୍କ ଫିଲିପୌସିସ୍ଙ୍କୁ ଆନ୍ତର୍ଜାତିକ ଟେନିସ୍ ଇଣ୍ଟେଗ୍ରିଟି ଏଜେନ୍ସି (ଆଇଟିଆଇଏ) ୧୦ ହଜାର ଡଲାର ଜରିମାନା କରିଛି। ଏଥିସହିତ ଟେନିସ୍ର ବେଟିଂ ନିୟମ ଉଲଙ୍ଘନ କରିଥିବାରୁ ୪ ମାସ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।
ଆଇଟିଆଇଏ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ପ୍ରଶିକ୍ଷକ ମାର୍କ ଏକ ବେଟିଂ କମ୍ପାନି ସହ ବିଜ୍ଞାପନରେ ସ୍ବର ଦେବା ପାଇଁ ଅର୍ଥ ଗ୍ରହଣ କରିଥିଲେ। ଟେନିସ୍ରେ ସ୍ବୀକୃତିପ୍ରାପ୍ତ ଖେଳାଳି କିମ୍ବା ପ୍ରଶିକ୍ଷକମାନେ କୌଣସି ବେଟିଂ କମ୍ପାନିଙ୍କ ସହ ବାଣିଜ୍ୟିକ ସଂପର୍କ ରଖିପାରିବେ ନାହିଁ ବୋଲି ନିୟମ ରହିଛି। ମାର୍କଙ୍କ କ୍ଷେତ୍ରରେ ଏହା କୌଣସି ଦୁର୍ନୀତି ନୁହେଁ, ତଥାପି ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଖେଳ ସହିତ ଯୋଡ଼ି ହେଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି ନିୟମ ପ୍ରତି ସଚେତନ ହେବା ପାଇଁ ଏଭଳି ଦଣ୍ଡବିଧାନ କରାଯାଇଥିବା ଆଇଟିଆଇଏ ସିଇଓ କରିନ୍ ମୁର୍ହାଉସ୍ ସୂଚନା ଦେଇଛନ୍ତି। ୪୬ ବର୍ଷୀୟ ମାର୍କ ୧୯୯୮ ୟୁଏସ୍ ଓପନ୍ରେ ପାଟ୍ ରଫତାରଙ୍କଠୁ ଏବଂ ୨୦୦୩ ୱିମ୍ବଲଡନ୍ ଫାଇନାଲ୍ରେ ରୋଜର ଫେଡେରର୍ଙ୍କଠୁ ପରାଜିତ ହୋଇ ଉପବିଜେତା ହୋଇଥିଲେ।