ସିଡ୍ନି: ବଦଳ ଖେଳାଳି ଭାବେ ଆସିବା ପରଠାରୁ ମାର୍ନସ ଲବୁସାନ୍ଙ୍କ ଚମତ୍କାର ଟେଷ୍ଟ୍ ଫର୍ମ ଜାରି ରହିଛି। ବିଗତ ୪ ଟେଷ୍ଟ୍ରୁ ୩ ଶତକ ଓ ୨ ଅର୍ଧଶତକ ହାସଲ କରିଥିବା ଏହି ୨୫ ବର୍ଷୀୟ ଡାହାଣହାତୀ ବ୍ୟାଟସମ୍ୟାନ୍ ପୁଣି ଏକ ଶତକୀୟ ପାଳି ଖେଳିବାରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଦୃଢ଼ ମୂଳଦୁଆ ପକାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ପେନ୍ଙ୍କ ଦଳ ୩ ୱିକେଟ୍ରେ ୨୮୩ ରନ୍ କରିଛି। ଲବୁସାନ୍ ୧୩୦* ରନ୍ (୨୧୦ ବଲ୍, ୧୨ ଚୌକା, ୧ ଛକା) ମଧ୍ୟ ଅପରାଜିତ ଅଛନ୍ତି। ଷ୍ଟିଭେନ୍ ସ୍ମିଥ୍ (୬୩, ୧୮୨ ବଲ୍) ଏବଂ ଡେଭିଡ୍ ୱାର୍ନର (୪୫, ୮୦ ବଲ୍) ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। ଶୁକ୍ରବାର ଷ୍ଟମ୍ପସ ପ୍ରତ୍ୟାହୃତ ବେଳକୁ ଲବୁସାନ୍ଙ୍କ ସହିତ ମାଥ୍ୟୁ ୱାଦେ (୨୨*, ୩୦ ବଲ୍) ବ୍ୟାଟିଂ କରୁଥିଲେ।
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଜୋ ବର୍ନସ (୧୮)ଙ୍କୁ କଲିନ୍ ଗ୍ରାଣ୍ଡହୋମ୍ ଆଉଟ୍ କରିବା ପରେ ୱାର୍ନର, ସ୍ମିଥ୍ ଏବଂ ଲବୁସାନ୍ ଦିନ ସାରା ନ୍ୟୁଜିଲାଣ୍ଡ୍ ବୋଲରଙ୍କ ମନୋବଳକୁ ନିମ୍ନଗାମୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଦ୍ବିତୀୟ ନୂଆ ବଲ୍ ଆସିବା ପରେ ସ୍ମିଥ୍ ଆଉଟ୍ ହୋଇଥିଲେ। ଲବୁସାନ୍ କିନ୍ତୁ ସବୁ ପରିସ୍ଥିତିକୁ ମୁକାବିଲା କରି ଆଉ ଏକ ବଡ଼ ପାଳି ଦିଗରେ ଅଗ୍ରସର ହୋଇଛନ୍ତି। ଅନ୍ୟପକ୍ଷରେ ଶୃଙ୍ଖଳା ହାରି ସାରିଥିବା ନ୍ୟୁଜିଲାଣ୍ଡ୍ର ନେତୃତ୍ବ ଏବେ ଟମ୍ ଲଥାମଙ୍କ ଉପରେ ପଡ଼ିଛି। ଲଥାମ୍ ନ୍ୟୁଜିଲାଣ୍ଡ୍ର ୩୦ତମ ଟେଷ୍ଟ୍ ଅଧିନାୟକ ହୋଇ ଭାର ସମ୍ଭାଳିଛନ୍ତି। ଜିତ୍ ରାଭାଲ୍ ପ୍ରତ୍ୟାବର୍ତନ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ଟେଷ୍ଟ୍ ପଦାର୍ପଣ ସୁଯୋଗ ପାଇଛନ୍ତି। ସାଣ୍ଟନର୍, ସାଉଦି ଏବଂ ବୋଲଟଙ୍କ ବଦଳରେ ଟଡ୍ ଆସଲେ, ୱିଲ୍ ସମରଭିଲ୍, ମ୍ୟାଟ୍ ହେନରି ବୋଲିଂ ଆକ୍ରମଣ ସମ୍ଭାଳିବେ। ଫ୍ଲୁ’ରେ ଆକ୍ରାନ୍ତ ହେବାରୁ ନିୟମିତ ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କ ସହିତ ମିଚେଲ୍ ସାଣ୍ଟନର୍ ଏବଂ ହେନରି ନିକୋଲ୍ସ ଏହି ଟେଷ୍ଟ୍ ଖେଳିପାରିନାହାନ୍ତି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୯୦ ଓଭରରେ ୨୮୩/୩ (ମାର୍ନସ ଲବୁସାନ୍-୧୩୦*, ଷ୍ଟିଭେନ୍ ସ୍ମିଥ୍-୬୩, ମାଥ୍ୟୁ ୱାଦେ-୨୨*, କଲିନ୍ ଗ୍ରାଣ୍ଡ୍ହୋମ୍-୨/୬୩, ନିଲ୍ ୱାଗ୍ନର୍-୧/୪୮)।
ଲବୁସାନ୍ଙ୍କ ୫ ଶତକ
ଶୁକ୍ରବାରର ମାର୍ନସ ଲବୁସାନ୍ ନିଜ ଖେଳ ଜୀବନର ପଞ୍ଚମ ଟେଷ୍ଟ୍ ଶତକ ହାସଲ କରିଛନ୍ତି। ଗତ ୭ ଘରୋଇ ପାଳିରୁ ମଧ୍ୟ ସେ ୪ଟି ଶତକ ହାସଲ କରିଛନ୍ତି। ନିଜର ପ୍ରଥମ ୧୪ ଟେଷ୍ଟ୍ ମଧ୍ୟରେ ୪ ଥର ୩ ଅଙ୍କ ଛୁଇଁଥିବା ଖେଳାଳି ଅନ୍ୟୁନ ୭,୦୦୦ ରନ୍ ପୂରଣ କରିଥିବାର ନଜିର ରହିଛି। କେବଳ ଡନ୍ ବ୍ରାଡ୍ମ୍ୟାନ୍ ଏହା କରିପାରିନଥିଲେ। କିନ୍ତୁ ସେ ୧୪ ଟେଷ୍ଟ୍ ମଧ୍ୟରେ ୮ ଶତକ ହାସଲ କରିଥିଲେ। ୬୯୯୬ ରନ୍ରେ ଥାଇ ଅବସର ନେଇଯାଇଥିଲେ। ମାର୍କ ଟେଲର୍ ଏହି ଅବଧି ମଧ୍ୟରେ ୬ ଶତକ ମାରିଥିଲେ। ସୁନିଲ ଗାଭାସ୍କର, ଆଣ୍ଡ୍ରିଉ ଷ୍ଟ୍ରସ୍, ୱାଲି ହାମଣ୍ଡ୍ ପ୍ରତ୍ୟେକ ୫ ଲେଖାଏଁ ଶତକ ଜମାଇଥିଲେ। ଚଳିତ ଘରୋଇ ଋତୁରେ ଲବୁସାନ୍ ୮୫.୧୬ ହାରରେ ୧୩ ପାଳିରୁ ୪ ଶତକ, ୪ ଅର୍ଧଶତକ ସହିତ ୧୦୨୨ ରନ୍ ସଂଗ୍ରହ କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/marnuslabuschagne-cropped_pcsa6bmh1v4g1qa4d77keil9q.jpg)