ସିଡ୍ନି: ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିଡ୍ନିରେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ବେଳେ କ୍ରିଜ୍ରେ ଥାଇ ମାର୍ନସ୍ ଲାବୁସିନ୍ ସାଥୀ ଖେଳାଳିମାନଙ୍କୁ ଠାରରେ ସିଗାରେଟ୍ ଲାଇଟର୍ଟିଏ ମାଗିବା ଘଟଣା ଅଷ୍ଟ୍ରେଲୀୟବାସୀଙ୍କୁ ହସାଇ ହସାଇ ବେଦମ୍ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ପ୍ରଥମ ଇନିଙ୍ଗ୍ସ୍ରେ ବ୍ୟାଟିଙ୍ଗ୍ କରିବା ବେଳେ ମାର୍ନସ୍ ଲାବୁସିନ୍ ସିଗାରେଟ୍ ଟାଣିବା ଭଙ୍ଗି କରିବା ଠାରରେ ଲାଇଟର୍ଟିଏ ପାଇଁ ଅନୁରୋଧ କରିଥିଲେ। ଏହା ଦେଖି ତାଙ୍କ ଟିମ୍ ମେଟ୍ ବା ସାଥୀ ଖେଳାଳି ଓ ଧାରାବିବରଣୀ ପ୍ରଦାନ କରୁଥିବା ବ୍ୟକ୍ତିମାନେ ବିସ୍ମିତ ହୋଇଯାଇଥିଲେ।
ପୂର୍ବରୁ ମଧ୍ୟ ଲାବୁସିନ୍ ଦେଇଥିବା କେତେକ ବିଚିତ୍ର ଠାର କଥା ଆଲୋଚନା କରି ଧାରାବିବରଣ ପ୍ରଦାନକାରୀମାନେ ହସୁଥିବା ବେଳେ ସେ ଲାଇଟର୍ ଜଳାଇ ହେଲ୍ମେଟ୍ ଭିତର ପାଖକୁ ପୋଡ଼ି ସଜାଡୁଥିଲେ। ସମ୍ଭବତଃ, ହେଲ୍ମେଟ୍ରେ କିଛି ତ୍ରୁଟି ରହିଯାଇଥିବାରୁ ସେ ଠିକ୍ ଭାବେ ବଲ୍କୁ ଲକ୍ଷ୍ୟ କରିପାରୁ ନ ଥିଲେ। ତ୍ରୁଟି ହେଲା, ହେଲ୍ମେଟ୍ ଭିତରେ ପଟେ ଓହଳି ଥିବା ନାଇଲନ୍ କନା। ତାହା ତାଙ୍କ ଆଖି ସାମ୍ନାକୁ ଚାଲି ଆସୁ ଥିବାରୁ ତାଙ୍କୁ ଅଡୁଆ ଲାଗୁଥିଲା।
ହେଲ୍ମେଟ୍ ମରାମତି କରିସାରିବା ପରେ ସେ ପୁଣି ଯାଇ ଦକ୍ଷିଣ ଆଫ୍ରିକା ପେସ୍ ବୋଲର୍ଙ୍କୁ ସମ୍ମୁଖୀନ ହୋଇଥିଲେ।
ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଉକ୍ତ ଲାଇଟର୍ଟି କାହାର ବୋଲି ଜାଣିବାକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଆଜି ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍ ଚାଲିଛି।