ନ୍ୟୁୟର୍କ: ୪୫ ବର୍ଷ ବୟସରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଆମେରିକାର ଚର୍ଚ୍ଚିତ ଟେନିସ୍ ତାରକା ତଥା ୭ଟି ଗ୍ରାଣ୍ଡସ୍ଲାମ୍ ବିଜୟିନୀ ଭେନସ୍ ୱିଲିୟମ୍ସ। ସାଇ ଭଉଣୀ ସେରେନାଙ୍କ ସହ ମିଶି ମହିଳା ଯୁଗଳରେ ଏକଦା ଆଧିପତ୍ୟ ବିସ୍ତାର କରିଥିବା ଭେନସ୍ ଖୁବଶୀଘ୍ର ଅଭିନେତା ଓ ପ୍ରଯୋଜକ ଆଣ୍ଡ୍ରିଆ ପ୍ରୀତଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଆମେରିକୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଭେନସ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ନିରବତା ଅବଲମ୍ବନ କରିବା ସହ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି।
ସୂଚନା ଅନୁସାରେ ଉଭୟ କିନ୍ତୁ ଆଗାମୀ ସେପ୍ଟେମ୍ବରରେ ବିବାହବନ୍ଧନରେ ଆବଦ୍ଧ ହେବେ। ଏହି ତାରକା ଯୋଡ଼ିଙ୍କ ପ୍ରେମ କାହାଣୀ ଗତବର୍ଷ ଗ୍ରୀଷ୍ମ ଋତୁରେ ଆରମ୍ଭ ହୋଇଥିଲା। ଉଭୟଙ୍କୁ ସେତେବେଳେ ଏକ ବିଳାସପୂର୍ଣ୍ଣ ପାଣି ଜାହାଜରେ ସମୟ କଟାଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇଟାଲିର ରୋମ୍ଠାରେ ଅଭ୍ୟାସ କରୁଥିଲା ବେଳେ ଭେନସ୍ ଏକ ଆକର୍ଷଣୀୟ ନିର୍ବନ୍ଧ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଥିଲା।