ଆହତ ଷ୍ଟୋଇନିସ୍‌ଙ୍କ ବଦଳରେ ମାର୍ସ

ଟଣ୍ଟନ: ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ ଆହତ ଯୋଗୁଁ ପାକିସ୍ତାନ ବିପକ୍ଷ ଆସନ୍ତାକାଲିର ବିଶ୍ବକପ୍‌ ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ଫଳରେ ତାଙ୍କ ବଦଳ ଖେଳାଳି ଭାବେ ଅନ୍ୟତମ ଅଲ୍‌ରାଉଣ୍ଡର ମିଚେଲ ମାର୍ସଙ୍କୁ ଇଂଲଣ୍ଡ ପହଞ୍ଚିବା ପାଇଁ କୁହାଯାଇଛି ବୋଲି ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ମଙ୍ଗଳବାର କହିଛନ୍ତି। ‌ଷ୍ଟୋଇନିସ୍‌ ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଖେଳିଥିବା ୩ଟିଯାକ ମ୍ୟାଚ୍‌ରେ ସାମିଲ ଥିଲେ। ତେବେ ଭାରତ ବିପକ୍ଷ ରବିବାର ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ। ସେହି ମ୍ୟାଚ୍‌ରେ ଷ୍ଟୋଇନିସ୍‌ ୭ ଓଭର ବୋଲିଂ କରି ୬୨ ରନ୍‌ ବ୍ୟୟ କରିଥିଲେ ମଧ୍ୟ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଉଟ୍‌ କରିଥିଲେ। ହେଲେ ବ୍ୟାଟିଂରେ ପୂରା ବିଫଳ ହୋଇଥିଲେ। ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରି ଯାଇଥିଲା ବେଳେ ଅଷ୍ଟ୍ରେଲିଆ ସେହି ମ୍ୟାଚ୍‌କୁ ୩୬ ରନ୍‌ରେ ହାରିଯାଇଥିଲା। ଏହା ପୂର୍ବରୁ ଅଷ୍ଟ୍ରେଲିଆ ତା’ର ଦୁଇଟିଯାକ ମ୍ୟାଚ୍‌କୁ ଯଥାକ୍ରମେ ଆଫ୍‌ଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଜିତି ନେଇଥିଲା। ଷ୍ଟୋଇନିସ୍‌ଙ୍କ ବଦଳ ଖେଳାଳି ଭାବେ ମିଚେଲ ମାର୍ସଙ୍କୁ ଡକରା ମିଳିଥିଲେ ମଧ୍ୟ ଚୂଡାନ୍ତ ୧୫ ଜଣିଆ ଦଳରେ ସେ ସ୍ଥାୟୀ ଭାବେ ସାମିଲ ହେବେ ନା ନାହିଁ ସେଥିପାଇଁ ଅଷ୍ଟ୍ରେଲିଆ ଅପେକ୍ଷା କରିଥିବା ଫିଞ୍ଚ୍‌ କହିଛନ୍ତି।

ସମ୍ବନ୍ଧିତ ଖବର