ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଥର ମିଶ୍ରିତ ସାମରିକ କଳାର ଜାତୀୟ ପ୍ରତିଯୋଗିତା ଜରିଆରେ ଓଡ଼ିଶାବାସୀଙ୍କୁ ଯୋଦ୍ଧା ଲଢ଼େଇର ମଜା ଭେଟି ଦେଇଥିବା ଉତ୍କଳ କରାଟେ ସ୍କୁଲ୍ ଶୁକ୍ରବାର ଠାରୁ ପୁଣି ଏକ ଲଢ଼େଇର ଆୟୋଜନ କରିବାକୁ ଯାଉଛି। ସର୍ବଭାରତୀୟ ମିଶ୍ରିତ ସାମରିକ କଳା ସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ୧୩ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ଲୁହାର ପିଞ୍ଜରା ମଧ୍ୟରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫୦ ପୁରୁଷ ଓ ମହିଳା ଯୋଦ୍ଧା ଲଢ଼େଇରେ ଅବତୀର୍ଣ୍ଣ ହେବେ। ଏହି ପ୍ରତିଯୋଗିତାର ପୁରୁଷରେ ୫୫ରୁ ଆରମ୍ଭ କରି ୧୨୦ କେଜି ପର୍ଯ୍ୟନ୍ତ ୧୦ ବିଭାଗ ଏବଂ ମହିଳାରେ ୪୮ କେଜିରୁ ଆରମ୍ଭ କରି ୭୫ କେଜି ପର୍ଯ୍ୟନ୍ତ ୫ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। କିକ୍, ପଞ୍ଚ୍, କହୁଣି, ଆଣ୍ଠୁ ଦ୍ୱାରା ଆଘାତ, ତଳେ ପକାଇ ଆଘାତ କରିବା ସାଙ୍ଗକୁ ଲକ୍ ଓ ଚୋକ୍ ଜରିଆରେ ପ୍ରତିଦ୍ୱନ୍ଦ୍ୱୀମାନେ ପରସ୍ପରକୁ ହରାଇବାକୁ ପ୍ରୟାସ କରିବେ। ଏଥିରେ ଓଡ଼ିଶାରୁ ୫ ଜଣ ସୌଖୀନ ଯୋଦ୍ଧା ଭାଗ ନେବେ ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟ ପ୍ରତିନିଧି ଡ. ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଥିଲେ। ଲଢ଼େଇ ବେଳେ ଆଘାତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥିବାରୁ କଳିଙ୍ଗ ହସ୍ପିଟାଲକୁ ମେଡିକାଲ ସହଯୋଗୀ ଭାବେ ରଖାଯାଇଥିଲା ବେଳେ ଅନ୍ୟାନ୍ୟ ସମସ୍ତ ପ୍ରଶାସନିକ ସହମତି ହାସଲ କରାଯାଇଥିବା ଡ. ପଟ୍ଟନାୟକ କହିଥିଲେ। ସର୍ବଭାରତୀୟ ସଂଘର କମିଶନର ଡାନିଏଲ୍ ଇସାକ୍, ଜାତୀୟ ସଂଘର କାର୍ଯ୍ୟକାରୀ ସଭାପତି ସରିଫ୍ ବାପୁ, ଉପସଭାପତି ଆଲେନ୍ ଫର୍ନାଣ୍ଡେସ୍ ଏବଂ ସଂପାଦକ ପ୍ରସାଦ ଗୋଇଣ୍ଟୋଡେ୍ଙ୍କ ସାଙ୍ଗକୁ ଡ. ପଟ୍ଟନାୟକ ପ୍ରତିଯୋଗିତା ପରିଚାଳନା କରିବେ। ୧୩ ତାରିଖ ସଂଧ୍ୟା ୭ଟାରେ ପ୍ରତିଯୋଗିତାର ବିଧିବଦ୍ଧ ଉଦ୍ଘାଟନ ହେବାକୁ ଥିଲା ବେଳେ ୧୪ ଓ ୧୫ ତାରିଖ ସଂଧ୍ୟା ୭ଟାରେ ପୁରସ୍କାର ବିତରଣ କରାଯିବାର ବ୍ୟବସ୍ଥା କରାଯାଇଛି।
ଲୁହା ପିଞ୍ଜରାରେ ଲଢ଼େଇ: ଶୁକ୍ରବାରରୁ ମିଶ୍ରିତ ସାମରିକ କଳା ଜାତୀୟ ପ୍ରତିଯୋଗିତା
ଭାଗ ନେବେ ୨୫୦ ଯୋଦ୍ଧା; ଓଡ଼ିଶାରୁ ୫