ଅଧୁରା ରହିଲା ମେରିକମଙ୍କ ୨ୟ ଅଲିମ୍ପିକ୍ସ ପଦକ ସ୍ବପ୍ନ, କଲମ୍ବିଆର ଭାଲେନ୍ସିଆଙ୍କଠାରୁ ହାରିଲେ

ନୂଆଦିଲ୍ଲୀ : ଭାରତୀୟ ମହିଳା ବକ୍ସର ତଥା ୬ ଥରର ବିଶ୍ବ ଚାମ୍ପିଅନ ଏମସି ମେରିକମଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଯାଇଛି । ଆଜି ଟୋକିଓ ଅଲମ୍ପିକ୍ସରେ ସେ କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କଠାରୁ ହାରିବା ସହ ତାଙ୍କର ୨ୟ ଅଲିମ୍ପିକ୍ସ ପଦକ ସ୍ବପ୍ନ ଅଧୁରା ରହିଯାଇଛି ।

ମହିଳା ଫ୍ଲାଏଓ୍ବେଟ ବର୍ଗରେ ମେରିକମ୍ ଓ ଭାଲେନ୍ସିଆଙ୍କ ମଧ୍ୟରେ ୧୬ ରାଉଣ୍ଡର ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା । ତେବେ ଶେଷରେ ମେରିକମ ୩-୨ରେ ହାରି ଯାଇଥିଲେ । ପୂର୍ବରୁ ଭାଲେନ୍ସିଆ ଓ ମେରିକମଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିବାବେଳେ ଦୁଇଥରଯାକ ମେରିକମ ବିଜୟୀ ହୋଇଥିଲେ । ଆଜି କିନ୍ତୁ ମେରିକମ ନିଜର ପୂର୍ବ ସଫଳତା ଦୋହରାଇ ପାରିନଥିଲେ । ଆଜିର ପରାଜୟ ସହ ମେରିକମ କ୍ବାର୍ଟରଫାଇନାଲରେ ପ୍ରବେଶ କରିପାରିନାହାନ୍ତି । ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବବା ଭାଲେନ୍ସିଆ ଏଥର ବି ନିଜର ପଦକ ଅଭିଯାନ ଜାରି ରଖିଛନ୍ତି ।

୩୮ ବର୍ଷୀୟ ମେରିକମ୍ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ଥରର ଅଲିମ୍ପିକ୍ସକୁ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ କୁହାଯାଉଛି ।

ସମ୍ବନ୍ଧିତ ଖବର