ମେରିକମ୍ ମାନିଲେନି କରୋନା ନିୟମ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣରୁ ବଞ୍ଚିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ନିୟମାବଳୀକୁ ନମାନି ବଲିଉଡ୍ ଗାୟିକା କନିକା କାପୁର ହଜାର ହଜାର ଲୋକଙ୍କ ଜୀବନ ବିପଦ ଘେରକୁ ଠେଲି ଦେବାର ଖବର ସମଗ୍ର ଭାରତ ବର୍ଷକୁ ଦୋହଲାଇବା ପରେ ବିଶ୍ବ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ମଧ୍ୟ ନିଜ ବିଦେଶ ଗସ୍ତକୁ ଲୁଚାଇଥିବାର ଅଭିଯୋଗ ଆସିଛି। ଫଳରେ ଦେଶର ତାରକାମାନେ ଯେ ଏହି ମହାମାରୀକୁ ନେଇ ଅତ୍ୟନ୍ତ ଅଜ୍ଞ ଓ ଦାୟିତ୍ବହୀନ, ତାହା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ ମେରିକମ୍ ଜୋର୍ଡାନର ଅମାନଠାରେ ଆୟୋଜିତ ଏସିଆ-ଓସେସିଆ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରି ଗତ ୧୩ ତାରିଖରେ ଭାରତ ଫେରିଥିଲେ। ବିଦେଶରୁ ଫେରିଥିବାରୁ ନିୟମ ଅନୁସାରେ ତାଙ୍କୁ ଅନ୍ୟୂନ ୧୪ ଦିନ ପର୍ଯ୍ୟନ୍ତ ସେଲଫ୍ ଆଇସୋଲେସନ୍ ବା ସ୍ବେଚ୍ଛାକୃତ ସଙ୍ଗରୋଧରେ ରହିବା କଥା। ହେଲେ ସେ ଏହାକୁ ମାନିନଥିଲେ। ବରଂ ୧୮ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଆୟୋଜନ କରିଥିବା ଏକ ଜଳଖିଆ ଭୋଜିରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଟ୍ବିଟର ଆକାଉଣ୍ଟରୁ ଏହି ଭୋଜିକୁ ନେଇ ପ୍ରକାଶ କରାଯାଇଥିବା ଚାରିଟି ଫଟୋ ମଧ୍ୟରୁ ଗୋଟିକରେ ମେରିକମ୍ ୨୦ରୁ ଅଧିକ ସାଂସଦଙ୍କ ସହ ବସିଥିବାର ଦେଖିବାକୁ ମିଳୁଛି। ସେତେ‌ବେଳେ ମଧ୍ୟ କରୋନାରେ ସଂକ୍ରମିତ କନିକା କାପୁରଙ୍କ ସଂସ୍ପର୍ଶରେ ଆସିଥିବା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ରାଷ୍ଟ୍ରପତି ଭବନରେ ଥିଲେ। ରାଷ୍ଟ୍ରପତି ଏହି ଭୋଜି ରାଜସ୍ଥାନ ଓ ଉତ୍ତରପ୍ରଦେଶ ସାଂସଦଙ୍କ ସମ୍ମାନରେ ଆ‌ୟୋଜନ କରିଥିଲେ। ମେରିକମ୍ ରାଜ୍ୟସଭାର ସାଂସଦ ଥିବାରୁ ସେ ମଧ୍ୟ ଏଥିଲାଗି ଆମନ୍ତ୍ରିତ ହୋଇଥିଲେ। କନିକା କରୋନା ସଂକ୍ରମିତ ହୋଇଥିବାର ଖବର ପଦାକୁ ଆସିବା ପରେ ଦୁଷ୍ୟନ୍ତ ଏବେ ସ୍ବେଚ୍ଛାକୃତ ସଙ୍ଗରୋଧରେ ଅଛନ୍ତି।

ମେରିକମ୍‌ଙ୍କୁ ନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେ କିନ୍ତୁ ଏକାଧିକ ଥର ଘରୁ ବାହାରିଥିବା ଏହି ଫଟୋ ପଦାକୁ ଆସିବା ପରେ ଜଣାପଡ଼ିଛି। ତେବେ ଜୋର୍ଡାନ୍ ଯାଇଥିବା ଭାରତୀୟ ମୁଷ୍ଟିଯୁଦ୍ଧ ଦଳର ସମସ୍ତ ସଦସ୍ୟଙ୍କୁ ସ୍ବେଚ୍ଛାକୃତ ସଙ୍ଗରୋଧକୁ ପଠାଇ ଦିଆଯାଇଥିବା ଭାରତୀୟ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ସାଣ୍ଟିଏଗୋ ନିଏଭା କହିଛନ୍ତି। ପୂର୍ବରୁ ଖେଳାଳିମାନଙ୍କୁ ୧୦ ଦିନ ଏକାନ୍ତବାସରେ ରହିବାକୁ କୁହାଯାଇଥିଲା। ଏବେ ଏହାକୁ ୧୪ ଦିନକୁ ବଢ଼ାଇ ଦିଆଯିବ। ଆବଶ୍ୟକ ହେଲେ ଆଉ କିଛି ଦିନ ମଧ୍ୟ ଘରେ ରହିବାକୁ କୁହାଯିବ ବୋଲି ସେ କହିଛନ୍ତି। ସେପଟେ ବିବାଦ ବଢ଼ିବା ପରେ ମେରିକମ୍ ଶନିବାର ପ୍ରେସ୍ ବିଜ୍ଞପ୍ତି ଜାରି କରି ରାଷ୍ଟ୍ରପତି ଭବନର ସଂପୃକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଜୋର୍ଡାନରୁ ଫେରିବା ପରେ ମୁଁ ଘରେ ଅଛି। କେବଳ ରାଷ୍ଟ୍ରପତି ଭବନର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ହେଲେ ମୁଁ ଦୁଷ୍ୟନ୍ତଙ୍କୁ ଭେଟି ନଥିଲି କିମ୍ବା ତାଙ୍କ ସହ ହାତ ମିଳାଇ ନଥିଲି। ଜୋର୍ଡାନରୁ ଫେରିବା ପରେ ମୋ ସ୍ବେଚ୍ଛାକୃତ ସଙ୍ଗରୋଧର ଅବଧି ସରି ସାରି ଆସୁଛି। ମୁଁ ଆଉ କେବଳ ୩ରୁ ୪ ଦିନ ଘରେ ରହିବି। ସୂଚନାଯୋଗ୍ୟ ଯେ ଏହି ଭୋଜିରେ ଯୋଗଦେଇଥିବା ରାଷ୍ଟ୍ରପତି କୋଭିନ୍ଦଙ୍କର ମଧ୍ୟ କରୋନା ପରୀକ୍ଷଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର