ପ୍ରିକ୍ବାର୍ଟରରେ ମେରିକମ୍‌

ରିପିଚେଜ୍‌ ସେମିରେ ନୌଚାଳକ ଯୋଡ଼ି

ଟୋକିଓ: ୬ ଥରର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ରବିବ‌ାର କୋକୁଗିକାନ ଏରିନାରେ ଆୟୋଜିତ ୪୮-୫୧ କେଜି ଫ୍ଲାଏୱେଟ୍‌ ମୁଷ୍ଟିଯୁଦ୍ଧ ବାଉଟ୍‌ରେ ଏହି ଭାରତୀୟ ମହିଳା ୪-୧ରେ ଡୋମିନିକାନ୍‌ ରିପବ୍ଲିକ୍‌ର ମିଗୁଏଲିନା ହର୍ନାନ୍ଦେଜ ଗାର୍ସିଆଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ୪ ସନ୍ତାନ୍ତର ଜନନୀ ଏହି ମଣିପୁର ମହିଳା ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଅଲିମ୍ପିକ୍ସରେ ଦ୍ବିତୀୟ ପଦକ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ପାନ୍‌ ଆମେରିକା କ୍ରୀଡ଼ା କାଂସ୍ୟ ବିଜୟିନୀ ଗାର୍ସିଆ ମେରିକମ୍‌ (୩୮ ବର୍ଷ)ଙ୍କଠୁ ୧୫ ବର୍ଷ ସାନ। ୨୦୧୨ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ମେରିକମ୍‌ ପ୍ରିକ୍ବାର୍ଟର ଫାଇନାଲ୍‌ରେ ୨୦୧୬ ରିଓ କାଂସ୍ୟ ବିଜୟିନୀ ତୃତୀୟ ମାନ୍ୟତାପ୍ରାପ୍ତ କଲମ୍ବିଆର ଇଙ୍ଗ୍ରିଟ ଭାଲେନସିଆଙ୍କୁ ଭେଟିବେ। ପୁରୁଷ ୫୭-୬୩ କେଜି ବର୍ଗରେ ମନୀଷ କୌଶିକ ଆଗକୁ ବଢ଼ି ପାରିନାହାନ୍ତି। ରାଉଣ୍ଡ ୩୨ରେ ସେ ୧-୪ରେ ଗ୍ରେଟ୍‌ ବ୍ରିଟେନ୍‌ର ଲୁକ୍‌ ମ୍ୟାକ୍‌କୋର୍ମାକଙ୍କଠୁ ହାରି ବିଦାୟ ନେଇଛନ୍ତି।
ଜିତିଲେ ମନିକା, ହାରିଲେ ସାଥୀୟାନ
ଚଳିତ ଅଲିମ୍ପିକ୍ସ‌ ଟେବୁଲ ଟେନିସ (ଟିଟି)ରେ ଭାରତକୁ ରବିବାର ମିଶ୍ର ଫଳ ମିଳିଛି। ମହିଳା ତାରକା ମନିକା ବାତ୍ରା ବିଜୟ ଧାରା ଜାରି ରଖିଥିଲା ବେଳେ ଜି ସାଥୀୟାନ୍‌ ବିଦାୟ ନେଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ୬୨ ମାନ୍ୟତାପ୍ରାପ୍ତ ମନିକା ନିଜଠୁ ଉଚ୍ଚରେ ଥିବା ୩୨ ମାନ୍ୟତାପ୍ରାପ୍ତ ମାର୍ଗାରିଟା ପେସୋସ୍କାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ମ୍ୟାଚ୍‌ ଆରମ୍ଭରୁ ପଛୁଆ ଥିବା ମନିକା ପ୍ରତ୍ୟାବର୍ତ୍ତନ କରି ୪-୩‌ (୪-୧୧, ୪-୧୧, ୧୧-୭, ୧୨-୧୦, ୮-୧୧, ୧୧-୫, ୧୧-୭) ସେଟ୍‌ରେ ଏହି ୟୁକ୍ରେନ୍‌ ତାରକାଙ୍କୁ ମାତ୍‌ ଦେଇ ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ। ଏହି ମ୍ୟାଚ୍‌ ୫୭ ମିନିଟ୍‌‌ ଧରି ଚାଲିଥିଲା। ତୃତୀୟ ରାଉଣ୍ଡରେ ମନିକ‌ା ଅଷ୍ଟ୍ରିଆର ସୋଫିଆ ପୋଲ୍‌କାନୋଭାଙ୍କୁ ଭେଟିବେ।
ତେବେ ପୂରୁଷ ଏକକରେ ସାଥୀୟାନ୍‌ ନିଜଠୁ କମ୍‌ ମାନ୍ୟତାପ୍ରାପ୍ତ ଖେଳାଳି ସିଉ ହାଙ୍ଗ ଲାମ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡ ବାଇ ପାଇଥିବା ୩୮ ମାନ୍ୟତାପ୍ରାପ୍ତ ସାଥୀୟାନ୍‌ ୩-୪ (୭-୧୧, ୧୧-୭, ୧୧-୭, ୧୧-୭, ୯-୧୧, ୧୦-୧୨, ୬-୧୧) ସେଟ୍‌ରେ ୯୫ ମାନ୍ୟତାପ୍ରାପ୍ତ ହଂକଂର ଲାମ୍‌ଙ୍କଠୁ ହାରି ଯାଇଥିଲେ।
ସାନିଆ-ଅଙ୍କିତାଙ୍କ ଅଭିଯାନ ଶେଷ
ଭାରତୀୟ ଯୋଡ଼ି ସାନିଆ ମିର୍ଜା ଓ ଅଙ୍କିତା ରାଇନାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ରବିବାର ମହିଳା ଯୁଗଳ ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ୬-୦, ୬-୭, ୮-୧୦ ସେଟ୍‌ରେ ୟୁକ୍ରେନ୍‌ର ଯାଁଳା ଭଉଣୀ ନାଦିଆ ଓ ଲ୍ୟୁଦିମିଲା କିଚେନୋକଙ୍କଠୁ ହାରିଯାଇଥିଲେ। ପ୍ରଥମ ସେଟ୍‌ ସହଜରେ ଜିତିଥିବା ସାନିଆ-ଅଙ୍କିତା ଦ୍ବିତୀୟ ସେଟ୍‌ ସଂଘର୍ଷ କରିବା ପରେ ହାରିଯାଇଥିଲେ। ଶେଷରେ ଭାରତୀୟ ଯୋଡ଼ି ନକ୍‌ଆଉଟ୍‌ରେ ହାରି ବିଦ‌ାୟ ନେଇଥିଲେ।
ବନ୍ଧୁକଚାଳକଙ୍କ ନିରାଶା ଜାରି
ଚଳିତ ଅଲିମ୍ପିକ୍ସ ବନ୍ଧୁକଚାଳନରେ ଭାରତୀୟଙ୍କ ‌ନୈରାଶ୍ୟଜନକ ପ୍ରଦର୍ଶନ ଲଗାତାର ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ପ୍ରଥମ ଦିନରେ ୪ ଜଣ ବନ୍ଧୁକଚାଳକ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଥିଲେ ମଧ୍ୟ କେବଳ ଜଣେ ଫାଇନାଲ୍‌ରେ ପହଞ୍ଚିଥିଲେ। ଦ୍ବିତୀୟ ଦିନ (ରବିବାର) ୬ ଭାରତୀୟ ରେଞ୍ଜକୁ ଓହ୍ଲାଇଥିଲା ବେଳେ ୪ ଜଣ ଫାଇନାଲ୍‌ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲେ। ପୁରୁଷ ୧୦ ମିଟର ଏୟାର ରାଇଫଲ‌ ଯୋଗ୍ୟତା ପର୍ଯ୍ୟାୟରେ ଦୀପକ କୁମାର (୬୨୪.୭) ଏବଂ ଦିବ୍ୟାଂଶ ସିଂହ ପନୱାର (୬୨୨.୮) ଯଥାକ୍ରମେ ୨୬ ଓ ୩୨ତମ ସ୍ଥାନରେ ରହିଥିଲେ। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲରେ ଏକ ନମ୍ବର ମନୁ ଭାକର (୫୭୫) ଏବଂ ଦୁଇ ନମ୍ବର ଯଶସ୍ବିନୀ ଦେଶୱାଲ (୫୭୪) ଯଥାକ୍ରମେ ଦ୍ବାଦଶ ଓ ତ୍ରୟୋଦଶ ସ୍ଥାନରେ ରହି ଅଳ୍ପକେ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ।

ପୁରୁଷ ସ୍କିଟ୍‌ରେ ଅଙ୍ଗଦ ବୀର ସିଂହ ବଜୱାଙ୍କଠୁ ଆଶା ରହିଛି। ରବିବାର ପ୍ରଥମ ଦିନରେ ୩ ରାଉଣ୍ଡ ଖେଳ ହୋଇଥିଲା ବେଳେ ‌ସେ ମୋଟ ୭୫ରୁ ୭୩ ପାଇ ୧୧ତମ ସ୍ଥାନରେ ରହିଛନ୍ତି। ଅସାକା ରେଞ୍ଜ୍‌ରେ ଆୟୋଜିତ ଏହି ଇଭେଣ୍ଟ୍‌ରେ ଅଙ୍ଗଦ ୨୫, ୨୪, ୨୪ ସ୍କୋର୍‌ କରିଥିଲେ।‌ ସୋମବାର ସେ ଶେଷ ୨ ରାଉଣ୍ଡ ଖେଳାଯିବ। ‌ଏଥିରେ ଭଲ କରି ଯଦି ଶ୍ରେଷ୍ଠ ୬ରେ ରହନ୍ତି ଫାଇନାଲ୍‌ରେ ପ୍ରବେଶ କରିବେ। ଏହି ଇଭେଣ୍ଟରେ ଭାଗନେଇଥିବା ଆଉ ଜଣେ ଭାରତୀୟ ମଇରାଜ ଅହମ୍ମଦ ୭୧ ସ୍କୋର୍‌ ସହ ୩୦ ଜଣଙ୍କ ମଧ୍ୟରେ ୨୫ତମ ସ୍ଥାନରେ ରହିଛନ୍ତି। ଫଳରେ ତାଙ୍କର ଫାଇନାଲ୍‌ ପହଞ୍ଚିବା ସମ୍ଭାବନା କମ୍‌ ରହିଛି।
ଫାଇନାଲ୍‌ ପହଞ୍ଚିବାରେ ପ୍ରଣତୀ ବିଫଳ
ଏକ ମାତ୍ର ଭାରତୀୟ ଜିମ୍ନାଷ୍ଟ ଭାବେ ଅଂଶଗ୍ରହଣ କରିଥିବା ପ୍ରଣତୀ ନାୟକ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଅଲ୍‌ରାଉଣ୍ଡ ଫାଇନାଲ୍‌ରେ ପହଞ୍ଚିବ‌ାରେ ବିଫଳ ହୋଇଛନ୍ତି। ୨୬ ବର୍ଷୀୟ ଏହି ପଶ୍ଚିମବଙ୍ଗ ଝିଅ ୪ ବର୍ଗ (ପ୍ଲୋର ଏକ୍ସରସାଇଜ୍‌-୧୦.୬୩୩, ଭଲ୍‌ଟ-୧୩.୪୬୬, ଅନ୍‌ଇଭେନ୍‌ ବାର୍‌ସ-୯.୦୩୩ ଓ ବାଲାନ୍ସ ବିମ୍‌-୯.୪୩୩)ରେ ମୋଟ ୪୨.୫୬୫ ପଏଣ୍ଟ ପାଇଥିଲେ। ମୋଟ ଉପରେ ସେ ୨୯ତମ ସ୍ଥାନରେ ରହିଥିଲେ। ‌ଶୀର୍ଷ ୨୪ରେ ଥିବା ଜିମ୍ନାଷ୍ଟମାନେ ଫାଇନାଲ୍‌ରେ ଖେଳିବେ। ଏଥିସହ ପ୍ରତିବର୍ଗର ଶ୍ରେଷ୍ଠ ୮ ଜଣ ମଧ୍ୟ ସେହିବର୍ଗର ଫାଇନାଲ୍‌ ଖେଳିବେ।
ସେମି ପୂର୍ବରୁ ମାନା, ଶ୍ରୀହରି ବିଦା
ଦୁଇ ଭାରତୀୟ ସନ୍ତରଣକାରୀ ମାନା ପଟେଲ ଏବଂ ଶ୍ରୀହରି ନଟରାଜନ ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛନ୍ତି। ମହିଳା ୧୦୦ ମିଟର ବ୍ୟାକ୍‌‌ଷ୍ଟ୍ରୋକ୍‌ ହିଟ୍‌-୧ରେ ୨୦ ବର୍ଷୀୟା ମାନା (୫୩.୭୭ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥିଲେ। ହେଲେ ମୋଟ ଉପରେ ୩୯ତମ ସ୍ଥାନରେ ରହି ସେମିଫାଇନାଲ୍‌ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲେ। ସେହିପରି ପୁରୁଷ ଏକକ ହିଟ୍‌-୩ରେ ପହଁରୁଥିବା ଶ୍ରୀହରି (୫୪.୩୧ ସେକେଣ୍ଡ) ଷଷ୍ଠରେ ଏବଂ ମାଟ ଉପରେ ୨୭ତମ ସ୍ଥାନରେ ରହି ସେମିଫାଇନାଲ୍‌ ଟିକେଟ୍ ହାତେଇ ପାରିନଥିଲେ। ଉଭୟ ଚଳିତ ଅଲିମ୍ପିକ୍ସରେ ନିଜ ନିଜର ଶ୍ରେ‌ଷ୍ଠ ସମୟ ମଧ୍ୟ ଦେବାରେ ବିଫଳ ହୋଇଥିଲେ।

ଭାରତୀୟ ନୌଚାଳକ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହ ରବିବ‌‌ାର ପୁରୁଷ ଲାଇଟ୍‌‌ୱେଟ୍‌ ଡବଲ୍‌ ସ୍କଲ୍ସ ରି‌ପିଚେଜ୍‌ ‌ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସି ଫରେଷ୍ଟ ୱ‌ାଟର‌ୱେରେ ଏହି ଭାରତୀୟ ଯୋଡ଼ି ୬:୫୧.୩୬ ସେକେଣ୍ଡରେ ରେସ୍‌ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୋଲାଣ୍ଡର ‌ଜର୍ଜି କୋୱାଲ୍‌ସ୍କି ଓ ଅର୍ତୁର ମି‌କୋଲାଜସେୱସ୍କି ୬:୪୩.୪୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ତାଙ୍କ ପଛକୁ ସ୍ପେନ୍‌ର କାତାନୋ ହୋର୍ତା ପୋମ୍ବୋ ଓ ମାନେଲ ବାଲାଷ୍ଟେଗୁଇ (୬:୪୫.୭୧) ଦ୍ବିତୀୟରେ ରହିଥିଲେ। ସେମିଫାଇନାଲ୍‌ ୨୭ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର