ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ନିଜର କମାଲ ଦେଖାଇଛନ୍ତି ୬ ଥର ବିଶ୍ବ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରି କମ୍ | ଆଜିର ଉଦଘାଟନୀ ରାଉଣ୍ଡରେ ସେ ନିଜ ଠାରୁ ୧୫ବର୍ଷ ସାନ ଡୋମିନିକାନ୍ ରିପବ୍ଲିକର ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ କଡ଼ା ଟକ୍କର ଦେଇ ଅଲିମ୍ପିକ୍ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୨ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିବା ୩୮ ବର୍ଷୀୟା ମେରି କମ୍, ୧୫ ବର୍ଷ ସାନ ଏବଂ ପାନ୍ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜୟିନୀ ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି |
ରାଉଣ୍ଡ ୩୨ମ୍ୟାଚ୍ ଜିତିବା ପରେ ମେରି କମଙ୍କ ପରବର୍ତ୍ତୀ ମ୍ୟାଚ୍ ଜୁଲାଇ ୨୯ରେ ହେବ | ସେ କଲମ୍ବିଆର ୨୦୧୬ ରିଓ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟିନୀ ଭାଲେନ୍ସିଆ ଭିକ୍ଟୋରିଆଙ୍କୁ କଡ଼ା ଟକ୍କର ଦେବେ | ତେବେ ଆଜି ମେରି କମଙ୍କ ସହ ଭାରତକୁ ଗର୍ବିତ କରାଇଛନ୍ତି ରିଓ ଅଲିମ୍ପିକ୍ସ୍ ରୌପ୍ୟ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପି ଭି ସିନ୍ଧୁ | ପ୍ରଥମ ମ୍ୟାଚ୍ରେ ଇଜ୍ରାଏଲ୍ର ଜିନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଛନ୍ତି।
ଏହା ସହ ଭାରତର ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରାଙ୍କ ମଧ୍ୟ ଜବରଦସ୍ତ ପ୍ରଦର୍ଶନ । ଓମେନ ସିଙ୍ଗିଲ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କଡ଼ା ମୁକାବିଲାରେ ସେ ୟୁକ୍ରେନର ମାର୍ଗାରିଟା ପେସୋଟସ୍କାଙ୍କୁ ୪-୩ରେ ହରାଇଛନ୍ତି । ମୋନିକା ମାର୍ଗାରିଟା ପେସୋଟସ୍କାଙ୍କୁ ୪-୧୧, ୪-୧୧, ୧୧-୦୭, ୧୨-୧୦, ୮-୧୧, ୧୧-୧୫ ଓ ୧୧-୧୭ରେ ହରାଇ ବିଜୟୀ ହୋଇଛନ୍ତି । ପଞ୍ଚମ ଗେମ୍ ପର୍ଯ୍ୟନ୍ତ କଡ଼ା ମୁକବିଲା ଦେଖିବାକୁ ମିଳିଥିଲା । ହେଲେ ଷଷ୍ଠ ରାଉଣ୍ଡରେ ବିଜୟୀ ହୋଇଥିଲେ ମୋନିକା।
ତେବେ ୧୦ ମିଟର୍ ମହିଳା ଏୟାର୍ ପିସ୍ତଲ୍ ଫାଇନାଲ୍କୁ ଯିବାରେ ସୁଟର୍ ମନୁ ଭାକର ଏବଂ ଯଶ୍ବସ୍ବିନୀ ସିଂହ ଯୋଗ୍ୟତା ହାସଲ କରି ନ ପାରିବାରୁ ଭାରତ ପାଇଁ ଆଜିର ପ୍ରାରମ୍ଭ ନୈରାଶ୍ୟଜନକ ହୋଇପଡ଼ିଥିଲା। ପିସ୍ତଲ୍ରେ ତ୍ରୁଟି ଦେଖା ଦେବାରୁ ଭାକରଙ୍କୁ ୫ ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ତିମ ଦୁଇ ରାଉଣ୍ଡ୍ରେ ସେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ବି ଶେଷ ସଟ୍ରେ ୮ରେ ଅଟକି ଯିବାରୁ ଫାଇନାଲ୍ରେ ପ୍ରବେଶ କରିବାରୁ ବଞ୍ଚିତା ହୋଇଥିଲେ।
ସେହିଭଳି, ଲାଇଟ୍ୱେଟ୍ ମେନ୍ସ୍ ଡବଲ୍ ସ୍କଲ୍ସ୍ ରୋୱିଙ୍ଗ୍ ରିପିଚେଜ୍ରେ ଭାରତୀୟ ଯୋଡ଼ି ଅରବିନ୍ଦ ସିଂହ ଏବଂ ଅର୍ଜୁନ ଜାଟ୍ ୩ ସ୍ଥାନରେ ରହି ସେମି ଫାଇନାଲ୍କୁ (ଏ/ବି) ଉତ୍ତୀର୍ଣ୍ଣ ହୋଇଛନ୍ତି।