ଟୋକିଓ : ଭାରତ ପାଇଁ ପଦକ ବିଜୟର ସମ୍ଭାବନା ରଖିଥିବା ୬ ଥର ବିଶ୍ବ ବିଜୟିନୀ ମେରିକମ୍ କିନ୍ତୁ ଗୁରୁବାର ୧୪୦ କୋଟି ଦେଶବାସୀଙ୍କୁ ନିରାଶ କରିଥିଲେ। ବିବାଦୀୟ ଢ଼ଙ୍ଗରେ ସେ ବିବାରକଙ୍କ ପକ୍ଷପାତ ନିଷ୍ପତ୍ତିର ଶିକାର ହୋଇ ପ୍ରିକ୍ବାର୍ଟରଫାଇନାଲରୁ ହାରିଯାଇଥିଲେ। ମହିଳା ୫୧ କେଜି ବର୍ଗରେ ଲଢ଼ୁଥିବା ମେରିକମ୍ ପ୍ରିକ୍ବାର୍ଟର ଫାଇନାଲ୍ରେ ୨୦୧୬ ରିଓ କାଂସ୍ୟ ବିଜୟିନୀ ଇନ୍ଗ୍ରିଟ୍ ଭାଲେନସିଆଙ୍କଠୁ ହାରି ବିଦାୟ ନେଇଥିଲେ। କଲିମ୍ବିଆର ଭାଲେନ୍ସିଆ ୩-୨ରେ ୩୮ ବର୍ଷୀୟା ଏହି କିଂବଦନ୍ତି ମଣିପୁର ମହିଳାଙ୍କୁ ପରାସ୍ତ କରିଥିଲେ। ମେରିକମ୍ ବିପକ୍ଷରେ ଭାଲେନ୍ସିଆଙ୍କ ଏହା ପ୍ରଥମ ବିଜୟ।
ଟୋକିଓ : ଟୋକିଓ ଅଲିମ୍ପିକ୍ସ ପ୍ରି-କ୍ବାର୍ଟରଫାଇନାଲ୍ରୁ ବିଦାୟ ନେବା ପରେ ୬ ଥର ବିଶ୍ବ ବିଜୟିନୀ ଭାରତୀୟ ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ ପରାଜୟକୁ ବିଶ୍ବାସ କରିପାରୁନାହାନ୍ତି। ବରଂ ବିଚାରକମାନଙ୍କ ଦୁର୍ବଳ ନିଷ୍ପତ୍ତି କାରଣରୁ ଏଭଳି ଘଟିଲା ବୋଲି ଅଭିଯୋଗ ମଧ୍ୟ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ର ବକ୍ସିଂ ଟ୍ୟାକ୍ସ ଫୋର୍ସକୁ ଦୋଷ ଦେଇ ମେରିକମ୍ କହିଛନ୍ତି ନିଷ୍ପତ୍ତିରୁ ମୁଁ କିଛି ଜାଣିପାରୁନି କି ବୁଝିପାରୁନି।
ସୂଚନାଯୋଗ୍ୟ, କୁପରିଚାଳନା ଓ ଆର୍ଥିକ ଗଡ଼ବଡ଼ କାରଣରୁ ଅନ୍ତର୍ଜାତୀୟ ମୁଷ୍ଟଯୁଦ୍ଧ ସଂଘ (ଏଆଇବିଏ)କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ (ଆଇଓସି) ନିଲମ୍ବିତ କରିବା ପରେ ବକ୍ସିଂ ଟ୍ୟାକ୍ସ ଫୋର୍ସ ଏହି ଖେଳକୁ ପରିଚାଳନା କରୁଛି। କଲମ୍ବିଆ ମୁଷ୍ଟିଯୋଦ୍ଧା ଇନଗ୍ରିଟ୍ ଭାଲେନସିଆଙ୍କ ନିକଟରୁ ୨-୩ରେ ହାରିଯିବା ପରେ ୩୮ ବର୍ଷୀୟା ମେରିକମ୍ କହିଥିଲେ, ‘ମୁଁ ବି ଟ୍ୟାକ୍ସ ଫୋର୍ସର ଜଣେ ସଦସ୍ୟା। ସ୍ବଚ୍ଛ ପ୍ରତିଯୋଗିତା କରିବାକୁ ମୁଁ ସେମାନଙ୍କୁ ପରାମର୍ଶ ଓ ସମର୍ଥନ ଦେଇଆସିଛି। କିନ୍ତୁ ସେମାନେ ମୋ ପାଇଁ କ’ଣ କଲେ’। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ମେରିକମ୍ ଦ୍ବିତୀୟ ଅଲିମ୍ପିକ୍ସ ପଦକରୁ ବଞ୍ଚିତ ହେବା ପରେ ଏଭଳି ଅଭିଯୋଗ ଆଣିଛନ୍ତି। ‘ମୁଁ ରିଙ୍ଗ୍ ଭିତର ପ୍ରଦର୍ଶନକୁ ନେଇ ଖୁସି ଥିଲି। ମୁଁ ଜିତିବା ନିଶ୍ଚିତ ଥିବାରୁ ହିଁ ଖୁସି ଥିଲି। ଡୋପ୍ ଟେଷ୍ଟ୍ ଦେବା ପର୍ଯ୍ୟନ୍ତ ମଧ୍ୟ ମୁଁ ଖୁସି ରହିଥିଲି। ସାମାଜିକ ଗଣମାଧ୍ୟମକୁ ଦେଖିବା ସହ ମୋ ପ୍ରଶିକ୍ଷକ (ଛୋଟେ ଲାଲ୍ ଯାଦବ) ବାରମ୍ବାର ମନେ ପକାଇବା ପରେ ମୁଁ ଦୁଃଖରେ ବୁଡ଼ିଯାଇଥିଲି।’ ବୋଲି କହିଥିଲେ ଏହି ମଣିପୁରୀ ସୁପର୍ ମମ୍। ମୁଁ ସେ ଯୁବତୀଙ୍କୁ ପୂର୍ବରୁ ଦୁଇ ଥର ହରାଇଥିଲି। ତାଙ୍କ ହାତକୁ ରେଫରି ଉପରକୁ ଉଠାଇବାକୁ ମୁଁ ଏବେ ବି ବିଶ୍ବାସ କରିପାରୁନି। ମୁଁ ନିଶ୍ଚିତ ଯେ ମୁଁ ହାରିନାହିଁ।
ପ୍ରଥମ ରାଉଣ୍ଡରେ ମେରିକମ୍ ୧-୪ରେ ପଛୁଆ ଥିଲେ। ୫ ଜଣ ବିଚାରକଙ୍କ ମଧ୍ୟରୁ ୪ ଜଣ ଭାଲେନସିଆଙ୍କ ସପକ୍ଷରେ ଯିବାରୁ ସେ ୧୦-୯ରେ ଆଗୁଆ ହୋଇଥିଲେ। ପରବର୍ତୀ ଦୁଇ ରାଉଣ୍ଡରେ ମେରି କମ୍ଙ୍କ ସପକ୍ଷରେ ୫ ଜଣରୁ ୩ ଜଣଙ୍କ ସମର୍ଥନ ମିଳିଥିଲେ ମଧ୍ୟ ଓଭରଅଲ୍ ସ୍କୋର୍ ଲାଇନ୍ ଭାଲେନସିଆଙ୍କ ସପକ୍ଷରେ ଯାଇଥିଲା। ଶେଷ ରାଉଣ୍ଡରେ ମେରିକମଙ୍କୁ ୪-୧ ବିଜୟ ଆବଶ୍ୟକ ଥିଲା। ମୁଁ ଦ୍ବିତୀୟ ରାଉଣ୍ଡକୁ ସର୍ବସମ୍ମତିକ୍ରମେ ଜିତିବାର ଥିଲା। ଏହା କିଭଳି ୩-୨ ହେବ? ବୋଲି ମେରିକମ୍ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍ସ ମୁଷ୍ଟିଯୁଦ୍ଧ ଇଭେଣ୍ଟରେ ଏଭଳି ତ୍ରୁଟିପୂର୍ଣ୍ଣ ବିଚାର ପାଇଁ ୩୬ ଅଫିସିଆଲ ନିଲମ୍ବିତ ହୋଇଥିଲେ। ଏଥର ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ ନିଲମ୍ବିତ ଥିବାରୁ ବକ୍ସିଂ ଟ୍ୟାକ୍ସ ଫୋର୍ସ ଏହି ଖେଳକୁ ପରିଚାଳନା କରିବାର ସୁଯୋଗ ପାଇଛି। ୧୦ ଜଣିଆ ଆମ୍ବାସାଡର୍ ଗ୍ରୁପ୍ରେ ମେରିକମ୍ ନିଜେ ରହିଛନ୍ତି, ଏସୀୟ ବ୍ଲକ୍ର ପ୍ରତିଧିତ୍ବ କରୁଛନ୍ତି।