ମେରିକମ୍‌ ନେଲେ ପଦ୍ମବିଭୂଷଣ, ସିନ୍ଧୁ ପଦ୍ମଭୂଷଣ

ରିଜିଜୁଙ୍କୁ ରୢାକେଟ୍‌ ଉପହାର ଦେଲେ ସିନ୍ଧୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ପିଭି ସିନ୍ଧୁ ‌‌ସୋମବାର ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ଗ୍ରହଣ କରିଛନ୍ତି। ତାଙ୍କ ସହ ଏମ୍‌ସି ମେରିକମ୍‌ଙ୍କୁ ପଦ୍ମ ବିଭୂଷଣ ମିଳିଥିଲା ବେଳେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ, ମହିଳା ଫୁଟ୍‌ବଲର୍‌ ବେମବେମ ଦେବୀ ଏବଂ ତୀରନ୍ଦାଜ ତରୁଣଦୀପ ରାୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିଦ ଏହି ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଦୁଇଥରର ଏହି ଅଲିମ୍ପିକ୍ ପଦକ ବିଜେତା ୨୦୧୫ରେ ପଦ୍ମଶ୍ରୀ ସମ୍ମାନୀତ ‌ହୋଇଥିଲେ। ୨୦୧୬ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ପୁରସ୍କାର ପାଇଥିଲେ। ୨୦୨୦ ଅଲିମ୍ପିକ୍‌ ପୂର୍ବରୁ ସିନ୍ଧୁ ୨୦୧୬ରେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୯ ଏସୀୟ କ୍ରୀଡ଼ାରେ ପଦକ ଜିତିଥିଲେ। ଏଥିସହ ସିନ୍ଧୁ ମଧ୍ୟ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ବିଶ୍ବ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି।

ରିଜିଜୁଙ୍କୁ ରୢାକେଟ୍‌ ଉପହାର ଦେଲେ ସିନ୍ଧୁ
‌ସୋମବାର ପଦ୍ମଭୂଷଣ ଗ୍ରହଣ କରିବା ପରେ ସିନ୍ଧୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଭେଟିଥିଲେ। ଏହି ସୌଜନମୂଳକ ସାକ୍ଷାତକାର ଅବସରରେ ସେ ମନ୍ତ୍ରୀଙ୍କୁ ଏକ ଉନ୍ନତ ଧରଣର ବ୍ୟାଡମିଣ୍ଟନ୍‌ ରୢାକେଟ୍‌ ଉପହାର ଦେଇଥିଲେ। ଏଥିସହ ସେ ମନ୍ତ୍ରୀଙ୍କୁ କିପରି ରୢାକେଟ ଧରାଯିବ ତାହା ମଧ୍ୟ ଶିଖାଇଥିଲେ। ଏହି ଭିଡିଓକୁ ମନ୍ତ୍ରୀ ରିଜିଜୁ ନିଜ ଟ୍ବିଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରେନାମାରେ ରିଜିଜୁ ଲେଖିଛନ୍ତି ଯେ ‘‘କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଁ ସିନ୍ଧୁଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ଦେଶର କ୍ରୀଡ଼ାରେ ତାଙ୍କ ଯୋଗଦାନ ପାଇଁ ସେ ଏଭଳି ସମ୍ମାନ ସମ୍ମାନିତ ହୋଇଛନ୍ତି। ଅଭିନନ୍ଦନ!! ତୁମର ଉନ୍ନତମାନର ରୢାକେଟ୍‌ ଉପହାର ଏବଂ କିଭଳି ଧରାଯିବ ତାହା ଶିଖାଇଥିବାରୁ ଧନ୍ୟବାଦ ସିନ୍ଧୁ’’।

ସମ୍ବନ୍ଧିତ ଖବର