ଚିଫ୍ ଡି ମିସନ୍‌ ପଦରୁ ମେରିଙ୍କ ଇସ୍ତଫା: ନିଯୁକ୍ତିର ତିନି ସପ୍ତାହ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଗଲେ

ନିଯୁକ୍ତିର ତିନି ସପ୍ତାହ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଗଲେ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍ ଡି ମିସନ୍ ନିଯୁକ୍ତ ହେବାର ୩ ସପ୍ତାହ ପରେ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଏହି ଲଣ୍ଡନ୍ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ। ମେରି କମ୍‌ଙ୍କ ଇସ୍ତଫା ସମ୍ପର୍କରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାନେତ୍ରୀ ପିଟି ଉଷା ଘୋଷଣା କରିଛନ୍ତି। ୪୧ ବର୍ଷୀୟା ମେରି କମ୍ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ‘ଦେଶ ପାଇଁ ‌‌ଯେ କୌଣସି ଭାବେ ‌ସେବା କରିବାକୁ ମୁଁ ଏକ ସମ୍ମାନ ବି‌ବେଚନା କରେ, ଏଥି ପାଇଁ ମୁଁ ମାନସିକ ଭାବେ ପ୍ରସ୍ତୁତ ଥିଲି। କିନ୍ତୁ ବ୍ୟକ୍ତିଗତ କାରଣରୁ ଏଭଳି ଏକ ମର୍ଯ୍ୟାଦାଜନକ ଦାୟିତ୍ବରୁ ଓହରିଯାଉଥିବାରୁ ଅନୁତପ୍ତ। ଏକ ସଙ୍କଳ୍ପରୁ ଓହରିଯିବା ଲଜ୍ଜାଜନକ ପରିସ୍ଥିତି ଆଣିଛି, ଯାହାକି ମୁଁ ଖୁବ୍ କ୍ବଚିତ କରିଥାଏ। କିନ୍ତୁ ମୋ ପାଖରେ କୌଣସି ବିକଳ୍ପ ନଥିଲା। ପ୍ୟାରିସ୍‌ରେ ମୁଁ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବି, ବହୁ ଆଶା ବି ରଖିବି’। ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ ଆଇଓଏ ମେରି କମ୍‌ଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳ ଚିଫ୍ ଡି ମିସନ୍ ନିଯୁକ୍ତ କରିଥିଲା। ଉପଯୁକ୍ତ ପରାମର୍ଶ କରିବା ପରେ ମୁଁ ତାଙ୍କ ବିକଳ୍ପ ଘୋଷଣା କରିବି ବୋଲି ପିଟି ଉଷା ପ୍ରକାଶ କରିଛନ୍ତି।

ଇସ୍ତଫାପତ୍ର ପାଇବା ପରେ ମୁଁ ମେରି କମ୍‌ଙ୍କ ସହ କଥା ହୋଇଥିଲି ଏବଂ ତାଙ୍କୁ ମୋ ସମର୍ଥନ ଜାରି ରହିବ ବୋଲି କହିଛି। ମେରି କମ୍‌ଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ମଧ୍ୟ ଉଷା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏକାଧିକ ଥର ଏସୀୟ ବିଜୟିନୀ ମେରି କମ୍‌ ୨୦୧୦ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିଲେ। ୬ ଥର ବିଶ୍ବ ବିଜୟିନୀ ହେବା ସହ ୨୦୧୨ରେ ଲଣ୍ଡନ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଶିଖର ଛୁଇଁଥିଲେ। ମେରି କମ୍‌ଙ୍କ ବ୍ୟତୀତ ଆଇଓଏ ମଧ୍ୟ ୬ ଥର ଶୀତକାଳୀନ ଅଲିମ୍ପିଆନ୍‌ ଶିବ କେଶବନଙ୍କୁ ସହକାରୀ ଚିଫ୍ ଡି ମିସନ୍‌ ଏବଂ ଟେବୁଲ୍ ଟେନିସ୍ କିଂବଦନ୍ତି ଶରଥ କମଲଙ୍କୁ ଭାରତୀୟ ପୁରୁଷ ଦଳର ପତାକାଧାରୀ ନିଯୁକ୍ତ କରିଛି। ପ୍ୟାରିସ୍ ଟିକେଟ୍ ଅର୍ଜନ ପ୍ରକ୍ରିୟା ଶେଷ ହୋଇ ନଥିବାରୁ ମହିଳା ଦଳ ପତାକାଧାରୀ ମନୋନୟନ କରାଯାଇନାହିଁ। ପ୍ୟାରିସ୍ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ଏ ପର୍ଯ୍ୟନ୍ତ ୪୦ ଜଣ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ୩ ବର୍ଷ ତଳେ ଟୋକିଓରେ ଭାରତୀୟମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ଜିତିଥିବାରୁ ଏଥର ଉନ୍ନତ ପ୍ରଦର୍ଶନ କରିବା ଆଶା ରହିଛି।

ସମ୍ବନ୍ଧିତ ଖବର