ଲଣ୍ଡନ: ୨୦୧୩ ୱିମ୍ବଲଡନ୍ ବିଜୟ ବେଳେ ଇଂଲଣ୍ଡ ଟେନିସ୍ ତାରକା ଆଣ୍ଡି ମରେ ପିନ୍ଧିଥିବା ସାର୍ଟ ଭାଗ୍ୟବାନ ପ୍ରଶଂସକଙ୍କ ପାଖରେ ଖୁବ୍ଶୀଘ୍ର ଦେଖିବାକୁ ମିଳିବ। ୩୮ ବର୍ଷୀୟ ମରେ ୱିମ୍ବଲଡନ୍ରେ ୩ ଥର ବିଜେତା ହୋଇଛନ୍ତି। ହେଲେ ୨୦୧୩ ଫାଇନାଲ୍ ତାଙ୍କ ପାଇଁ ସବୁଠୁ ସ୍ମରଣୀୟ ହୋଇରହିବ। ଏହି ଫାଇନାଲ୍ରେ ସେ ନୋଭାକ ଜୋକୋଭିକ୍ଙ୍କୁ ପରାସ୍ତ କରି ୭୭ ବର୍ଷ ପରେ ଗ୍ରାସ୍କୋର୍ଟରେ ବ୍ରିଟେନ୍ର ପ୍ରଥମ ପୁରୁଷ ଖେଳାଳି ଭାବେ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଉକ୍ତ ମ୍ୟାଚ୍ରେ ପିନ୍ଧିଥିବା ୩ଟି ଆଦିଦାସ ସାର୍ଟ ମଧ୍ୟରୁ ଗୋଟିଏକୁ ଏଜ୍ ଅଫ୍ ଟେନିସ ସହ ମିଶି ଗ୍ରାହାମ ବଡ୍ ଅକ୍ସନ୍ ଜୁଲାଇ ୧୩ରେ ନିଲାମ କରିବ।
ମରେଙ୍କ ସ୍ବାକ୍ଷର ଥିବା ଏହି ସାର୍ଟର ନିଲାମ ମୂଲ୍ୟ ୮୦୦୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୯,୩୨,୦୦୦ ଟଙ୍କା) ରହିଛି। ଏଥସହ ତାଙ୍କ କ୍ୟାପ୍ର ନିଲାମ ମୂଲ୍ୟ ୩୫୦୦ ପାଉଣ୍ଡ (୪,୦୮,୦୦୦ ଟଙ୍କା) ରଖାଯାଇଛି। ମରେଙ୍କ ସାର୍ଟ ଓ କ୍ୟାପ୍ ସହ ୨୦୧୦ରେ ଜନ୍ ଇଜ୍ନର ଓ ନିକୋଲାସ ମାହୁତଙ୍କ ମଧ୍ୟରେ ହୋଇଥିବା ସବୁଠୁ ଦୀର୍ଘତମ ମ୍ୟାଚ୍ର ନେଟ୍ ମଧ୍ୟ ନିଲାମ ହେବ। ଏହି ମ୍ୟାଚ୍ ୩ ଦିନରେ ୧୧ ଘଣ୍ଟା ୫ ମିନିଟ୍ ଖେଳାଯାଇଥିଲା। ୩ ତାରକା ଖେଳାଳି ରାଫେଲ ନାଦାଲ, ରୋଜର ଫେଡ଼େରର, ଜୋକୋଭିକ୍ ଓ ମରେଙ୍କ ଅଟୋଗ୍ରାଫ୍ ଥିବା ୱିମ୍ବଲଡନ୍ ବଲ୍ ମଧ୍ୟ ୩୦୦ରୁ ୫୦୦ ପାଉଣ୍ଡ (୪୦ରୁ ୬୦ ହଜାର ଟଙ୍କା)ରେ ନିଲାମ ହେବ।