ମାଷ୍ଟର ବ୍ଲାଷ୍ଟରରୁ ମାଷ୍ଟର ସେଫ୍

ମୁମ୍ବାଇ: କ୍ରିକେଟ୍ ପଡ଼ିଆରେ ରେକର୍ଡର ପାହାଡ଼ ସୃଷ୍ଟି କରି ସମସ୍ତଙ୍କ ମନ ଜିତି ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ରୋଷେଇଶାଳାରେ ଅଧିକ ସମୟ କଟାଉଛନ୍ତି। ନିଜର ଏହି କଳାକୁ ପ୍ରତିଦିନ ଶାଣିତ କରୁଛନ୍ତି। କହିବାକୁ ଗଲେ ମାଷ୍ଟର ସେଫ୍ ହେବା ଲାଗି ଚେଷ୍ଟା ଚଳାଇଛନ୍ତି ସେ। ଶନିବାର ମୁମ୍ବାଇସ୍ଥିତ ନିଜ ବାସଭବନର ରୋଷେଇଶାଳାରେ ରୋଷେଇ କରୁଥିବାର ଭିଡିଓ ସଚିନ ଇନଷ୍ଟାଗ୍ରାମରେ ପକାଇବା ପରେ ଏହା ଭାଇରାଲ ହୋଇଛି। ବନ୍ଧୁଙ୍କ ପାଇଁ ରୋଷେଇ କରୁଥିବା ସଚିନ ଏହି ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି। ତେବେ ସେ କେଉଁ ଡିସ୍ ତିଆରି କରୁଛନ୍ତି ସେ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ତେବେ ପ୍ରଶଂସକ ସଚିନଙ୍କର ଏହି ନୂଆ ଅବତାରକୁ ବେଶ୍ ପସନ୍ଦ କରୁଛନ୍ତି। ସେ ମହାନତମ ବୋଲି ଲେଖୁଛନ୍ତି। ସତ କଥା ହେଲା ସଚିନ ଗୋଟିଏ ନୁହେଁ ଦୁଇଟି ଭିଡିଓ ଛାଡ଼ିଛନ୍ତି। ଆପଣଙ୍କ ରୋଷେଇବାଲାକୁ ସ୍ବାଗତ କରନ୍ତୁ, କ’ଣ ରାନ୍ଧୁଛି ମୁଁ ନିଜେ ଜାଣିନି ବୋଲି ପ୍ରଥମ ଭିଡିଓ ତଳେ ଲେଖିଥିଲେ ସେ। କିଛି ସମୟ ପରେ ପକାଇଥିବା ଦ୍ବିତୀୟ ଭିଡିଓରେ ବହୁତ ଟେଷ୍ଟି, ଖୁବଶୀଘ୍ର ଏହା ପେଟ ଭିତରକୁ ଯିବ ବୋଲି ଲେଖିଥିଲେ ଭାରତୀୟ କ୍ରିକେଟ୍‌ର ଏହି ଅନ୍ୟତମ କିଂବଦନ୍ତି ତାରକା।

ସମ୍ବନ୍ଧିତ ଖବର