ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ମାଷ୍ଟର୍ସ କପ୍‌ ହକିରେ ଓଡ଼ିଶା ମହିଳା ଦଳ ବିଜେତା ହୋଇଥିଲା ବେଳେ ପୁରୁଷ ଦଳ ଚତୁର୍ଥ ସ୍ଥାନରେ ପଦକରୁ ବଞ୍ଚିତ ହୋଇଛି। ମହିଳା ଫାଇନାଲ୍‌ରେ ଓଡ଼ିଶା ୧-୦ ଗୋଲ୍‌ରେ ପଞ୍ଜାବକୁ ହରାଇଛି। କଡ଼ାସଂଘର୍ଷ ପୂର୍ଣ୍ଣ ଫାଇନାଲ୍‌ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୩୪ତମ ମିନିଟ୍‌ରେ ଓଡ଼ିଶାକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ରଞ୍ଜିତା ବେକ୍‌ ଗୋଲ୍‌ରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହା ପରେ ଦଳ ରକ୍ଷଣାତ୍ମକ ଖେଳି ବିପକ୍ଷ ଦଳକୁ ସୁଯୋଗ ଦେଇ ନଥିଲା। ଶେଷ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେ‌ଷ ହେବାରୁ ଓଡ଼ିଶା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ତୃତୀୟ ସ୍ଥାନ ମୁକାବିଲାରେ ହରିୟାଣା ୪-୩ ଗୋଲ୍‌ରେ ତାମିଲନାଡ଼ୁକୁ ହରାଇ କାଂସ୍ୟ ଜିତିଥିଲା।

Advertisment

ପୁରୁଷରେ ତାମିଲନାଡ଼ୁ ବିଜେତା ହୋଇଥିଲା ବେଳେ ଓଡ଼ିଶା ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ଶୁକ୍ରବାର ଫାଇନାଲ୍‌ରେ ତାମିଲନାଡ଼ୁ ୫-୦ ଗୋଲ୍‌ରେ ମହାରାଷ୍ଟ୍ରକୁ ମାତ୍‌ ଦେଇଥିଲା। ତାମିଲନାଡ଼ୁର ଡି ମୁଥୁସେଲଭାନ (୩୦ ମିନିଟ୍‌), ଏସ୍‌ ସୁଦର୍ଶନ (୩୪ ମିନିଟ୍‌), ଗୋଥାମନ (୩୬ ମିନିଟ୍‌), ଥମରାଇକାନନ (୪୦ ମିନିଟ୍‌) ଓ ଭି ରାମଦଦୋସ (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା କାଂସ୍ୟ ମୁକାବିଲାରେ ଲାଜରୁସ ବାର୍ଲାଙ୍କ ନେତୃତ୍ବାଧୀନ ଓଡ଼ିଶା ୧-୨ ଗୋଲ୍‌ରେ ଚଣ୍ଡିଗଡ଼ଠୁ ହାରି ପଦକ ହାତଛଡ଼ା କରିଛି। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ରବୀନ୍ଦର ସିଂହ (୨୬ ମିନିଟ୍‌)ଙ୍କ ଫିଲ୍‌ଡ ଗୋଲ୍‌ରେ ଚଣ୍ଡିଗଡ଼ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୪୪ତମ ମିନିଟ୍‌ରେ ଲାଧୁ ଏକ୍କା (୪୪ ମିନିଟ୍‌) ଗୋଲ୍‌ଟି ଶୁଝି ଓଡ଼ିଶା ପାଇଁ ଆଶା ସଞ୍ଚାର କରିଥିଲେ। ୫୨ତମ ମିନିଟ୍‌ରେ ଚଣ୍ଡିଗଡ଼କୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ହରବିନ୍ଦର ସିଂହ ଗୋଲ୍‌ରେ ପରିଣତ କରି ଚଣ୍ଡିଗଡ଼କୁ ବିଜୟ ଦିଗରେ ନେଇଥିଲେ। ଗୋଲ୍‌ ଶୁଝିବାକୁ ଓଡ଼ିଶା ଖେଳାଳି ବହୁ ଚେଷ୍ଟା କରିବା ସତ୍ତ୍ବେ ବିଫଳ ହୋଇଥିଲା।

ବିଜେତା ମହିଳା ଦଳ: ପୁନମ ଟୋପ୍ପୋ (ଗୋଲି), ଆନ୍ନାମେରି ସଞ୍ଜୟ ତିର୍କି, ସରିତା ଲାକ୍ରା, ପ୍ରତିମା ତିର୍କି, ପ୍ରତିମା ଏକ୍କା, ସରିତା କେର୍କେଟା, ଜସିନ୍ତା ଟୋପ୍ପୋ, ଦୁଲାରି ମିଞ୍ଜ, ରଞ୍ଜିତା ବେକ୍‌, ଇଜ୍‌ରେନ୍‌ ଦାଦେଲ, ସରିତା ରୋଶନ ମିଞ୍ଜ, ମାରିଆମ ଆଥୟା, ଜୁଲିଆନି ବାଗେ, ଆଞ୍ଜେଲା ବେକ, ଅସିମା ସଞ୍ଜୟ ମିଞ୍ଜ, ଲୁସେଲା ଏକ୍କା (ଅଧିନାୟକ), ଆଗ୍ନେସିଆ ଟୋପ୍ନୋ, ରାଜକୁମାରୀ ଲାକଡ଼ା (ଗୋଲି), ପୁଷ୍ପାଞ୍ଜଳି କେର୍କେଟା (ପ୍ରଶିକ୍ଷକ)।