ମେଲ୍‌ବର୍ଣ୍ଣରେ ବର୍ଷାର ଖେଳ: ଅଷ୍ଟ୍ରେଲିଆ-ଇଂଲଣ୍ଡ, ଆୟର୍ଲାଣ୍ଡ-ଆଫ୍‌ଗାନିସ୍ତାନ ମ୍ୟାଚ୍‌ ବାତିଲ

ମେଲ୍‌ବର୍ଣ୍ଣ : ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶୁକ୍ରବାର ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍‌ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଗ୍ରୁପ୍‌-୧ ଅନ୍ତର୍ଗତ ଏହି ଦୁଇଟିଯାକ ମ୍ୟାଚ୍‌ ବିଜେତା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ମେଲ୍‌ବର୍ଣ୍ଣରେ ଖେଳାଯିବାକୁ ଥିଲା। ହେଲେ ଏଠାରେ ପ୍ରବଳ ବର୍ଷା ଯୋଗୁଁ ଉଭୟ ମ୍ୟାଚ୍‌ରେ ଆଦୌ ଟସ୍‌ ପଡ଼ିନପାରି ବାତିଲ ହୋଇଯାଇଥିଲା। ଫଳରେ ପ୍ରଶଂସକମାନେ ନିରାଶ ହୋଇଥିଲା ବେଳେ ସମସ୍ତ ଦଳ ଆଗକୁ ବଢ଼ିବା ନେଇ ପ୍ରଭାବିତ ହୋଇଛନ୍ତି। କାରଣ ପୂର୍ବ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌ ନିକଟରୁ ହାରିଯାଇଥିବା ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରି ସେମିଫାଇନାଲ୍‌ ଆଶା ବାନ୍ଧିଥିଲା ବେଳେ ଆୟର୍ଲାଣ୍ଡ୍‌ ମଧ୍ୟ ଆଫ୍‌ଗାନିସ୍ତାନକୁ ପରାସ୍ତ କରିବାର ଲକ୍ଷ୍ୟ ରଖିଥିଲା। ହେଲେ ବର୍ଷା ସମସ୍ତଙ୍କ ଆଶାରେ ପାଣି ଢାଳିଦେଲା। ଏହାକୁ ମିଶାଇ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବର୍ଷା ୪ଟି ମ୍ୟାଚ୍‌ ଧୋଇ ନେଲାଣି। ସେଥିରୁ ୩ ମ୍ୟାଚ୍‌ ମେଲ୍‌ବର୍ଣ୍ଣରେ ବାତିଲ ହୋଇସାରିଲାଣି। ଏଠାରେ ଶୁକ୍ରବାରର ୨ ମ୍ୟାଚ୍‌ ବ୍ୟତୀତ ଗତ ୨୬ ତାରିଖରେ ନ୍ୟୁଜିଲାଣ୍ଡ୍‌-ଆଫ୍‌ଗାନିସ୍ତାନ ମୁକାବିଲା ମଧ୍ୟ ଧୋଇଯାଇଥିଲା। ସେହିପରି ଗ୍ରୁପ୍‌-୨ ଅନ୍ତର୍ଗତ ଜିମ୍ବାୱେ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ମଧ୍ୟ ବାତିଲ ହୋଇସାରିଛି। ଫଳରେ ଆଫ୍‌ଗାନିସ୍ତାନର ସର୍ବାଧିକ ୨ ମ୍ୟାଚ୍‌ ବାତିଲ ହୋଇଯାଇଥିଲା ବେଳେ ଏବେ ଏହି ଦଳର ସେମିଫାଇନାଲ୍‌ ଆଶା ପ୍ରାୟତଃ ଧୂଳିସାତ୍‌ ହୋଇଯାଇଛି।

ଶୁକ୍ରବାରର ଦୁଇଟିଯାକ ମୁକାବିଲା ବାତିଲ ହେବା ପରେ ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ, ଆୟର୍ଲାଣ୍ଡ୍‌ ଏବଂ ଅଷ୍ଟ୍ରେଲିଆ ସମାନ ୩ ପଏଣ୍ଟ ଲେଖାଏଁ ସହ ଯଥାକ୍ରମେ ପ୍ରଥମରୁ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ ୨ ପଏଣ୍ଟ ଲେଖାଏଁ ସହ ଶେଷ ଦୁଇ ସ୍ଥାନରେ ରହିଛନ୍ତି। ତେବେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଅନ୍ୟମାନଙ୍କଠାରୁ ଗୋଟିଏ ମ୍ୟାଚ୍‌ କମ୍‌ ଖେଳିଥିବା‌ରୁ ଉନ୍ନତ ସ୍ଥିତିରେ ରହିଛନ୍ତି। ଆସନ୍ତାକାଲି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ରାଉଣ୍ଡ ମୁକାବିଲା ହେବ। ଏହି ମ୍ୟାଚ୍‌ ଜିଏ ଜିତିବ ସେହି ଦଳ ଶୀର୍ଷ ସ୍ଥାନ ଦଖଲ କରିବ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ଖେଳିସାରିଥିବା‌ ୨ ମ୍ୟାଚ୍‌ରୁ ଗୋଟିଏ ବିଜୟ ପାଇଥିଲା ବେଳେ ଅନ୍ୟଟି ବିନା ଫଳାଫଳରେ ଶେଷ ହୋଇଥିଲା। ଏହି ଦଳ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ପରାସ୍ତ କରିଥିଲା ବେଳେ ବର୍ଷା ବାଧକ ଯୋଗୁଁ ଆଫ୍‌ଗାନିସ୍ତାନ ସହ ପଏଣ୍ଟ ବାଣ୍ଟିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ଖେଳିସାରିଥିବା‌ ୨ ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ୯ ୱିକେଟ୍‌ରେ ପରାସ୍ତ କରିଥିବା‌ ଶ୍ରୀଲଙ୍କା ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୭ ୱିକେଟ୍‌ରେ ହାରିଯାଇଥିଲା। ଫଳରେ ଆସନ୍ତାକାଲିର ମ୍ୟାଚ୍‌ ଉଭୟ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।

ସମ୍ବନ୍ଧିତ ଖବର