ଅଷ୍ଟ୍ରେଲିଆ, ଇଂଲଣ୍ଡ ଖେଳାଳିଙ୍କ ବିରୋଧରେ ପୁଣି ଫିକ୍ସିଂ ଅଭିଯୋଗ

ମୁମ୍ବାଇ: କ୍ରିକେଟ୍‌କୁ ପୁଣି ଥରେ ଫିକ୍ସିଂ ଭୁତ ଗ୍ରାସ କରିଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଖେଳାଳିଙ୍କ ବିରୋଧରେ ସାନି ସ୍ପଟ୍ ଫିକ୍ସିଂ ଅଭିଯୋଗ ଆସିଛି। ମଧ୍ୟପ୍ରାଚ୍ୟର ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲ ଅଲଜଜିରା ପକ୍ଷରୁ ପ୍ରସାରିତ ହୋଇଥିବା ପ୍ରମାଣିକ ଚଳଚ୍ଚିତ୍ରରେ କ୍ରିକେଟ୍ ଜଗତର ଅନେକ ଗୁମର ମଧ୍ୟ ପଦାରେ ପଡ଼ିଛି।
ରବିବାର ପ୍ରସାରିତ ଏହି ପ୍ରମାଣିକ ଚିତ୍ରରେ ୨୦୧୧ରୁ ୧୨ ମଧ୍ୟରେ ଖେଳା ଯାଇଥିବା ୧୫ ଅନ୍ତର୍ଜାତୀୟ ମ୍ୟାଚ୍ (୬ ଟେଷ୍ଟ‌, ୬ ଦିନିକିଆ ଓ ୩ ଟ୍ବେଣ୍ଟି-୨୦)ରେ ୨୬ ସ୍ପଟ୍ ଫିକ୍ସିଂ ହୋଇଛି। ସେଥିମଧ୍ୟରୁ ୭ ମ୍ୟାଚ୍‌ରେ ଇଂଲଣ୍ଡ, ୫ରେ ଅଷ୍ଟ୍ରେଲିଆ, ୩ରେ ପାକିସ୍ତାନ ଓ ଗୋଟିଏ ମ୍ୟାଚ୍‌‌େର ଅନ୍ୟଏକ ଦେଶର ଖେଳାଳିମା‌ନେ ସଂପୃକ୍ତ ଥିବା ଚ୍ୟାନେଲ ଦାବି କରିଛି। ୨୦୧୧ ଇଂଲଣ୍ଡ-ଭାରତ ଲର୍ଡସ ଟେଷ୍ଟ୍, ୨୦୧୧ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ କେପଟାଉନ ଟେଷ୍ଟ୍‌, ୨୦୧୧ ବିଶ୍ବକପ୍‌ର ୫ ମ୍ୟାଚ୍ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୩ ମ୍ୟାଚ୍‌କୁ ବୁକିମାନେ ଖେଳାଳିଙ୍କ ମାଧ୍ୟମରେ ପ୍ରଭାବିତ କରିଥିବା ଜଣାପଡ଼ିଛି। ସେହିଭଳି ୟୁଏଇରେ ୨୦୧୨ରେ ଖେଳା ଯାଇଥିବା ଇଂଲଣ୍ଡ-ପାକିସ୍ତାନ ଟେଷ୍ଟ୍‌ ଶୃଙ୍ଖଳାର ତିନିଟି ଯାକ ମୁକାବିଲାରେ ସ୍ପଟ୍ ଫିକ୍ସିଂ ହୋଇଥିବା ମଧ୍ୟ ଚ୍ୟାନେଲ ‘କ୍ରିକେଟ୍ସ ମ୍ୟାଚ୍ ଫିକ୍ସର୍ସ: ଦି ମୁନାୱାର ଫାଇଲ୍ସ’ ନାମରେ ପ୍ରସାରଣ କରିଥିବା ପ୍ରମାଣିକ ଚିତ୍ରରେ ଅଭିଯୋଗ କରିଛି।
ବୁକି ଅନୀଲ ମୁନାୱାର ନିଜେ ପ୍ରସ୍ତୁତ କରିଥିବା ଏହି ଫାଇଲ ତା’ ପାଖରେ ଥିବା ଚ୍ୟାନେଲ କହିଛି। ଏଥିରେ ବୁକି ଓ ଖେଳାଳିଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପ, ଫୋନ୍ କଲ୍, ଅର୍ଥ ଦେଣନେଣର ବିସ୍ତୃତ ବିବରଣୀ ରହିଛି। ସେହିଭଳି ପାକିସ୍ତାନୀ ୱିକେଟ୍ ରକ୍ଷକ ଉମର ଆକମଲ ଏକ ହୋଟେଲରେ ଅଣ୍ଡରୱାଲ୍ଡ ସଂଗଠନ ଡି କଂପାନିର ଜଣେ ସଦସ୍ୟଙ୍କୁ ସାକ୍ଷାତ କରୁଥିବାର ଫଟୋ ମଧ୍ୟ ଅଛି। ଅନୀଲ ମୁନାୱର କ୍ରିକେଟ୍ ଦୁନିଆର ଅନ୍ୟତମ ଚର୍ଚିତ ବୁକି। ଫିକ୍ସିଂର କଳଙ୍କିତ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଡନ୍ ଦାଉଦ ଇବ୍ରାହିମ ପାଇଁ କାମ କରୁଥିଲା। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କିନ୍ତୁ ସେମାନଙ୍କ ଖେଳାଳି ଫିକ୍ସିଂରେ ସଂପୃକ୍ତ ଥିବା ଖବରକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର