ଭାରତୀୟ ଫୁଟ୍‌ବଲ୍‌ରେ ମ୍ୟାଚ୍‌ ଫିକ୍ସିଂ: ସିବିଆଇ ସ୍କାନର୍‌ରେ ଇଣ୍ଡିଆନ୍‌ ଆରୋଜ୍‌ ସହ ୪ କ୍ଲବ୍‌

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌ରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଛି। କିଛି ଆନ୍ତର୍ଜାତିକସ୍ତରର ଫିକ୍ସର ୫ଟି ଭିନ୍ନଭିନ୍ନ ଫୁଟ୍‌ବଲ୍‌ କ୍ଲବ୍‌ରେ ଟଙ୍କା ନିବେଶ କରାଇଥିବା ସିବିଆଇକୁ ସୂଚନା ମିଳିଥିଲା। ତେଣୁ ଗତ ସପ୍ତାହରେ ସିବିଆଇର ଏକ ଟିମ୍‌ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ଏଥିସହିତ ଫିକ୍ସିଂ ସହିତ ଜଡ଼ିତ ଥିବା କ୍ଲବ୍‌ଗୁଡ଼ିକ ବିଷୟରେ ସମସ୍ତ ସୂଚନାକୁ ସଂଗ୍ରହ କରାଯାଇଥିଲା ବେଳେ ସେମାନଙ୍କ ନିବେଶ ଉପରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସିବିଆଇ ହାସଲ କରିଛି। ଏହି କ୍ଲବ୍‌ଗୁଡ଼ିକ ମଧ୍ୟରେ ଏଆଇଏଫ୍‌ଏଫ୍‌ ଉନ୍ନୟନ କାର୍ଯ୍ୟକ୍ରମର ଦଳ ଇଣ୍ଡିଆନ୍‌ ଆରୋଜ୍‌ ରହିଥିବା ଜଣାପଡ଼ିଛି। ଏହି ଦଳ ସହିତ ଅନ୍ୟ ୪ ଦଳ ଆଇ-ଲିଗ୍‌ରେ ଖେଳିଥିବା ସୂଚନା ମଳିଛି।

ସୂଚନା ଅନୁଯାୟୀ, ସିଙ୍ଗାପୁରର ମ୍ୟାଚ୍‌ ଫିକ୍ସର ୱିଲସନ୍‌ ରାଜ ପେରୁମାଲ ପ୍ରଥମ ଥର ପାଇଁ ୧୯୯୫ରେ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଜେଲ୍‌ ଯାଇଥିଲା ଏବଂ ଫିନ୍‌ଲାଣ୍ଡ ଓ ହଙ୍ଗେରିରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟିସାରିଛି। ଭାରତରେ ସେ ୫ କ୍ଲବ୍‌ ସହିତ ଲିଭିଂ ୩ଡି ହୋଲ୍ଡିଂସ୍‌ ଲିମିଟେଡ୍‌ ଜରିଆରେ ଟଙ୍କା ନିବେଶ କରିଥିବା ସିବିଆଇ ଜାଣିବାକୁ ପାଇଛି। ଏହି ଆନ୍ତର୍ଜାତିକ ଫିକ୍ସର କ୍ରୀଡ଼ାର ସବୁସ୍ତରରେ ତାହାର କଳାଯାଦୁର ପ୍ରୟୋଗ କରିଥିଲା। ଅଲିମ୍ପିକ୍ସ, ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ, ମହିଳା ବିଶ୍ବକପ୍‌, କନ୍‌କାକାଫ୍‌ ଗୋଲ୍ଡ କପ୍‌ ଓ ଆଫିକାନ୍‌ କପ୍‌ ଅଫ୍‌ ନେସନ୍ସରେ ସେ ମ୍ୟାଚ୍‌ ଫିକ୍ସିଂ କରିଥିବା ଜଣାପଡ଼ିଛି। ଭାରତରେ ଯେଉଁ କ୍ଲବ୍‌ଗୁଡ଼ିକ ଏହି ଫିକ୍ସର ସହିତ କାରବାର କରିଛନ୍ତି ସେମାନଙ୍କୁ ସମସ୍ତ ଚୁକ୍ତି, ପ୍ରାୟୋଜକ, ବିଦେଶୀ ଖେଳାଳି ଓ ବୈଷୟିକ କର୍ମଚାରୀଙ୍କୁ ଦଳକୁ ଆଣିବାରେ ଜଡ଼ିତ ଥିବା ଏଜେନ୍ସିମାନଙ୍କ ବିଷୟରେ ତଥ୍ୟ ଯୋଗାଇବା ପାଇଁ ସିବିଆଇ ନୋଟିସ୍‌ କରିଛି। ତେବେ ଦଳମାନଙ୍କ ମଧ୍ୟରେ ଇଣ୍ଡିଆନ୍‌ ଆରୋଜ୍‌ର ନାମକୁ ଦେଖିବା ପରେ ଜଣେ ଏଆଇଏଫ୍‌ଏଫ୍‌ ଅଧିକାରୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଏହି ଦଳରେ କୌଣସି ବିଦେଶୀ ଖେଳାଳି ନଥିଲା ବେଳେ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା ସରକାର ଏହାକୁ ପାଣ୍ଠି ଯୋଗାଉଛନ୍ତି। ତେଣୁ ଖେଳାଳିଙ୍କ ବ୍ୟତୀତ ଦଳ ସହ ଜଡ଼ିତ ଅନ୍ୟକେହି ବ୍ୟକ୍ତି ଫିକ୍ସିଂ ମାମଲା ସହିତ ସଂପୃକ୍ତ ଥାଇପାରନ୍ତି ବୋଲି ଉକ୍ତ ଅଧିକାରୀ ଜଣକ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର