ମ୍ୟାଚ୍ ଫିକ୍ସିଂ ଆଇନ କ୍ରିକେଟ୍‌ରୁ ଦୁର୍ନୀତି ଦୂର କରିବାର ବ୍ରହ୍ମାସ୍ତ୍ର: ରିଚାର୍ଡସନ୍

ନୂଆଦିଲ୍ଲୀ: ଆଗାମୀ ତିନି ବର୍ଷ ମଧ୍ୟରେ ଭାରତ ଦୁଇଟି ଆଇସିସି ପ୍ରତିଯୋଗିତା (୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍, ୨୦୨୩ ଏକଦିବସୀୟ ବିଶ୍ବକପ୍) ଆୟୋଜନ କରିବ। ବୁକିଙ୍କ ପ୍ରଥମ ପସନ୍ଦ ହେଉଛି ବିଶ୍ବକପ୍। ଏହାକୁ ପ୍ରଭାବିତ କରିବା ଲାଗି ସେମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ। ଏଣୁ ଏକ କଠୋର ଫିକ୍ସିଂ ଆଇନ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବର କ୍ରି‌କେଟ୍ ଜଗତରୁ ଦୁର୍ନୀତି ଦୂର କରିବା ଲାଗି ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହେବ। ଭାରତୀୟ ପୁଲିସ ଆମକୁ ସବୁବେଳେ ସହଯୋଗ କରିଛି। ହେଲେ ସେମାନଙ୍କ ଗୋଟିଏ ହାତ ବନ୍ଧା ହୋଇରହିଛି।

ଏଣୁ ସେମାନେ ନିଜ ତରଫରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ ଏକ ଭଲ ଫିକ୍ସିଂ ଆଇନର ଦରକାର ରହିଛି। ଆଇସିସି ଦୁର୍ନୀତି ନିବାରଣ ସଂସ୍ଥାର ସଂଯୋଜକ ଷ୍ଟିଭ ରିଚାର୍ଡସନ୍ ଗୁରୁବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ବିଷୟକୁ ଗୁରୁତ୍ବ ଦେବାକୁ ସେ ଭାରତ ସରକାରଙ୍କୁ ଆହ୍ବାନ କରିଛନ୍ତି। ୨୦୧୯ ମସିହାରେ କ୍ରିକେଟ୍ ଖେଳୁଥିବା ପ୍ରଥମ ବଡ଼ ଦେଶ ଭାବେ ଫିକ୍ସିଂକୁ ଶ୍ରୀଲଙ୍କା ଫୌଜଦାରି ମାମଲାର ଅନ୍ତର୍ଭୁକ୍ତ କରିଛି। ଫିକ୍ସିଂ କରୁଥିବା ପ୍ରମାଣିତ ହେଲେ ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଏଣୁ ଭାରତ ମଧ୍ୟ ଶ୍ରୀଲଙ୍କା ଭଳି ଏକ ନୂଆ ଫିକ୍ସିଂ ଆଇନ ଆଣୁ ବୋଲି ସେ ଅନୁରୋଧ କରିଛନ୍ତି। ଆଇନ ନଥିବାରୁ ଅନେକ ଦୁର୍ନୀତିଖୋର ସହଜରେ ଖସି ଯାଉଛନ୍ତି ବୋଲି ରିଚାର୍ଡସନ୍ ଆଶଙ୍କା ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର