ବିଶ୍ବକପ୍‌ରେ ଫିକ୍ସିଂ ରୋକିବାକୁ ଆଇସିସିର ଯୋଜନା

ଦୁବାଇ: ଚଳିତ ମାସ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ବକପ୍‌ ‌ବେଳେ ଫିକ୍ସିଂ ରୋକିବାକୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ମୁତାବକ ପ୍ରଥମ ଥର ପାଇଁ ଅଂଶଗହଣକାରୀ ସମସ୍ତ ୧୦ ଦଳ ସହ ଜଣେ ଲେଖାଏଁ ଦୁର୍ନୀତି ନିବାରଣ ଅଧିକାରୀ ନିୟୋଜିତ ରହିବେ। ଅଭ୍ୟାସ ମ୍ୟାଚ୍‌ରୁ ଆରମ୍ଭ କରି ବିଶ୍ବକପ୍‌ ଶେଷ ପର୍ଯ୍ୟନ୍ତ ପ୍ରତି ଦଳରେ ଏହି ଅଧିକାରୀଙ୍କୁ ସାମିଲ କରିବା ଫଳରେ ବିଶ୍ବକପ୍‌ ଦୁର୍ନୀତିମୁକ୍ତ ରହିପାରିବ ବୋଲି ଆଇସିସି କହିଛି। ପୂର୍ବରୁ ଆଇସିସି ଦୁର୍ନୀତି ନିବାରଣ ସଂସ୍ଥା ପ୍ରତ୍ୟେକ ଭେନ୍ୟୁରେ ଜଣେ ଲେଖାଏଁ ଅଧିକାରୀଙ୍କୁ ମୁତୟନ କରୁଥିଲା। ଫଳରେ ଦଳଗୁଡ଼ିକ ସେହି ଭେନ୍ୟୁରେ ଏକାଧିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ରହୁଥିଲେ। ‌ହେଲେ ଏଥର ସେହି ଅଧିକାରୀମାନେ ଦଳ ପିଛା ବାଣ୍ଟି ହୋଇଯିବେ। ସଂପୃକ୍ତ ଅଧିକାରୀମାନେ ପ୍ରତ୍ୟେକ ଦଳ ସହ ସମାନ ହୋଟେଲରେ ଅବସ୍ଥାନ କରିବା ସହ ଅଭ୍ୟାସ ଓ ମ୍ୟାଚ୍‌ସ୍ଥଳକୁ ମଧ୍ୟ ଯାତ୍ରା କରିବେ ବୋଲି ଆ‌ଇସିସି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର