ଏହି କାରଣ ପାଇଁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ରୋଚକ ମୋଡ଼ରେ ରହିଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ରବିବାରର ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏହି ମ୍ୟାଚ୍‌କୁ ଯିଏ ଜିତିବ, ସିଏ ଏହି ଉତ୍କଣ୍ଠା ଓ ମନୋରଞ୍ଜନଭରା ଶୃଙ୍ଖଳାର ବିଜେତା ଆଖ୍ୟା ଅର୍ଜନ କରିବ। ସେଥିପାଇଁ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି। ତେବେ ଆଜି ବର୍ଷା ପଞ୍ଚମ ମ୍ୟାଚରେ ବାଧକ ସାଜିପାରେ |

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ କିଛି ଦିନ ହେବ ଲଗାତାର ବର୍ଷା ହେଉଥିବା ଯୋଗୁଁ ରଣଜୀ ଟ୍ରଫିରେ ମଧ୍ୟ ମ୍ୟାଚ୍ ପ୍ରଭାବିତ ହୋଇଛି। ଯଦି ବର୍ଷା ବନ୍ଦ ନହୁଏ, ତେବେ ଉଭୟଙ୍କୁ ମିଳିତ ଭାବରେ ବିଜେତା ଘୋଷିତ କରାଯାଇପାରେ, କାରଣ ଏଥିପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ | ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୯ଟି ଟି -୨୦ ମ୍ୟାଚ୍ ଖେଳାଯାଇଥିବାବେଳେ, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୧ଟି ଜିତିଛି |

ଏଥି ସହିତ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ ଜିତିବାରେ ସଫଳ ହୋଇଛି | ତେବେ ଆଜିର ମ୍ୟାଚ ହେଲେ ଦୀନେଶ କାର୍ତ୍ତିକଙ୍କ ଉପରେ ସମସ୍ତଙ୍କର ନଜର ରହିବ | କାରଣ ଗତ ଟି -୨୦ ମ୍ୟାଚରେ ଦୀନେଶ କାର୍ତ୍ତିକ ବହୁତ ଭଲ ବ୍ୟାଟିଂ କରିଥିଲେ। ସେ ୨୭ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ। ଯେଉଁଥିପାଇଁ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର