ଆଇପିଏଲ୍‌-୧୩ : ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍ (ଆଇପିଏଲ୍‌) ୧୩ତମ ସଂସ୍କରଣର ଦ୍ବିତୀୟ ସୁପର ଓଭର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କରିଛି  ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ଖେଳା ଯାଇଥିଲା । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍‌ କରିବାରେ ସକ୍ଷମ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ଏବି ଡି ଭିଲିୟର୍ସ ୪ ବଲରେ ୬ ରନ୍‌ ଓ ବିରାଟ କୋହଲି ୨ ବଲରେ ୫ ରନ୍‌ କରି ବାଙ୍ଗାଲୋରକୁ ସୁପର ଓଭରରେ ବିଜୟ ଦେଇଥିଲେ ।

ପୂର୍ବରୁ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପଡ଼ିକଲ୍ଲ ଓ ଆରନ ଫିଞ୍ଚ ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ । ଉଭୟ ଓପନର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଅଧିନାୟକ ବିରାଟ କୋହଲି ଶସ୍ତାରେ ପାଭିଲିୟନ ଫେରିବା ପରେ ଏବି ଡିଭିଲିୟର୍ସ କ୍ରିଜକୁ ଓହ୍ଲାଇଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୪ ବଲରେ ୪ ଛକା, ୪ ଚୌକା ସହ ୫୫ ରନ କରିଥିଲେ । ଏହା ଫଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୨୦୧ ରନ କରିପାରିଥିଲା ।

ଦ୍ବିତୀୟ ପାଳିରେ ମୁମ୍ବାଇ ୨୦୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୨୦୧ ରନ୍‌ କିରି ମ୍ୟାଚକୁ ଟାଇ କରିଥିଲା। ପ୍ରଥମରୁ ମୁମ୍ବାଇର ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ମାତ୍ର ୮ ରନ୍‌ କରି ଆଉଟ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨ଟି ବଲ ଖେଳି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ । ଏହା ପରେ ଇଶାନ୍ କିଶାନ୍ ଓ କିରନ୍ ପୋଲାର୍ଡଙ୍କ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଇଶାନ୍ କିଶାନ୍ ୫୮ ବଲରେ ୯୯ ରନ୍‌ କରିଥିବା ବେଳେ ପୋଲାର୍ଡ ମାତ୍ର ୨୪ ବଲରେ ୫ ଛକା, ୩ ଚୌକା ସହାୟତାରେ ୬୦ ରନ କରିଥିଲେ ।

ବାଙ୍ଗାଲୋର ପକ୍ଷରୁ ଇସୁରୁ ଉଦାନା ୨ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ ଆଡାମ୍ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଏହି ବିଜୟ ସହ ବାଙ୍ଗାଲୋର ୪ ପଏଣ୍ଟ ହାସଲ କରିବା ସହ ଦଳ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର