ମୋଟେରାରେ ଦିବାରାତ୍ର ଟେଷ୍ଟ୍‌ ସହ ୭ ମ୍ୟାଚ୍‌, ଇଂଲଣ୍ଡର ଭାରତ ଗସ୍ତସୂଚୀ ଘୋଷିତ

ଚେନ୍ନାଇରେ ୨ ଟେଷ୍ଟ୍‌ରୁ ଅଭିଯାନ, ପୁନେରେ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ଆସିବ ଭାରତ। ବିରାଟ କୋହଲିଙ୍କ ଦଳ ଏକ ପୂର୍ଣ୍ଣକାଳୀନ କ୍ରିକେଟ୍‌ ଶୃଙ୍ଖଳା ‌ଖେଳିବ ଘରୋଇ ପରିବେଶରେ। ଏହି ଶୃଙ୍ଖଳାରେ ରହିଛି ୪ ଟେଷ୍ଟ, ୫ ଟି-୨୦ ଏବଂ ୩ ଦିନିକିଆ। ଏହାର ସମ୍ପୂର୍ଣ୍ଣ ଖେଳସୂଚୀ ଗୁରୁବାର ପ୍ରକାଶ ପାଇଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି କୋଭିଡ୍ ମହାମାରୀ କାରଣରୁ ଏହି ୧୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଦେଶର ତିନିଟି ସହର ଚେନ୍ନାଇ, ଅହମ୍ମଦାବାଦ ଓ ପୁନେରେ ସୀମିତ ରହିବ। ଅହମ୍ମଦାବାଦ‌ର ମୋଟେରା ଷ୍ଟାଡିୟମ୍‌ରେ ସର୍ବାଧିକ ୭ ମ୍ୟାଚ୍‌ ଖେଳାଯିବ। ଯେଉଁଥିରେ ଗୋଟିଏ ଦିବାରାତ୍ର ସହିତ ୨ ଟେଷ୍ଟ୍‌ ରହିଛି। ଅନ୍ୟ ଦୁଇ ଟେଷ୍ଟ୍ ଚେନ୍ନାଇରେ ‌ଖେଳି ଇଂଲଣ୍ଡ ଅଭିଯାନ ଆରମ୍ଭ କରିବ। ମୋଟେରାରେ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରତିଟି ମୁକାବିଲା ଅନୁଷ୍ଠିତ ହେବ। ‌ପୁନେରେ ଶୃଙ୍ଖଳାର ସମସ୍ତ ୩ ଦିନିକିଆ ଅନ୍ତର୍ଜାତୀୟ ଖେଳାଯିବ।

ଫେବ୍ରୁଆରି ୫ରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ‌ ହୋଇ ପୁନେରେ ଦିନିକିଆ ଶୃଙ୍ଖଳା ସହ ଶେଷ ହେବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଗତବର୍ଷ ବାଂଲାଦେଶ ବିପକ୍ଷରେ ଗୋଲାପିବଲ୍ ଟେଷ୍ଟ୍ ପଦାର୍ପଣ କରିଥିଲା। ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦର ସର୍ଦାର ପଟେଲ୍ ମୋଟେରା ଷ୍ଟାଡିୟମ୍‌ରେ ଶେଷ ୨ ଟେଷ୍ଟ୍ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି। ବିଶ୍ବର ବୃହତ୍‌ କ୍ରିକେଟ୍ ଷ୍ଟାଡିୟମ୍‌‌‌ ମୋଟେରାର ଦର୍ଶକ କ୍ଷମତା ୧,୧୦,୦୦୦ ବିଶିଷ୍ଟ ଥିବାରୁ ସର୍ବାଧିକ ମ୍ୟାଚ୍ ପାଇଥିବା ବିଶ୍ବାସ କରାଯାଉଛି। ମହାମାରୀ କାରଣରୁ ବିସିସିଆଇ ଏହି ଶୃଙ୍ଖଳାକୁ ୩ ସହର ମଧ୍ୟରେ ସୀମିତ ରଖିଛି ବୋଲି ମଧ୍ୟ କହିଛି। ବିସିସିଆଇ ମଧ୍ୟ ଏହି ୩ ସହର (ଚେନ୍ନାଇ, ଅହମ୍ମଦାବାଦ, ପୁନେ)ରେ ଜୈବ ସୁରକ୍ଷିତ ବଳୟ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ କରିଥିବାରୁ ଖୁସି ଜାହିର କରିଛନ୍ତି ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମୁଖ୍ୟ କାର୍ଯ୍ୟନିର୍ବାହ‌ୀ ଟମ୍ ହାରିସନ୍।

ବିସିସିଆଇ ରୋଟେସନ୍‌ ପଦ୍ଧତି ଅନୁସାରେ ପୁନେ ଓ ଚେନ୍ନାଇ‌ ବହୁ ପୂର୍ବରୁ ମ୍ୟାଚ୍‌ ପାଇବାର ଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା। ଏହି ‌ଶୃଙ୍ଖଳା ସେମାନଙ୍କ ବକେ‌ୟା ମ୍ୟାଚ୍‌ ଆୟୋଜନର ସୁଯୋଗ ଦେଇଛି। ଉଭୟ ଦଳ ପାଇଁ ଉପରୋକ୍ତ ୩ ସହର ଜୈବ ବଳୟ ସୁରକ୍ଷା ଯୋଗାଇଦେବାକୁ ଠିକଣା ସ୍ଥାନ ‌ହେବ ବୋଲି ବିସିସିଆଇ ଅନୁଭବ କରିଛି। ଇଂଲଣ୍ଡ ଶୃଙ୍ଖଳା ପରେ ଭାରତ ମଧ୍ୟ ୨୦୨୧ ମସିହାର ଆଇପିଏଲ୍‌କୁ ଭାରତରେ କରିବାକୁ ଆତ୍ମବିଶ୍ବାସ ପାଇବ ବୋଲି ଆଶା ରଖିଛି। କାରଣ ଚଳିତ ବର୍ଷ କୋଭିଡ୍‌ ପାଇଁ ବିଳମ୍ବରେ ହେଲେ ବି ଆଇପିଏଲ୍‌-୧୩କୁ ୟୁଏଇ ସ୍ଥାନାନ୍ତର କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର