ମାଥ୍ୟୁସ୍‌, ମାଲିଙ୍ଗା ମ୍ୟାଜିକ୍, ଇଂଲଣ୍ଡକୁ ଅଟକାଇଲା ଶ୍ରୀଲଙ୍କା

ଲିଡ୍ସ: ଆୟୋଜକ ଇଂଲଣ୍ଡର ଦମ୍ଭକୁ ପୂର୍ବ ବିଜେତା ଶ୍ରୀଲଙ୍କା ଭାଙ୍ଗି ଦେଇଛି। ଇଂଲଣ୍ଡ ହିଁ ଚଳିତ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ବୋଲି ଚର୍ଚା ହୋଇ ଆସୁଥିଲା। ହେଲେ ଫିକା ପ୍ରଦର୍ଶନ ଦେଇ ଆସୁଥିବା ଶ୍ରୀଲଙ୍କା ଅଚାନକ ଶ୍ରେଷ୍ଠ କ୍ରିକେଟ୍ ଖେଳି ଶୁକ୍ରବାର ତାକୁ ଶକ୍ତ ଧକ୍କା ଦେଇଛି। ରୋମାଞ୍ଚକର ଭାବେ ୨୦ ରନ୍‌ରେ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛି। ଶକ୍ତିଶାଳୀ ଇଂଲଣ୍ଡ ସମ୍ମୁଖରେ ଶ୍ରୀଲଙ୍କା ମାତ୍ର ୨୩୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଲିଡ୍ସ ପିଚ୍‌ର ବ୍ୟବହାରକୁ ବୁଝି ନପାରି ଇଂଲଣ୍ଡ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ୍ ହରାଇ ୪୭ ଓଭରରେ ମାତ୍ର ୨୧୨ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଏହି ଅପ୍ରତ୍ୟାଶିତ ଫଳାଫଳକୁ ଇଂଲଣ୍ଡ ପ୍ରଶଂସକଙ୍କ ସହ ସେହି ଦେଶର ଖେଳାଳି ମଧ୍ୟ ବିଶ୍ବାସ କରି ପାରି ନଥିଲେ। ଚଳିତ ବିଶ୍ବକପରେ ଇଂଲଣ୍ଡ ୬ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ସେହି ୬ ମୁକାବିଲାରୁ ଦ୍ବିତୀୟ ବିଜୟ ପାଇଥିଲା। ଶ୍ରୀଲଙ୍କା ଗତ ବିଜେତା ଅଷ୍ଟ୍ରେଲିଆ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡକୁ ବିଶ୍ବକପ୍‌ରେ ପଞ୍ଚମ ଥର ପାଇଁ ପରାସ୍ତ କରିଥିଲା। ଶାଣିତ ୟର୍କର ପାଇଁ ପରିଚିତ ସିଂହଳୀ ଦ୍ରୁତ ବୋଲର ଲସିଥ ମାଲିଙ୍ଗା (୧୦-୧-୪୩-୪) ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ।
ରୁଟ୍‌-ଷ୍ଟୋକ୍ସ ଲଢ଼େଇ ବେକାର

୨୩୩ ରନ୍‌ର ଲକ୍ଷ୍ୟକୁ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଇଂଲଣ୍ଡ ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ପଡ଼ିଆ ଭିତରେ ଠିକ୍ ତା’ଓଲଟା ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କା ବୋଲର ଅଭିଜ୍ଞ ମାଲିଙ୍ଗାଙ୍କ ନେତୃତ୍ବରେ ନିୟମିତ ୱିକେଟ୍ ନେଇ ଘରୋଇ ଦଳ ଉପରୁ ଚାପ ହଟିବାକୁ ଦେଇ ନଥିଲେ। ମାଲିଙ୍ଗା ଓ ଧନଞ୍ଜୟ ଡି’ ସିଲଭା ୭ ୱିକେଟ୍ ବାଣ୍ଟି ନେଇ ଶ୍ରୀଲଙ୍କାକୁ ଚଳିତ ବିଶ୍ବକପ୍‌ର ସବୁଠାରୁ ବଡ଼ ବିଜୟ ଉପହାର ଦେଇଥିଲେ। ଜୋ ରୁଟ୍ (୫୭) ଓ ବେନ୍ ଷ୍ଟୋକ୍ସ (୮୨*) ଭଲ ଖେଳିଥିଲେ। ହେଲେ ଅନ୍ୟ କେହି କ୍ରିଜ୍‌ରେ ତିଷ୍ଠି ରହି ପାରି ନଥିଲେ। ଷ୍ଟୋକ୍ସ ଇଂଲଣ୍ଡ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ନେଇ ବିଜୟ ରେଖା ପାର କରିବା ଯୋଜନାରେ ଥିଲେ। ତେବେ ମାର୍କ ଉଡଙ୍କୁ ନୁୱାନ ପ୍ରଦୀପ ୱିକେଟ୍ ରକ୍ଷକ କୁଶଲ ପେରେରାଙ୍କ ହାତରେ କ୍ୟାଚ୍ କରାଇ ଇଂଲଣ୍ଡ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଷ୍ଟୋକ୍ସ ଅପରାଜିତ ରହି ନିରାଶାର ସହ ପ୍ୟାଭିଲିୟନ ଫେରିଥିଲେ। ଦ୍ବିତୀୟ ବଲ୍‌ରେ ଜନି ବେୟାରଷ୍ଟୋଙ୍କୁ ଆଉଟ୍ କରି ଶ୍ରୀଲଙ୍କା‌ ବିଜୟର ମୂଳଦୁଆ ପକାଇଥିବା ମାଲିଙ୍ଗା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରାରମ୍ଭିକ ଯୋଡ଼ି ବଦଳାଇବା ସହ ରିଭ୍ୟୁରେ ରୁଟ୍‌ଙ୍କ ୱିକେଟ୍ ହରାଇବା ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଲିଡ୍ସରେ ଶୁକ୍ରବାର ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଏଠାକାର ପିଚ୍‌କୁ ବୁଝି ନପାରି ଧରାଶାୟୀ ହୋଇଥିଲା। ସେପଟେ ମାଲିଙ୍ଗା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ୫୦ ୱିକେଟ୍ ପୂରଣ କରିବାରେ ଦ୍ରୁତତମ ବୋଲର ହୋଇଥିଲେ। ଏହି କ୍ରମରେ ସେ ମହାନ ଅଷ୍ଟ୍ରେଲୀୟ ବୋଲର ଗ୍ଲେନ୍ ମ୍ୟାକ୍‌ଗ୍ରା ଏବଂ ସ୍ପିନ୍ ଯାଦୁଗର ମୁଥିୟା ମୁରଲୀଧରନଙ୍କୁ ଟପିଥିଲେ।

ମାଥ୍ୟୁସଙ୍କ ବିଳମ୍ବିତ ଚମକ
ଆଞ୍ଜେଲୋ ମାଥ୍ୟୁସ (୮୫)ଙ୍କ ଅର୍ଧଶତକ ଏବଂ ଅଭିସ୍କା ଫର୍ନାଣ୍ଡୋ (୪୬) ଓ କୁଶଲ ମେଣ୍ଡିସ୍ (୪୦)ଙ୍କ ଉପଯୋଗୀ ପାଳି ବଳରେ ଶ୍ରୀଲଙ୍କା ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଶ୍ରୀଲଙ୍କା ଶୁକ୍ରବାର ପୁଣି ଥରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେ (୧) ଓ କୁଶଲ ପେ‌ରେରା (୨) ୩ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଫର୍ନାଣ୍ଡୋ ଓ କୁଶଲ ମେଣ୍ଡିସ୍ ଭଲ ବ୍ୟାଟିଂ କରୁଥିଲେ, ହେଲେ ନିଜ ନିଜ ଅର୍ଧଶତକ ପୂର୍ବରୁ ୱିକେଟ୍ ଫିଙ୍ଗି ଦେଇଥିଲେ। କୁଶଲ ଓ ଜୀବନ ମେଣ୍ଡିସ (୦)ଙ୍କୁ ଗୋଟିଏ ଓଭରରେ ଆଉଟ୍ କରି ଆଦିଲ ରସିଦ ଶ୍ରୀଲଙ୍କାକୁ ‌ଦୋହଲାଇ ଦେଇଥିଲେ। ମାଥ୍ୟୁସ ତା’ ପରେ ଧନଞ୍ଜୟ ଡି’ ସିଲଭାଙ୍କୁ ସାଥୀ କରି କଷ୍ଟେମଷ୍ଟେ ଶ୍ରୀଲଙ୍କା ସ୍କୋରକୁ ୨୦୦ ପାର କରାଇଥିଲେ। ସେ ଚଳିତ ବିଶ୍ବକପ୍‌ର ପ୍ରଥମ ଏବଂ ଖେଳ ଜୀବନର ୩୯ତମ ଅର୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର