ନିଦାସ୍‌ ଟ୍ରଫିରେ ଖେଳିବେନି ମାଥ୍ୟୁସ

କଲମ୍ବୋ: ଶ୍ରୀଲଙ୍କା ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ନେଇ ଆୟୋଜିତ ନିଦାସ ଟ୍ରଫି ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ମାଂସପେସୀ ଜନିତ ସମସ୍ୟା ଯୋଗୁଁ ସେ ବାଦ୍‌ ପଡ଼ିଥିବା ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ତାଙ୍କ ବଦଳରେ ଦଳର ନେତୃତ୍ୱ ବାଂଲାଦେଶ ଗସ୍ତରେ ଅଧିନାୟକ ଥିବା ଦୀନେଶ ଚାନ୍ଦିମାଳଙ୍କୁ ମିଳିପାରେ। ଆହତ ଯୋଗୁଁ ଅଲ୍‌ରାଉଣ୍ଡର ଆସ୍‌ଲେ ଗୁଣରତ୍ନେ ଏବଂ ବ୍ୟାଟ୍ସମ୍ୟାନ୍‌ କୁସାଲ ପେରେରାଙ୍କ ସହ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ସେହାନ୍‌ ମଦୁସନକା ମାଂସପେସୀ ଯନ୍ତ୍ରଣା ଯୋଗୁଁ ମଧ୍ୟ ବାଦ୍‌ ପଡ଼ିଛନ୍ତି। ଫଳରେ ଏହା ଶ୍ରୀଲଙ୍କା ଦଳର ଚିନ୍ତା ବଢ଼ାଇ ଦେଇଛି। ମାଥ୍ୟୁସ ୨୦୧୬ରୁ ଆଘାତ ଜନିତ ସମସ୍ୟରେ ଲଗାତାର ଭାବେ ପଡ଼ୁଛନ୍ତି। ଏହା ମଧ୍ୟରେ ଶ୍ରୀଲଙ୍କା ଖେଳିଥିବା ୧୮ ଟେଷ୍ଟ୍‍ରୁ ୮, ୪୦ ଦିନିକିଆରୁ ୨୪ ଏବଂ ୧୯ ଟେ୍ଵଣ୍ଟି-୨୦ରୁ ୧୪ଟିରେ ତାଙ୍କୁ ଦଳ ବାହାରେ ବସିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର