ମାନସିକ ଚାପ ପାଇଁ କ୍ରିକେଟ୍‌ରୁ ବିରତି ନେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ମଝିରୁ ଓହରି ଯାଇଛନ୍ତି ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ। ଗୁରୁବାର ସେ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିରତି ଘୋଷଣା କରିଛନ୍ତି। ମେଲବର୍ନରେ ହେବାକୁ ଥିବା ‌ଶ୍ରୀଲଙ୍କା ବିପକ୍ଷ ଶେ‌ଷ ଟ୍ବେଣ୍ଟି-୨୦ ଏବଂ ଆଗାମୀ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ସେ ଖେଳିବେ ନାହିଁ। ମାନସିକ ଅସୁସ୍ଥତା କାରଣରୁ ମ୍ୟାକ୍ସୱେଲ କ୍ରିକେଟ୍‌ରୁ କିଛି ସମୟ ପାଇଁ ବିରତି ଚାହୁଁଛନ୍ତି। ପୂର୍ବରୁ ସେ ଏ ନେଇ ସୂଚନା ଦେଇଥିଲେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ମନୋବିଜ୍ଞାନୀ ମିଚେଲ ଲଏଡ କହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମ୍ୟାକ୍ସୱେଲ ମାତ୍ର ୨୮ ବଲ୍‌ରେ ୬୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୧୩୪ ରନ୍‌ରେ ଜିତି ନେଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ସେ ବ୍ୟାଟିଂ ସୁଯୋଗ ପାଇ ନଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାର ୧୧୮ ରନ୍‌ର ବିଜୟଲକ୍ଷ୍ୟକୁ ଡେଭିଡ ଵାର୍ନର ଓ ଷ୍ଟିଭ ସ୍ମିଥ‌୍ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଅଷ୍ଟ୍ରେଲିଆକୁ ୯ ଵିକେଟ୍‌ରେ ବିଜୟୀ କରାଇଥିଲେ। ସୂଚନାଯୋଗ୍ୟ ଯେ ମ୍ୟାକ୍ସୱେଲ୍‌ ଅଷ୍ଟ୍ରେଲିଆ ପକ୍ଷରୁ ୧୧୦ ଦିନିକିଆ, ୬୧ ଟ୍ବେଣ୍ଟି-୨୦ ଓ ୭ ଟେଷ୍ଟ୍‌ ଖେଳିଛନ୍ତି। ତୃତୀୟ ଟ୍ବେଣ୍ଟି-୨୦ ପାଇଁ ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ (ଅଧିନାୟକ), ସିନ୍ ଆବଟ୍, ଆଷ୍ଟନ ଅଗର, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ବେନ୍ ମ୍ୟାକଡରମଟ୍, କେନ୍ ରିଚାର୍ଡସନ୍, ଡି’ଆର୍ଚି ସର୍ଟ, ଷ୍ଟିଭ ସ୍ମିଥ, ବିଲି ଷ୍ଟାନଲେକ୍, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର, ଡେଭିଡ ଵାର୍ନର, ଆଦାମ୍ ଜାମ୍ପା।

ସମ୍ବନ୍ଧିତ ଖବର