ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ସଂଖ୍ୟାଧିକ ମହାନ୍‌ ସ୍ପିନରଙ୍କ ଆବିର୍ଭାବ ଘଟିଛି। ହେଲେ ନିଜ ନିଜ ଦଳ‌ରେ ଜଣେ ଦକ୍ଷ ୱିକେଟ୍‌ରକ୍ଷକ ନଥିଲେ ସେମାନଙ୍କ ମଧ୍ୟରୁ କେହି ବି ସଫଳତା ହାସଲ କରିପା‌ରିନଥାନ୍ତେ। ତେଣୁ ସ୍ପିନରଙ୍କ ସାମର୍ଥ୍ୟ ପ୍ରମାଣିତ କରିବା ପାଇଁ ଷ୍ଟମ୍ପ୍‌ ପଛରେ ଥିବା ୱିକେଟ୍‌ରକ୍ଷଙ୍କ ହାତ ରହିଛି। ସ୍ପିନରଙ୍କୁ ୱିକେଟ୍‌ରକ୍ଷକଙ୍କ ସହଯୋଗ ନମିଳିଲେ ସଫଳତା ଦୂ‌ରେଇ ଯାଇଥାଏ। ରଣକୌଶଳ ନିର୍ଧାରଣ କରିବା, ପଡ଼ିଆ ସଜାଇବା ଏବଂ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାକୁ ହେଲେ ଉଭୟ ସ୍ପିନର ଓ ୱିକେଟ୍‌ରକ୍ଷକଙ୍କ ମିଳିତ ସହଯୋଗ ଦରକାର। ଆଉ ଯେତେବେଳେ ସେପରି ସୁଯୋଗ ଆସେ ସେତେବେଳେ ବୋଲର ହିଁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପ୍ରତାରଣା କରିପାରେ। ତେବେ ସବୁକ୍ଷେତ୍ରରେ ୱିକେଟ୍‌ରକ୍ଷକଙ୍କ ବାହାଦୁରୀ ହିଁ ରହିଥାଏ। ଏପରି ସ୍ଥିତିରେ କ୍ରିକେଟ୍‌ ଇତିହାସରେ ହାତଗଣତି କିଛି ୱି‌କେଟ୍‌ରକ୍ଷକ ଅଛନ୍ତି, ଯେଉଁମାନେ କି ସେମାନଙ୍କ ଗ୍ଲୋଭ୍‌ର କମାଲ ଦେଖାଇଛନ୍ତି। ସେମାନେ ଏତେ କ୍ଷୀପ୍ର ଗତିରେ ଷ୍ଟମ୍ପିଂ କରିଥାନ୍ତି, ଯେଉଁଥିରେ ବ୍ୟାଟ୍‌ସମ୍ୟାନ୍‌ ଚକିତ ହୋଇଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଷ୍ଟମ୍ପିଂ କରିଥିବା ଶ୍ରେଷ୍ଠ ୫ ଜଣ ୱିକେଟ୍‌ରକ୍ଷକଙ୍କ ସଂପର୍କରେ ଏଠାରେ ଉପସ୍ଥାପନ କରୁଛୁ। ଭାରତୀୟ ଦଳର ପୂର୍ବତନ ୱିକେଟ୍‌ରକ୍ଷକ/ଅଧିନାୟକ ଏମାନଙ୍କ ମଧ୍ୟରୁ ସର୍ବାଗ୍ରେ ରହିଛନ୍ତି।

Advertisment

ମହେନ୍ଦ୍ର ସିଂହ ଧୋନି (୧୨୩ ଷ୍ଟମ୍ପିଂ)
ଦଳର ନେତୃତ୍ବ ନେବାଠାରୁ ତାଙ୍କ ବୋଲରଙ୍କୁ ମାର୍ଗଦର୍ଶନ କରିବା ଏବଂ ୱିକେଟ୍‌ ପଛରେ ବିଜୁଳି ବେଗରେ ଷ୍ଟମ୍ପିଂ କରିବା ସାଙ୍ଗକୁ ବିଭିନ୍ନ ମ୍ୟାଚ୍‌ର ସ୍ଥିତିକୁ ପରଖିବାରେ ଓସ୍ତା‌ଦ୍‌ ଥିଲେ ଭାରତୀୟ ଦଳର ବରିଷ୍ଠ ତାରକା ମହେନ୍ଦ୍ର ସିଂହ ଧୋନି। ଗତ ଦଶନ୍ଧୀରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ଜଣେ ବିଶ୍ବସ୍ତରୀୟ ୱିକେଟ୍‌ରକ୍ଷକର ମାନ୍ୟତା ପାଇଥିଲେ। ଏହି ୩୮ ବର୍ଷ ବୟସ୍କ ତାରକା ତାଙ୍କ ୧୫ ବର୍ଷର ଲମ୍ବା ଦିନିକିଆ ଆନ୍ତର୍ଜାତିକ ଜୀବନ କାଳରେ ୱିକେଟ୍‌ ପଛରେ ଚିଲ ପରି ପ୍ରଦର୍ଶନ କରୁଥିଲେ। ଯାହା ଫଳରେ ସେ ଦିନିକିଆ ଆନ୍ତର୍ଜାତିକରେ ୩୫୦ ମ୍ୟାଚ୍‌ରୁ ୧୨୩ ଷ୍ଟମ୍ପିଂ କରିବାର ଗୌରବ ବହନ କରିଛନ୍ତି। ସେହିକ୍ରମରେ ଦିନିକିଆ ଆନ୍ତର୍ଜାତିକରେ ସବୁଠୁ ଅଧିକ ଷ୍ଟମ୍ପିଂ କରିବାରେ ଧୋନି ଅନ୍ୟ ସମସ୍ତ ୱିକେଟ୍‌ରକ୍ଷକଙ୍କଠୁ ସର୍ବାଗ୍ରେ ରହିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ୱିକେଟ୍‌ ପଛରେ ୩୨୧ କ୍ୟାଚ୍‌ ଧରିଛନ୍ତି। ଫଳରେ ୱିକେଟ୍‌ରକ୍ଷକ ଭାବେ ସେ ୪୪୪ ସଫଳତା ହାତେଇଛନ୍ତି। ଗୋଟିଏ ପାଳି ପ୍ରତି ଡିସ୍‌ମିସାଲ ହାର ଧୋନିଙ୍କର ୧,୨୮୬ ରହିଛି।

କୁମାର ସାଙ୍ଗାକାରା (୯୯ ଷ୍ଟମ୍ପିଂ)
ସିଂହଳୀ ୱିକେଟ୍‌ରକ୍ଷକ ତଥା ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ମଧ୍ୟ ୧୫ ବର୍ଷ ଧରି ଦିନିକିଆ ଆନ୍ତର୍ଜାତିକରେ ଆଧିପତ୍ୟ ଜମାଇଥିଲେ। କ୍ରିକେଟ୍‌ ଇତିହାସରେ ମଧ୍ୟ ତାଙ୍କୁ ଅନ୍ୟତମ ଶ୍ରେଷ୍ଠ ଭାବେ ବିବେଚନା‌ କରାଯାଏ। ନିଜର ବ୍ୟାଟିଂ ସାମର୍ଥ୍ୟ ଭଳି ସାଙ୍ଗାକାରା ମଧ୍ୟ ଷ୍ଟମ୍ପ୍‌ ପଛପଟେ ବେଶ୍‌ ଧୂରନ୍ଦର ଥିଲେ। ମୁଥେୟା ମୁରଲୀଧରନ୍‌ ଓ ଅନ୍ୟ ସିଂହଳୀ ସ୍ପିନରଙ୍କ ଆଗରେ ସେ ଚମତ୍କାର ୱିକେଟ୍‌ରକ୍ଷଣ କରୁଥିଲେ। ସେ ସବୁବେଳେ ତାଙ୍କ ଖେଳର ଶୀର୍ଷରେ ରହୁଥିଲେ। ତାଙ୍କ ଖେଳ ଜୀବନ ମଧ୍ୟରେ ୯୯ ଷ୍ଟମ୍ପିଂ ସହ ସାଙ୍ଗାକାରା ସର୍ବାଧିକ ତାଲିକାରେ ଧୋନିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସାଙ୍ଗାକାରା ମଧ୍ୟ ୩୮୩ କ୍ୟାଚ୍‌ ତାଙ୍କ ନାମରେ ରଖିଛନ୍ତି। ଫଳରେ ୪୦୪ ମ୍ୟାଚ୍‌ରୁ ୱିକେଟ୍‌ ପଛରେ ସାଙ୍ଗାକାରାଙ୍କ ମୋଟ ସଫଳତା ୪୮୨ ରହିଛି। ପାଳି ପ୍ରତି ତାଙ୍କ ଡିସ୍‌ମିସାଲ ହାର ୧.୩୬୫।

ରୁମେଶ କାଲୁବିତରଣା (୭୫ ଷ୍ଟମ୍ପିଂ)
୧୯୯୬ ବିଶ୍ବ ବିଜେତା ଶ୍ରୀଲଙ୍କା ଦଳର ୱିକେଟ୍‌ରକ୍ଷକ ଥିଲେ ରୁମେଶ କାଲୁବିତରଣା। ସେ ୱିକେଟ୍‌ ପଛପଟେ ଖୁବ୍‌ ପ୍ରଭାବୀ ଥିଲେ। ୧୯୯୦ରୁ ୨୦୦୪ ମସିହା ମଧ୍ୟରେ ସେ ଶ୍ରୀଲଙ୍କା ପାଇଁ ଖେଳିଥିଲେ ମୋଟ ୧୮୯ ମ୍ୟାଚ୍‌। ସେଥିରେ ସେ ୭୫ ଷ୍ଟମ୍ପିଂ କରିଥିଲେ। ଷ୍ଟମ୍ପ୍‌ ଉପରୁ ବେଲ୍‌ ଖସାଇବ‌ାରେ ସେ ଥିଲେ ଖୁବ୍‌ ଧୂରନ୍ଦର। ତାଙ୍କ ୱିକେଟ୍‌ରକ୍ଷଣ କଳା ଯୋଗୁଁ ଅନେକ ବ୍ୟାଟ୍‌ସମ୍ୟାନ୍‌ କ୍ରିଜ୍‌ ଛାଡ଼ିବାକୁ ଭୟ କରୁଥିଲେ। ବ୍ୟାଟ୍‌ସମାନ୍‌ଙ୍କ ଚଳନକୁ ଠଉରାଇ ସେ ନିଜ ବୋଲରମାନଙ୍କୁ ଭଲ ଭାବେ ବୁଝିପାରୁଥିଲେ। ୭୫ ଷ୍ଟମ୍ପିଂ ବ୍ୟତୀତ କାଲୁବିତରଣା ମଧ୍ୟ ୱିକେଟ୍‌ ପଛରେ ୧୩୧ କ୍ୟାଚ୍‌ ଧରିଥିଲେ। ମୋଟ ୨୦୬ ସଫଳତା ହାତେଇଥିବା କାଲୁବିତରଣା ସର୍ବାଧିକ ଷ୍ଟମ୍ପିଂ ତାଲିକାର ତୃତୀୟରେ ରହିଛନ୍ତି।

ମୋଇନ୍‌ ଖାନ୍‌ (୭୩ ଷ୍ଟମ୍ପିଂ)
ମୋଇନ୍‌ ଖାନ୍‌ ହେଲେ ପାକିସ୍ତାନ ଦଳର ପୂର୍ବତନ ୱିକେଟ୍‌ରକ୍ଷକ। ୱିକେଟ୍‌ ପଛରେ ଥିଲା ବେଳେ ସେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସ୍ଲେଜିଂ କରିବାର କଳା ଶିଖିଥିଲେ। ଏହା ଦ୍ବାରା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭୁଲ୍‌ କରିବା ପାଇଁ ବାଧ୍ୟ କରିବା ସାଙ୍ଗକୁ ବିଜୁଳି ବେଗରେ ଗ୍ଲୋଭ୍‌ କାର୍ଯ୍ୟ କରିଥା’ନ୍ତି। ଯାହାକି ୧୯୯୦ରୁ ୨୦୦୪ ମଧ୍ୟରେ ଦିନିକିଆ ଆନ୍ତର୍ଜାତିକ ଜୀବନ ଅବସରରେ ତାଙ୍କୁ ଅନ୍ୟ ୱିକେଟ୍‌ରକ୍ଷକଙ୍କଠାରୁ ଭିନ୍ନ କରିଥିଲା। ସାକ୍‌‌ଲିନ୍‌ ମୁସ୍ତାକଙ୍କ ଭଳି ମହାନ ସ୍ପିନରଙ୍କ ବଲ୍‌କୁ ସେ ଚତୁରତାର ସହ କାବୁ କରୁଥିଲେ। ପାକିସ୍ତାନ ପାଇଁ ୭୩ ଷ୍ଟମ୍ପିଂ ଓ ୨୧୪ କ୍ୟାଚ୍‌ ସହିତ ମୋଟ ୨୮୭ ସଫଳତା ପାଇ ମୋଇନ୍‌ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ପାଳି ପ୍ରତି ୧.୩୭୩ ଡିସ୍‌ମିସାଲ ହାର ପାକିସ୍ତାନ ପାଇଁ ତାଙ୍କ ଆନ୍ତର୍ଜାତିକ ଜୀବନର ଉଲ୍ଲେଖନୀୟ ଥିଲା।

ଆଦାମ୍‌ ଗିଲ୍‌ଖ୍ରିଷ୍ଟ (୫୫ ଷ୍ଟମ୍ପିଂ)
ଷ୍ଟମ୍ପ୍‌ ପଛପଟେ ସବୁଠୁ ଦୁଃସାହସିକ ୱିକେଟ୍‌ରକ୍ଷକ ଭାବେ ଆଦାମ୍‌ ଗିଲ୍‌ଖ୍ରିଷ୍ଟଙ୍କୁ ଗଣାଯାଏ। ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ ଭଳି ଦ୍ରୁତ ବୋଲର ଏବଂ ସେନ୍‌ ୱର୍ନଙ୍କ ଭଳି କିଂବଦନ୍ତି ସ୍ପିନରଙ୍କ ବଲ୍‌କୁ ନିୟଂତ୍ରଣ କରିବାର ସାମର୍ଥ୍ୟ ଏହି ଅଷ୍ଟ୍ରେଲୀୟ ତାରକାଙ୍କୁ ୱିକେଟ୍‌ରକ୍ଷକ/ବ୍ୟାଟ୍‌ସମ୍ୟାନ୍‌ଙ୍କ ପୂରା ପିଢ଼ିର ପ୍ରେରଣାଦାୟୀ ଭାବେ ବିବେଚନା‌ କରାଯାଏ। ୱିକେଟ୍‌ ପଛରେ ମୋଟ ୫୫ ଷ୍ଟମ୍ପିଂ କରିଥିବା ଗିଲ୍‌ଖ୍ରିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ତାଲିକାରେ ପଞ୍ଚମରେ ରହିଛନ୍ତି। ସେ ମଧ୍ୟ ୪୧୭ କ୍ୟାଚ୍‌ ଧରିଛନ୍ତି। ଫଳରେ ୱିକେଟ୍‌ ପଛରେ ତାଙ୍କର ମୋଟ ସଫଳତା ସଂଖ୍ୟା ୪୭୨ ରହିଛି। ଅଷ୍ଟ୍ରେଲିଆ ଓ ବିଶ୍ବର ଅନ୍ୟତମ ମହାନ୍‌ ୱିକେଟ୍‌ରକ୍ଷକ ଭାବେ ଜଣାଶୁଣା ଗିଲ୍‌ଖ୍ରିଷ୍ଟଙ୍କ ପାଳି ପ୍ରତି ଡିସ୍‌ମିସାଲ ହାର ସର୍ବାଧିକ ୧.୬୭୯ ରହିଛି।