ଭାରତୀୟ ଯୁବତୀଙ୍କ ପ୍ରେମରେ ମ୍ୟାକ୍ସୱେଲ୍‌

ମେଲ୍‌ବର୍ନ : ଦୁଇ ପାକିସ୍ତାନୀ କ୍ରିକେଟର୍‌ ସୋଏବ୍‌ ମଲ୍ଲିକ ଏବଂ ହାସନ୍‌ ଅଲ୍ଲୀଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି। ଭାରତୀୟ ଯୁବତୀ ସାନିଆ ମିର୍ଜାଙ୍କୁ ସୋଏବ୍‌ ଏବଂ ଗତ ସପ୍ତାହରେ ସାମିଆ ଆର୍ଜୁଙ୍କୁ ହାସନ୍‌ ବିବାହ କରିବା ପରେ ଏବେ ସେମାନଙ୍କ ପଦାଙ୍କ ଅନୁସରଣ କରିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର୍‌ ଗ୍ଲେନ୍‌ ମ୍ୟାକ୍ସୱେଲ୍‌। ମ୍ୟାକ୍ସୱେଲ୍‌ ଅନ୍ୟ ଜଣେ ଭାରତୀୟ ଯୁବତୀ ଭିନି ରମଣଙ୍କ ପ୍ରେମ ଜାଲରେ ଛନ୍ଦି ହୋଇଛନ୍ତି।

ଭାରତୀୟ ଜନ୍ମିତ ଭିନି ମେଲ୍‌ବର୍ନରେ ଅବସ୍ଥାନ କରନ୍ତି। ତାଙ୍କ ସହ ମ୍ୟାକ୍ସୱେଲ୍‌ ବହୁ ଦିନ ଧରି ପ୍ରେମ ସଂପର୍କ ରଖିଛନ୍ତି। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ହେଲେ ଏହି ପ୍ରେମୀ ଯୁଗଳ ବିବାହ କରିବେ ନା ନାହିଁ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତଥାପି ଯଦି ଦୁହେଁ ବିବାହ କରନ୍ତି, ତେବେ ଭାରତ-ଅଷ୍ଟ୍ରେଲିଆ ଦମ୍ପତ୍ତି ଭାବେ ଗଣାହେବେ। ହେଲେ ଏଭଳି ହେବାରେ ଭିନି-ମ୍ୟାକ୍ସୱେଲ୍‌ ଅଷ୍ଟ୍ରେଲୀୟ କ୍ରିକେଟ୍‌ର ଭାବେ ପ୍ରଥମ ହେବେନି। କାରଣ ତାଙ୍କ ପୂର୍ବରୁ ଅନ୍ୟତମ ଅଷ୍ଟ୍ରେଲୀୟ କ୍ରିକେଟର୍‌ ତଥା ପୂର୍ବତନ ଦ୍ରୁତ ବୋଲର ସନ୍‌ ଟେଟ୍‌ ମଧ୍ୟ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିସାରିଛନ୍ତି। ଟେଟ୍‌ ୨୦୧୪ରେ ଭାରତୀୟ ଯୁବତୀ ମସୁମ୍‌ ସିଂଘାଙ୍କୁ ବିବାହ କରିଥିଲେ। ଦୁହେଁ ଏକ ଆଇପିଏଲ୍‌ ପାର୍ଟିରେ ପରସ୍ପରକୁ ଭେଟିଥିଲେ ଏବଂ ସେଠାରୁ ଉଭୟଙ୍କ ପ୍ରେମ ସଂପର୍କ ଗଠି ଉଠିଥିଲା।

ସମ୍ବନ୍ଧିତ ଖବର