ଭାରତୀୟ ରୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଗ୍ଲେନ୍‌ ମ୍ୟାକ୍ସୱେଲ୍‌

ମେଲ୍‌ବର୍ଣ୍ଣ : କିଏ କାହାର ଜୀବନସାଥୀ ହେବେ ତାହା ବାସ୍ତବରେ ନିୟତି ସ୍ଥିର କରିସାରିଥାଏ। ସେହିଦୃଷ୍ଟିରୁ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ଏବେ ତାଙ୍କ ଭାରତୀୟ ବଂଶୋଦ୍ଭବ ପ୍ରେମିକା ଭିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ମେଲ୍‌ବର୍ଣ୍ଣରେ ହେବାକୁ ସ୍ଥିର ହୋଇଥିଲା ବେଳେ ଭାରତୀୟ ରୀତିନୀତି ଅନୁଯାୟୀ ସଂପନ୍ନ ହେବ ବୋଲି କହିଛନ୍ତି ମ୍ୟାକ୍ସୱେଲ। ମାର୍ଚ୍ଚ ୨୭ ତାରିଖରେ ଉଭୟ ମ୍ୟାକ୍ସୱେଲ ଏବଂ ଭିନି ବିବାହ ବନ୍ଧନରେ ଆବଦ୍ଧ ହେ‌ବେ।

ଭିନି ତାମିଲନାଡୁର ଏକ ବ୍ରାହ୍ମଣ ପରିବାରର ଝିଅ। ହେଲେ ସେ ମେଲ୍‌ବର୍ଣ୍ଣରେ ଜନ୍ମ ଏବଂ ସେହିଠାରେ ହିଁ ବଢ଼ିଛନ୍ତି। ତାଙ୍କ ପିତା ରାମାନୁଜ ଦାସନ ଏବଂ ମା’ ବିଜୟଲକ୍ଷ୍ମୀ ରମଣ ଭିନି ଜନ୍ମ ହେବା ପୂର୍ବରୁ ହିଁ ଅଷ୍ଟ୍ରେଲିଆ ଯାଇଥିଲେ। ସେହିଠାରେ ହିଁ ଭିନି ପରିବାର ସହ ଅବସ୍ଥାନ କରନ୍ତି। ୨୦୧୭ରୁ ସାମାଜିକ ଗଣମାଧ୍ୟମରେ ମ୍ୟାକ୍ସୱେଲ୍‌ଙ୍କ ସହ ଭିନି ବିତାଇଥିବା ଅନେକ ମୁହୂର୍ତ୍ତ ସେୟାର କରୁଥିଲେ। ହେଲେ ୨୦୧୯ରେ ମ୍ୟାକ୍ସୱେଲ୍‌ ଜିତିଥିବା ଅଷ୍ଟ୍ରେଲୀୟ କ୍ରିକେଟ୍‌ ପୁରସ୍କାରକୁ ଯେତେବେଳେ ଭିନିଙ୍କ ହାତରେ ଧରାଇଥିଲେ ସେତେବେଳଠୁ ଭିନିଙ୍କ ନାମ ଚର୍ଚ୍ଚାକୁ ଆସିଥିଲା।

ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ବେଳେ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ମେଲ୍‌ବର୍ଣ୍ଣରେ ପାରମ୍ପରିକ ଭାରତୀୟ ରୀତି ମୁତା‌ବକ ନିର୍ବନ୍ଧ ସଂପନ୍ନ ହୋ‌ଇଥିଲା। ସେତେବେଳ ମ୍ୟାକ୍ସୱେଲ ନୀଳ ରଙ୍ଗର ସେରୱାନି ପରିଧାନ କରିଥିଲା ବେଳେ ଭିନି ଏକ ଲେହଙ୍ଗା ପିନ୍ଧିଥିବାର ଦେଖାଯାଇଥିଲା। ଉଭୟେ ଶୀଘ୍ର ବିବାହ କରିବାକୁ ଯୋଜନା କରିଥିଲେ ମଧ୍ୟ କୋଭିଡ୍‌ ମହାମାରୀର ଲହର ପରେ ଲହର ଯୋଗୁଁ ଏହା ବିଳମ୍ବିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ତାମିଲ ଭାଷାରେ ଲିଖିତ ନିମନ୍ତ୍ରଣ ପତ୍ରରୁ ଏହି ବିବାହ ପାରମ୍ପରିକ ଭାରତୀୟ ରୀତି ଅନୁଯାୟୀ ହେବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର