ନୂଆଦିଲ୍ଲୀ: ଅଗାମୀ ଆଇପିଏଲ୍ ଲାଗି ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲଙ୍କୁ ସୋମବାର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଭାବେ ନିଯୁକ୍ତ କରିଛି। ଭାରତୀୟ ଟେଷ୍ଟ୍ ଦଳରେ ସଦସ୍ୟ ଥିବା ୩୧ ବର୍ଷୀୟ ମୟଙ୍କଙ୍କ ସହ ଅର୍ଶଦୀପ ସିଂହଙ୍କୁ ପଞ୍ଜାବ କିଙ୍ଗ୍ସ ନିଲାମ ପୂର୍ବରୁ ରିଟେନ୍ ରଖିଥିଲା। ୨୦୧୮ରେ ପଞ୍ଜାବ କିଙ୍ଗ୍ସରେ ଯୋଗ ଦେଇଥିବା ମୟଙ୍କ ଦଳର ଉପଅଧିନାୟକ ଦାୟିତ୍ବରେ ରହିଥିଲେ।
ଗତ ସଂସ୍କରଣରେ ସେ ମଧ୍ୟ କିଛି ମ୍ୟାଚ୍ରେ ନେତୃ୍ତ୍ବ ଭାର ସମ୍ଭାଳିଥିଲେ। ୨୦୧୧ରେ ଆଇପିଏଲ୍ ପଦାର୍ପଣ କରିଥିବା ମୟଙ୍କ ଗତ ଦୁଇ ଋତୁରେ ୪୦୦ରୁ ଊର୍ଦ୍ଧ୍ବ ରନ୍ କରିଛନ୍ତି। ସେ ଦେଶ ପାଇଁ ୧୯ ଟେଷ୍ଟ୍ ଖେଳି ୪ ଶତକ ସହ ୧୪୨୯ ରନ୍ କରିବା ସହ ୫ ଦିନିକିଆ ଖେଳିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ରେ ଫାଇନାଲ୍ ପହଞ୍ଚିବା ପଞ୍ଜାବ କିଙ୍ଗ୍ସର ଶ୍ରେଷ୍ଠ ପ୍ରଦର୍ଶନ।