ମୟଙ୍କ ମହକ: ୫୦୨/୭ରେ ଭାରତର ପାଳି ଘୋଷଣା, ଦକ୍ଷିଣ ଆଫ୍ରିକା ୩୯/୩

ବିଶାଖାପାଟଣା: ବିଶାଖାପାଟଣା ଟେଷ୍ଟ୍‌ରେ ଭାରତ ଦୃଢ଼ ସ୍ଥିତି ପାଇଯା‌ଇଛି। ମୟଙ୍କ ଅଗ୍ରୱାଲ (୨୧୫)ଙ୍କ ପ୍ରଥମ ଦ୍ବିଶତକ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମା (୧୭୬)ଙ୍କ ପ୍ରଥମ ଶତକ ବଳରେ ୭ ୱିକେଟ୍ ବିନିମୟରେ ୫୦୨ ରନ୍ କରି ପାଳି ଘୋଷଣା କରିଛି ଭାରତ। ଏହା ପରେ ରବିଚନ୍ଦ୍ରନ୍ ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜା ନିଜ ସ୍ପିନ୍ ଶକ୍ତିରେ ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇ ମ୍ୟାଚ୍‌କୁ ପୂରା ଭାରତ ନିୟନ୍ତ୍ରଣକୁ ନେଇ ଆସିଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗୁରୁବାର ଦ୍ବିତୀୟ ଦିନରେ ୨୦ ଓଭର ଖେଳି ମାତ୍ର ୩୯ ରନ୍ କରିଥିଲା ବେଳେ ତିନିଟି ବହୁମୂଲ୍ୟ ୱିକେଟ୍‌ ହରାଇଛି। ଅଶ୍ବିନ ଏହି ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏଦେନ ମର୍କରାମ (୫) ଓ ଯୁବ ତାରକା ଥିଉନିସ୍ ଡି’ ବ୍ରୁଇନ୍ (୪)ଙ୍କୁ ଶିକାର କରିଥିଲା ବେଳେ ଡେନ୍ ପିଦ୍‌ (୦)ଙ୍କୁ ଖାତା ଖୋଲିବାର ସୁଯୋଗ ନେଇ ନଥିଲେ ଜାଦେଜା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଡିନ୍ ଏଲଗାର ୨୭ ଓ ଟେମ୍ବା ବଭୁମା ୨ ରନ୍ କରି ଅପରାଜିତ ରହିଛନ୍ତି। ବୋଲରଙ୍କୁ ସୁହାଇ ଆସୁଥିବା ରାଜଶେଖର ରେଡ୍ଡୀ ଷ୍ଟାଡିୟମ ପିଚ୍‌ରେ ହାତରେ ଆଉ ୭ ୱିକେଟ୍ ଥାଇ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୬୩ ରନ୍ ପଛରେ ରହିଛି।

ବୁଧବାର ପ୍ରଥମ ଦିନର ତୃତୀୟ ତଥା ଶେଷ ଅଧିବେଶନକୁ ବର୍ଷା ଧୋଇ ନେବା ବେଳକୁ ଭାରତ ବିନା କ୍ଷତିରେ ୨୦୨ ରନ୍ କରି ନେଇଥିଲା। ଗୁରୁବାର ସେହି ସ୍କୋରରୁ ଖେଳ ଆରମ୍ଭ କରି ମୟଙ୍କ ଏବଂ ରୋହିତ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରୁ ଚାପ ହଟିବାକୁ ଦେଇ ନଥିଲେ। ୮୪ ରନ୍‌ରେ ଅପରାଜିତ ଥିବା ମୟଙ୍କ ୨୦୪ ବଲ୍‌ରୁ ୧୩ ଚୌକା ଓ ୨ ଛକା ବଳରେ ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ରୋହିତ ଦ୍ବିଶତକ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲା ବେଳେ ଭାରତୀୟ ବଂଶୋଦ୍ଭବ ସ୍ପିନର କେଶବ ମହାରାଜ ତାଙ୍କୁ କ୍ବିଣ୍ଟନ୍ ଡି’କକଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ଭାରତ ଏହା ପରେ ୬୦ ରନ୍ ଭିତରେ ଅଧିନାୟକ ବିରାଟ କୋହଲି (୨୦) ଓ ଚେତେଶ୍ବର ପୂଜାରା (୬)ଙ୍କୁ ହରାଇଥିଲା। ମୟଙ୍କ କିନ୍ତୁ ସହଜରେ ରନ୍ ସଂଗ୍ରହ କରିବା ଜାରି ରଖି ୩୫୮ ବଲ୍‌ରୁ ୨୨ ଚୌକା ଏବଂ ୫ ଛକା ସହାୟତାରେ ନିଜର ପ୍ରଥମ ଦ୍ବିଶତକ ହାସଲ କରିଥିଲେ।

ପ୍ରଥମ ଶତକକୁ ଦ୍ବିଶତକ କରିବାରେ ମୟଙ୍କ ଚତୁର୍ଥ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଏକାଧିକ କୀର୍ତ୍ତିମାନ କରିଛନ୍ତି। ରୋହିତ ଶର୍ମାଙ୍କ ସହ ମିଶି ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବୋଚ୍ଚ ଭାଗୀଦାରି କରିବା ସହ ପ୍ରଥମ ଟେଷ୍ଟ ଶତକକୁ ଦ୍ବିଶତକରେ ରୂପାନ୍ତର କରିବାରେ ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହିକ୍ରମରେ ସେ ଦିଲୀପ ସର୍ଦେଶାଇ (୨୦୦*), ବିନୋଦ କାମ୍ବଲି (୨୨୪) ଓ କରୁଣ ନାୟର (୩୦୦*)ଙ୍କ ସମକକ୍ଷ ହୋଇଛନ୍ତି। ମୟଙ୍କ କରିଥିବା ୨୧୫ ରନ୍ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ପାଳି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିବା ୭୭ ରନ୍ ଥିଲା ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ମୟଙ୍କଙ୍କର ଏହା ମଧ୍ୟ ଥିଲା ନବମ ପ୍ରଥମ ଶ୍ରେଣୀ ଶତକ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ତୃତୀୟ ଥର ପାଇଁ ୨୦୦ ଟପିଲେ। ସେଥିମଧ୍ୟରେ ଏକ ତ୍ରିଶତକ ମଧ୍ୟ ଅଛି। ରୋହିତ-ମୟଙ୍କ ୩୧୭ ରନ୍‌ର ଭାଗୀଦାରି କରି ବୀରେନ୍ଦ୍ର ସେହବାଗ ଏବଂ ରାହୁଲ ଦ୍ରାବିଡ଼ଙ୍କୁ କା‌ଟିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହବାଗ-ଦ୍ରାବିଡ଼ ୨୦୦୮ରେ ଚେନ୍ନାଇରେ ଦ୍ବିତୀୟ ୱିକେଟ୍‌ରେ କରିଥିବା ୨୬୮ ରନ୍ ଏହି ଦଳ ବିପକ୍ଷରେ ଭାରତର ସର୍ବୋଚ୍ଚ ଭାଗୀଦାରି ହୋଇରହିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ-ରୋହିତ ପ୍ରଥମ ୱିକେଟ୍‌ରେ ସର୍ବାଧିକ ରନ୍ ସଂଗ୍ରହ କଲେ। ପୂର୍ବରୁ ଏହି କୀର୍ତ୍ତିମାନ ସେହବାଗ ଏବଂ ଗୌତମ ଗମ୍ଭୀରଙ୍କ ନାମରେ ଥିଲା। ସେହବାଗ-ଗମ୍ଭୀର ୨୦୦୪ରେ କାନପୁରଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୧୮ ରନ୍ କରିଥିଲେ। ମୟଙ୍କ-ରୋହିତଙ୍କ ୩୧୭ ରନ୍ ଭାରତର ତୃତୀୟ ସର୍ବବୃହତ୍ ଭାଗୀଦାରି ଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଚେନ୍ନାଇରେ ବିନୁ ମଙ୍ଗଡ଼ ଓ ପଙ୍କଜ ରାଏ ୧୯୫୬ରେ କରିଥିବା ୪୧୩ ଏବଂ ୨୦୦୬ରେ ଲାହୋରଠାରେ ବୀରେନ୍ଦ୍ର ସେହବାଗ ଓ ରାହୁଲ ଦ୍ରାବିଡ଼ କରିଥିବା ୪୧୦ ରନ୍ କେବଳ ଏହାଠାରୁ ଅଧିକ।

୬ ବର୍ଷ ପରେ ୮୦ରୁ ଅଧିକ ଓଭର
ରୋହିତ ଶର୍ମା-ମୟଙ୍କ ଅଗ୍ରୱାଲ ୮୨ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ୬ ବର୍ଷ ପରେ କୌଣସି ଦଳର ପ୍ରଥମ ୱିକେଟ୍ ଯୋଡ଼ି ୮୦ କିମ୍ବା ତା’ଠାରୁ ଅଧିକ ଓଭର ପର୍ଯ୍ୟନ୍ତ ଅତୁଟ ରହିଥିଲା। ଶେଷ ଥର ପାଇଁ ୨୦୧୩ରେ ଡୁନେଡିନଠାରେ ଇଂଲଣ୍ଡର ଆଲିଷ୍ଟର କୁକ୍ ଏବଂ ନିକ୍ କମ୍ପଟନ୍ ପ୍ରଥମ ୱିକେଟ୍ ଯୋଡ଼ି ଭାବେ ୮୦ରୁ ଅଧିକ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ରହିଥିଲେ। ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ପୂର୍ବ ୧୨ ପାଳିରେ କରିଥିବା ମୋଟ ରନ୍‌କୁ ବିଶାଖାପାଟଣା ଟେଷ୍ଟ୍‌ର ଗୋଟିଏ ପାଳିରେ ଟପି ଯାଇଥିଲେ। ପୂର୍ବ ୧୨ ପାଳିରେ ରୋହିତ ସର୍ବମୋଟ ୧୪୯ ରନ୍ କରିଥିଲେ। ବିଶାଖାପାଟଣାରେ ସେ ୧୭୬ ରନ୍‌ର ପାଳି ଖେଳିଥିଲେ। ଉଭୟ ରୋହିତ-ମୟଙ୍କ ୬ଟି ଲେଖାଏଁ ଛକା ମାରିଥିଲେ। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତୀୟ ଓପନରମାନେ ଗୋଟିଏ ପାଳିରେ ମାରିଥିବା ଛକା‌ରେ ଏହା ସର୍ବାଧିକ। ସେହିଭଳି ଭାରତ ତା’ ପ‌ାଳିରେ ମୋଟ ୧୩ ଛକା ମାରିଥିଲା। ପୂର୍ବରୁ କେବଳ ଥରେ ଭାରତ ଗୋଟିଏ ପାଳିରେ ଏହାଠାରୁ ଅଧିକ ଛକା ମାରିଥିଲା। ୨୦୦୯ରେ ବ୍ରାବର୍ଣ୍ଣ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ପାଳିରେ ଭାରତ ୧୫ ଛକା ମାରିଥିଲା।

ସମ୍ବନ୍ଧିତ ଖବର