ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ନୂଆ ଦ୍ରୁତ ବୋଲର ମୟଙ୍କ ୟାଦବ ଆଗାମୀ ଆଇପିଏଲ୍ର କୋଟିପତି ଖେଳାଳି ତାଲିକାରେ ସାମିଲ ହୋଇଯିବେ। ବାଂଲାଦେଶ ବିପକ୍ଷରେ ରବିବାର ପଦାର୍ପଣ କରିବା ପରେ ସେ ନିଲାମରେ ୧୧ କୋଟି ଟଙ୍କା ପାଇବା ସମ୍ଭାବନା ଦେଖାଦେଇଛି। ଆଇପିଏଲ୍ର ଖେଳାଳି ସଂରକ୍ଷିତ ରଖିବା ନିୟମକୁ ସମୀକ୍ଷା କରାଯିବା ପରେ ଏହି ଅନୁମାନ କରାଯାଉଛି। ନୂଆ ନିୟମ ଅନୁସାରେ, ନିଲାମ ପୂର୍ବରୁ ଯଦି ଜଣେ ଖେଳାଳି ଆନ୍ତର୍ଜାତିକ ପଦାର୍ପଣ କରନ୍ତି, ତାହେଲେ ତାଙ୍କୁ ‘କ୍ୟାପ୍ଡ ପ୍ଲେୟର’ ବର୍ଗରେ ନିଆଯିବ। ତେଣୁ ‘କ୍ୟାପ୍ଡ ପ୍ଲେୟର’ ସଂରକ୍ଷିତ ରଖାଯିବା ନିୟମରେ ପ୍ରଥମ ପ୍ରସନ୍ଦର ଖେଳାଳିଙ୍କୁ ସର୍ବନିମ୍ନ ୧୮ କୋଟି, ଦ୍ବିତୀୟ ପସନ୍ଦଙ୍କୁ ୧୪ କୋଟି ଓ ତୃତୀୟ ପସନ୍ଦଙ୍କୁ ଅନ୍ୟୂନ ୧୧ କୋଟି ଟଙ୍କା ଫ୍ରାଞ୍ଚାଇଜ୍ ପ୍ରଦାନ କରିବେ। ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫ୍ରାଞ୍ଚାଇଜ୍ ଖେଳାଳି ସଂରକ୍ଷିତ ତାଲିକା ପ୍ରଦାନ କରିବେ। ସେତେବେଳକୁ ମୟଙ୍କ ବାଂଲାଦେଶ ଶୃଙ୍ଖଳା ଶେଷ କରିସାରିଥିବେ।
ମୟଙ୍କଙ୍କ ଆଇପିଏଲ୍ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୨୦୨୩ରେ ‘ଅନ୍କ୍ୟାପ୍ଡ’ ଖେଳାଳି ଭାବେ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ଦଳ ପାଖରେ କେଏଲ୍ ରାହୁଲ, କ୍ବିଣ୍ଟନ ଡି’କକ୍, ନିକୋଲାସ ପୂରନ, ମାର୍କସ ଷ୍ଟୋଇନିସ୍ଙ୍କ ଭଳି ହେଭିୱେଟ୍ ଖେଳାଳି ଅଛନ୍ତି। କିନ୍ତୁ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଓ ନୂଆ ମେଣ୍ଟର ଜାହିର ଖାନ୍ କୌଣସି ମତେ ମୟଙ୍କଙ୍କ ଭଳି ଏକ ହୀରାକୁ ନିଲାମ ଭିତରକୁ ଠେଲି ରିସ୍କ ନେବାକୁ ଚାହିବେନି। ଦୁଇ ବର୍ଷ ଧରି ମୟଙ୍କଙ୍କ ଉପରେ ଦଳ ଅନେକ କିଛି ବିନିଯୋଗ କରିଛି। ଭବିଷ୍ୟତରେ ସେ ଦଳର ପ୍ରମୁଖ ଖେଳାଳି ହୋଇପାରନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଯଦିବି ତାଙ୍କୁ ତୃତୀୟ ସଂରକ୍ଷିତ ଖେଳାଳି ଭାବେ ରଖାଯାଏ, ତାହେଲେ ମଧ୍ୟ ଅନ୍ୟୂନ ୧୧ କୋଟି ଟଙ୍କା ମୟଙ୍କ ପାଇବେ। ଅନ୍ୟପକ୍ଷରେ ସମାନ ଘଟଣା ନୀତୀଶ ରେଡ୍ଡୀଙ୍କ ସହିତ ଘଟିବନି। କାରଣ ସନରାଇଜର୍ସ ହାଇଦ୍ରାବାଦ ଦଳରେ ପାଟ୍ କମିନ୍ସ, ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମାଙ୍କ ଭଳି ମ୍ୟାଚ୍ ବିଜେତା ଥିବାରୁ ଦଳ ନୀତୀଶଙ୍କ କ୍ଷେତ୍ରରେ ସାଲିସ୍ କରିପାରେ। କିନ୍ତୁ ତାଙ୍କୁ ‘ରାଇଟ୍ ଟୁ ମ୍ୟାଚ୍ (ଆର୍ଟିଏମ୍)’ର ଫାଇଦା ମିଳିପାରେ।