ମୟଙ୍କଙ୍କ ପୁନେ ପରାକ୍ରମ: ପ୍ରଥମ ଦିନରେ ଭାରତ ୨୭୩/୩, ଗାଙ୍ଗୁଲିଙ୍କୁ କାଟିଲେ କୋହଲି

ପୁନେ: ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ (ଏମସିଏ) ପଡ଼ିଆରେ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌। ଆଉ ଏହି ମୁକାବିଲାର ପ୍ରଥମ ଦିନରେ ହିଁ ଭାରତ ସ୍ଥିତି ସୁଦୃଢ଼ କରି ନେଇଛି। ଭାରତ ଗୁରୁବାରର ୮୫.୧ ଓଭର ଖେଳରେ ୩ ୱିକେଟ୍ ହରାଇ ୨୭୩ ରନ୍ କରିନେଇଛି। ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଦିନ ସାରା ନୟାନ୍ତ କରିଛନ୍ତି। ଯୁବ ତାରକା ମୟଙ୍କ ଅଗ୍ରୱାଲ (୧୦୮) ଆଉ ଏକ ଶତକୀୟ ପାଳି ଖେଳି ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି। ବିଶାଖାପାଟଣା ଟେଷ୍ଟ୍‌ ବିଜୟର ନାୟକ ରୋହିତ ଶର୍ମା (୧୪) ବିଶେଷ କିଛି କରି ପାରି ନଥିଲେ ମଧ୍ୟ ଚେତେଶ୍ବର ପୂଜାରା (୫୫) ଓ ଅଧିନାୟକ ବିରାଟ ‌କୋହଲି (୬୩) ଅର୍ଧଶତକୀୟ ପାଳି ଖେଳି ଏହି କ୍ଷତିକୁ ଭରଣା କରି ନେଇଛନ୍ତି। ପୂଜାରା ୨୨ତମ ଅଧର୍ଶତକ ଅର୍ଜନ କରିଛନ୍ତି। ସେ ଅବଶ୍ୟ ଏହାକୁ ଶତକରେ ରୂପାନ୍ତର କରି ପାରି ନାହାନ୍ତି। ଅନ୍ୟପକ୍ଷରେ କୋହଲି ୨୩ତମ ଅର୍ଧଶତକ ହାସଲ କରିଛନ୍ତି। ଅପରାଜିତ ରହିଥିବାରୁ ପାଞ୍ଚଟି ଟେଷ୍ଟ୍‌ ପରେ କୋହଲିଙ୍କ ଶତକ ଅର୍ଜନ ଆଶା କିନ୍ତୁ ଅତୁଟ ରହିଛି। ସେ ମଧ୍ୟ ଗୁରୁବାର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟପି ୫୦ ଟେଷ୍ଟ୍‌ରେ ଭାରତର ଅଧିନାୟକତ୍ବ କରିଛନ୍ତି। ଏହି କ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି (୬୦ ଟେଷ୍ଟ୍) ପ୍ରଥମ ସ୍ଥାନରେ ରହିଛନ୍ତି।

ଆଲୋକ ଅଭାବରୁ ଆଗୁଆ ଖେଳ ବନ୍ଦ
ଗୁରୁବାର ଆଲୋକ ଅଭାବରୁ ଅମ୍ପାୟାର ନିର୍ଧାରିତ ୯୦ ଓଭରର ୨୯ ବଲ୍ ପୂର୍ବରୁ ଖେଳ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ସେତେବେଳକୁ କୋହଲିଙ୍କ ସହ ଉପଅଧିନାୟକ ଅଜିଙ୍କ୍ୟ ରାହ‌ାଣେ ୧୮ ରନ୍ କରି ବ୍ୟାଟିଂ କରୁଥିଲେ। ଦକ୍ଷିଣ ଆଫ୍ରିକା ‌େମାଟ ୬ ଜଣ ବୋଲରଙ୍କୁ ଆକ୍ରମଣରେ ଲଗାଇଥିଲା। ହେଲେ ଭାରତର ସମସ୍ତ ତିନିଟି ଯାକ ୱିକେଟ୍‌ ଏକା କାଗିସୋ ରବାଦା ହିଁ ନେଇଥିଲେ। ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ମୟଙ୍କ ତାଙ୍କ ଷ୍ଟ୍ରୋକ୍‌ଭରା ପାଳିରେ ୧୬ ଚୌକା ଓ ୨ ଛକା ମାରିଥିଲେ। ୧୮୩ ବଲ୍‌ରୁ ସେ ତିନି ଅଙ୍କ ଛୁଇଁଥିଲେ। ବିଶାଖାପାଟଣା ଟେଷ୍ଟ୍‌ର ପ୍ରଥମ ପାଳିରେ କର୍ଣ୍ଣାଟକର ଏହି ୨୯ ବର୍ଷୀୟ ଖେଳାଳି ଦ୍ବିଶତକ ଅର୍ଜନ କରିଥିଲେ।

ଗୁରୁବାର ଖେଳ ଆରମ୍ଭର ପ୍ରଥମ ଏକ ଘଣ୍ଟାରେ ଦକ୍ଷିଣ ଆଫ୍ରିକା ବୋଲର ଭାରତୀୟ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମାଙ୍କୁ ବହୁବାର ଅସୁବିଧାରେ ପକାଇଥିଲେ। ଦଳୀୟ ସ୍କୋର୍‌ ୨୫ରେ ରୋହିତଙ୍କୁ ପ୍ୟାଭିଲିୟନ ଫେରାଇ ରବାଦା ଦକ୍ଷିଣ ଆଫ୍ରିକା ଶିବିରରେ ଉତ୍ସାହ ଭରି ଦେଇଥିଲେ। ତେବେ ଏହା ପରେ ମୟଙ୍କ ଓ ପୂଜାରା ଦ୍ବିତୀୟ ୱିକେଟ୍‌ରେ ୧୩୮ ରନ୍ ଯୋଡ଼ି ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ପୂଜାରା ୫୧ତମ ଓଭରର ଶେଷ ବଲ୍‌ରେ ରବାଦାଙ୍କ ଶିକାର ହେବା ପରେ କୋହଲି-ମୟଙ୍କ ତୃତୀୟ ୱିକେଟ୍‌ରେ ୩୫ ରନ୍ ଯୋଡ଼ିଥିଲେ। ମୟଙ୍କ ଶତକ ପୂରଣର ୮ ରନ୍ ପରେ ସେହି ରବାଦାଙ୍କୁ ନିଜ ୱିକେଟ୍ ଦେଇଥିଲେ। ମୟଙ୍କ ପାଭିଲିୟନ୍‌ ଫେରିବା ପରେ କୋହଲି-ରାହାଣେ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୭୫ ରନ୍ ଯୋଡ଼ିଛନ୍ତି। ଦିନର ଶେଷ ବଲ୍‌ (୮୫.୧ ଓଭର)ରେ ରବାଦାଙ୍କୁ ରାହାଣେ ଚୌକା ମାରିବା ସହ ଅମ୍ପାୟାର ଷ୍ଟମ୍ପ୍ସ ଅପସାରଣ ସଂକେତ ଦେଇଥିଲେ। ଏହା ପୂର୍ବରୁ ନୂଆ ବଲ୍‌ରେ ୫.୧ ଓଭର ଖେଳ ହୋଇ ସାରିଥିଲା। ଉଭୟ ଭାରତ (ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବ) ଓ ଦକ୍ଷିଣ ଆଫ୍ରିକା ( ଡାନେ ପିଦଙ୍କ ସ୍ଥାନରେ ଆନରିଚ୍ ନର୍ତଜେ) ଗୋଟିଏ ଲେଖାଏଁ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର