ସ୍ମରଣୀୟ ପଶ୍ଚାତ୍‌ଧାବନ: ମେୟର୍ସଙ୍କ ପଦାର୍ପଣ ଦ୍ବିଶତକ ଦେଲା ଅପ୍ରତ୍ୟାଶିତ ବିଜୟ, ବାଂଲାଦେଶକୁ ହରାଇଲା ଇଣ୍ଡିଜ୍‌

ତୋଫାନ ମାରିଆରୁ ବର୍ତ୍ତିଥିଲେ, ପଞ୍ଚମ ସର୍ବୋଚ୍ଚ ସଫଳ ପଶ୍ଚାତ୍‌ଧାବନ

ଚଟ୍ଟଗ୍ରାମ: ଗତ ମାସରେ ଗାବାରେ ଅଷ୍ଟ୍ରେଲିଆର ଅପରାଜେୟ ଧାରାକୁ ଭାରତ ଭାଙ୍ଗିବା ଭଳି ରବିବାର ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ ଆଉ ଏକ ବୃହତ୍‌ ପଶ୍ଚାତ୍‌ଧାବନ ବିଜୟ ଦେଖିଛି। ଦୁଇଟି ବଡ଼ ଭାଗୀଦାରି ବଳରେ ୱେଷ୍ଟଇଣ୍ଡିଜ୍‌ ହାରିବା ମ୍ୟାଚ୍‌କୁ ଜିତିଯାଇଛି। ଅନଭିଜ୍ଞ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୯୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ପଞ୍ଚମ ଦିନ ପିଚ୍‌ରେ ଖେଳି ବିଜୟୀ ହେବା ଆଶା କ୍ଷୀଣ ଥିଲା। ଭ୍ରମଣକାରୀ ଦଳ ଡ୍ର’ ପାଇଁ ଖେଳି ବର୍ତ୍ତିବା ଲକ୍ଷ୍ୟରେ ରହିବ ବୋଲି ମଧ୍ୟ ଅଧିକାଂଶ କ୍ରିକେଟ୍ ପଣ୍ଡିତ ଆକଳନ କରିଥିଲେ। ତେବେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ଦେଇଥିଲେ ପଦାର୍ପଣକାରୀ ବାମହାତୀ ବ୍ୟାଟ୍ସମ୍ୟାନ୍‌ କାଇଲ୍ ମେୟର୍ସ। ୨୧୦* ରନ୍‌ର ସାହସିକ ପାଳି ଖେଳି ଅସମ୍ଭବକୁ ସମ୍ଭବ କରି ଦେଇଥିଲେ। ୩୧୦ ବଲ୍‌ ଖେଳି ୨୦ ଚୌକା ଓ ୭ ଆକର୍ଷଣୀୟ ଛକା ମାରିଥିବା ଏହି ନବାଗତ ବ୍ୟାଟିଂ ଅଲରାଉଣ୍ଡର୍‌ ଦୁଇଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରିରେ ସାମିଲ ରହିଥିଲେ।

ୱେଷ୍ଟଇଣ୍ଡିଜ୍‌ ୫୯ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିବା ବେଳେ ନକ୍ରମା ବୋନର୍‌ (୮୬, ୨୪୫ ବଲ୍‌, ୧୦ ଚୌକା, ୧ ଛକା)ଙ୍କୁ ନେଇ ମେୟର୍ସ ୨୧୬ ରନ୍‌ ଭାଗୀଦାରି ଗଢ଼ିଥିଲେ। ଏହା ପରେ ଯଶୁଆ ଡି’ ସିଲଭା (୨୦, ୫୯ ବଲ୍‌)ଙ୍କୁ ନେଇ ଷଷ୍ଠ ୱିକେଟ୍ ଭାଗୀଦାରିରେ ୧୦୦ ରନ୍‌ ଯୋଡ଼ି ବାଂଲାଦେଶ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ୩ ୱିକେଟ୍‌ରେ ରୋମାଞ୍ଚକ ବିଜୟ ସହିତ ୨ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପଦାର୍ପଣରେ ଦ୍ବିଶତକ ହାସଲ କରିବା ସହ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଥିବା ୨୮ ବର୍ଷୀୟ ବାର୍ବାଡସ୍ ବାମହାତୀ ବ୍ୟାଟ୍ସମ୍ୟାନ୍‌ ମେୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି।

ତୋଫାନ ମାରିଆରୁ ବର୍ତ୍ତିଥିଲେ
୨୦୧୭ ମସିହାର ଭୟଙ୍କର ଝଡ଼ତୋଫାନ ମାରିଆ କବଳରେ ଫସିଯାଇଥିବା କାଇଲ୍ ମେୟର୍ସ ସେଥିରୁ ଅଳ୍କକେ ବର୍ତ୍ତିଯାଇଥିଲେ। ତାଲିମ ଶିବିରରେ ଥିବାବେଳେ ଏହି ପ୍ରଳୟଙ୍କରୀ ଝଡ଼ତୋଫାନ ମାଡି ଆସିଥିଲା। କୌଣସି ପ୍ରକାରେ ଜୀବନ ବଞ୍ଚାଇବା ପରେ ପରଦିନ ଖାଇବା ପିଇବା ପାଇଁ ବି ସଂଘର୍ଷ କରିଥିଲେ। ମେୟର୍ସଙ୍କ ଜୀବନର ଏଭଳି ଅନେକ ରୋମାଞ୍ଚଭରା କାହାଣୀ ବି ରହିଛି। ୨୦୧୫ ମସିହାରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ ମଧ୍ୟ ୩୨ ମ୍ୟାଚ୍‌ରୁ ୨୯ ହ‌ାରରେ ରନ୍ ସଂଗ୍ରହ କରିଥିବାରୁ ଚୟନକର୍ତାଙ୍କ ବଳୟ ବାହାରେ ରହିଥିଲେ। ୨୦୨୦ ସିପିଏଲ୍‌ କିନ୍ତୁ ତାଙ୍କ ଖେଳ ଜୀବନର ଗତିପଥ ବଦଳାଇ ଦେଇଥିଲା। ପ୍ରମୁଖ ଖେଳାଳିମାନେ ଦଳରୁ ଓହରିଯିବାରୁ ବାଂଲାଦେଶ ଗସ୍ତ ଦଳରେ ତାଙ୍କୁ ସୁଯୋଗ ମିଳିଥିଲା। ‘ଟେଷ୍ଟ୍ କ୍ରିକେଟ୍‌ ଖେଳିବା ଏକ ଚମତ୍କାର ଅନୁଭବ ଦେଇଛି। ଏହା ପରେ ଶତକ ହାସଲ କରିବା, ଏହାକୁ ଦ୍ବିଶତକରେ ପରିଣତ କରିବା ଏବଂ ମ୍ୟାଚ୍‌ ଜିତିବା ଖୁସି ଦେଇଛି। ଆମେ ନିଜ ଉପରେ ବିଶ୍ବାସ ରଖି ଖେଳିଥିଲୁ। ଭଲ ଭାବେ ଜାଣିଥିଲୁ ଏହି ଟେଷ୍ଟ୍ କାହାର ବି ହୋଇପାରେ। ଦଳର ଯୋଜନା ଉପରେ ଭରସା ରଖିଥିଲୁ ଏବଂ ଏହାକୁ କାର୍ଯ୍ୟକାରୀ କରିଥିଲୁ’ ବୋଲି ମେୟର୍ସ ପ୍ରକାଶ କରିଛନ୍ତି। ଅନଭିଜ୍ଞ ଦଳ ଏବଂ ଏସିଆରେ ଶେଷ ଦିନ ପିଚ୍‌କୁ ବିଚାରକୁ ନେଇ ଦେଖିଲେ ଏହି ସଫଳତା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଇତିହାସରେ ଉଲ୍ଲେଖନୀୟ ହୋଇ ରହିବ’ ବୋଲି ପ୍ରକାଶ କରିଥିଲେ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ଖେଳାଳି ଇଆନ୍ ‌ବିଶପ।

ପଞ୍ଚମ ସର୍ବୋଚ୍ଚ ସଫଳ ପଶ୍ଚାତ୍‌ଧାବନ
ଦ୍ବିତୀୟ ସ୍ତରର ୱେଷ୍ଟଇଣ୍ଡିଜ୍‌ ଦଳ ୩୯୫ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରିବା ଫଳରେ ଟେଷ୍ଟ୍ କ୍ରିକେଟ୍‌ ଇତିହ‌ାସରେ ଏକ ଅପ୍ରତ୍ୟାଶିତ ଝଡ଼ ସୃଷ୍ଟି ହୋଇଛି। ଏହା ହେଉଛି ପଞ୍ଚମ ଶ୍ରେଷ୍ଠ ପଶ୍ଚାତଧାବନ ବିଜୟ। ଏସିଆରେ କିନ୍ତୁ ସର୍ବୋଚ୍ଚ ଚତୁର୍ଥ ପାଳି ପଶ୍ଚାତଧାବନ ବିଜୟ। ଶେଷ ଥର ପାଇଁ ବାଂଲାଦେଶରେ ୱେଷ୍ଟଇଣ୍ଡିଜ୍‌ ୨୦୧୨ ମସିହାରେ ଜିତିଥିବା ବେଳେ ମାର୍ଲନ ସାମୁଏଲ୍ସ ୨୬୦ ରନ୍ କରିଥିଲେ। ଡାରେନ୍ ବ୍ରାଭୋ ଓ ଶିବନାରାୟଣ ଚନ୍ଦରପଲ୍‌ ମଧ୍ୟ ଶତକ ହାସଲ କରିଥିଲେ। ସେହିଭଳି ଚଟ୍ଟଗ୍ରାମରେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍ ଜିତିବା ବେଳକୁ ମେୟର୍ସ ମାତ୍ର ୧୦ ବର୍ଷର ବାଳକ ଥିଲେ। କରୋନା ଭୟରେ ଜାସନ୍ ହୋଲ୍ଡର, ସାଇ ହୋପ୍‌, ରସ୍ତନ ଚେଜ୍‌ ଏବଂ ସାମରା ବ୍ରୁକ୍ସ ବାଂଲାଦେଶ ଗସ୍ତରୁ ଓହରିଯାଇଥିବାରୁ ୱେଷ୍ଟଇଣ୍ଡିଜ୍ ଏକ ଦ୍ବିତୀୟ ସ୍ତରର ଦଳ ନେଇ ବାଂଲାଦେଶ ଆସିଥିଲା। ଦିନିକିଆ ଶୃଙ୍ଖଳାରେ ୦-୩ରେ ମୂଳପୋଛ ହେବା ପରେ ଏହି ଟେଷ୍ଟରେ ପ୍ରଥମ ୪ ଦିନ ମଧ୍ୟ ପଛରେ ପଡ଼ିଥିଲା। କିନ୍ତୁ ଗୋଟିଏ ଦିନର ଚମତ୍କାର କ୍ରିକେଟ୍ ଏହି କାରବୀୟ ଦଳକୁ ପରାକ୍ରମୀ ବିଜୟର ସୁଯୋଗ ଦେଇଥିଲା।
ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି ୪୩୦ (ମେହେଦି ହାସନ୍‌ ମିରାଜ-୧୦୩, ଜୋମେଲ ୱାରିକାନ୍‌-୪/୧୩୩, ରୋଭ୍‌ମନ ପାୱେଲ-୨/୧୧୪)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୫୯ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୭୬, ବ୍ଲାକ୍‌ଉଡ୍‌-୬୮, ମେହେଦି ହାସନ୍‌ ମିରାଜ୍‌-୪/୫୮)। ବାଂଲାଦେଶ ଦ୍ବିତୀୟ ପାଳି: ୨୨୩/୮, ଘୋଷିତ (ମୋମିନୁଲ୍ ହକ୍‌-୧୧୫, ଲିଟନ୍ ଦାସ-୬୯, ଜୋମେଲ ୱାରିକାନ୍‌-୩/୫୭, ରାଖିମ୍‌ କର୍ଣ୍ଣୱାଲ୍‌-୩/୮୧, ସାନନ୍ ଗାବ୍ରିଏଲ୍‌-୨/୩୭)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୧୨୭.୩ ଓଭରରେ ୩୯୫/୭ (କାଇଲ୍ ମେୟର୍ସ-୨୧୦*, ନକ୍ରମା ବୋନର୍-୮୬, ମେହେଦି ହାସନ୍‌ ମିରାଜ-୪/୧୧୩, ତୈଜୁଲ ଇସଲାମ୍‌-୨/୯୧, ନୟିମ୍‌ ହାସନ୍‌-୧/୧୦୫)।

ସମ୍ବନ୍ଧିତ ଖବର