ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଏମ୍‌ସିଜିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇପାରେ। ମେଲବର୍ଣ୍ଣ କ୍ରିକେଟ କ୍ଲବ୍‌ (ଏମ୍‌ସିସି) ଓ ଭିକ୍ଟୋରିଆ ସରକାର ଅଣଔପଚାରିକ ଭାବେ କ୍ରିକେଟ୍‌ ଅଷ୍ଟ୍ରେଲିଆ ସହିତ ଏବିଷୟରେ ପ୍ରସ୍ତାବ ରଖିଥିଲା ବେଳେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ଦୁଇ ଦଳଙ୍କ ମଧ୍ୟରେ ଏମ୍‌ସିଜିରେ ହୋଇଥିବା ମ୍ୟାଚ୍‌ ଅଧିକ ରୋମାଞ୍ଚକର ଓ ଦର୍ଶକ ଆଦୃତ ହୋଇଥିଲା। କିନ୍ତୁ ଦୁଇ ଦଳଙ୍କ ମଧ୍ୟରେ ୨୦୦୭ ମସିହା ପରଠୁ ଦ୍ବିପାକ୍ଷିକ ଟେଷ୍ଟ ଶୃଙ୍ଖଳା ଖେଳାଯାଇନାହିଁ। ଏପରିକି ଏସିଆ କପ୍‌ ଓ ବିଶ୍ବକପ୍‌କୁ ଛାଡ଼ିଦେଲେ ଦୁଇ ଦେଶ ବିଦେଶରେ ପରସ୍ପର ସହିତ ଦ୍ବିପାକ୍ଷିକ ମ୍ୟାଚ୍‌ ମଧ୍ୟ ଖେଳିନାହାନ୍ତି।

Advertisment

ଏମ୍‌ସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟୁଆର୍ଟ ଫକ୍ସ କହିଛନ୍ତି, ଯେପରି ବିଶ୍ବକପ୍‌ ମ୍ୟାଚ୍‌ ବେଳେ ଶେଷ ବଲ୍‌ ପର୍ଯ୍ୟନ୍ତ ରୋମାଞ୍ଚ ରହିଥିଲା ଏବଂ ଏହି ମ୍ୟାଚ୍‌ ପାଇଁ ହାଉସ ଫୁଲ୍‌ ହେଉଥିଲା, ଏଭଳି ମାହୋଲ୍‌କୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ଦୁଇ ଦେଶଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ଉଚିତ୍‌ ହେବ। ଆବଶ୍ୟକ ହେଲେ ଲଗାତାର ଭାବେ ତିନିଟି ଟେଷ୍ଟ ମ୍ୟାଚ୍‌ ଏଠାରେ ଖେଳାଯାଇପାରେ। ତେବେ‌ ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆର ମଞ୍ଜୁରି ଆବଶ୍ୟକ ହେଉଛି। କାରଣ ଏମ୍‌ସିଜିରେ କେବଳ ଅଷ୍ଟ୍ରେଲିଆ କେନ୍ଦ୍ରିତ କିମ୍ବା ଭିକ୍ଟୋରିଆ କେନ୍ଦ୍ରିତ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରାଗଲେ ଦର୍ଶକଙ୍କ ସଂଖ୍ୟା ବଢିବନି। ସବୁ ଦଳମାନଙ୍କ ପାଇଁ ଆମକୁ ମାହୋଲ ବନାଇବା ଉଚିତ୍‌ ହେବ। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ ଏହାକୁ ଗୁରୁତ୍ବ ଦେଇ ଆଇସିସି ସହିତ ଏସଂପର୍କରେ ଆଲୋଚନା କରିବ ବୋଲି ଫକ୍ସ ଆଶା ରଖିଛନ୍ତି। ତେବେ ଏହି ଟେଷ୍ଟ ପାଇଁ ପ୍ରଥମେ ବିସିସିଆଇ ଓ ପିସିବି ରାଜି ହେବା ଆବଶ୍ୟକ। ଏକ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବା ପାଇଁ ଦୁଇ ‌ ବୋର୍ଡ ଆଗ୍ରହ ଦେଖାଇଲେ ଅଷ୍ଟ୍ରେଲିଆ ତାହାକୁ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି।