ଭୁବନେଶ୍ବର: କୋଲ୍ ଇଣ୍ଡିଆର ୫୦ ବର୍ଷ ପୂର୍ତ୍ତି ଅବସରରେ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ‘କୋଲ ଇଣ୍ଡିଆ ଭୁବନେଶ୍ୱର ହାଫ୍ ମାରାଥନ’ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ୨୧ କିମି ହାଫ୍ ମାରାଥନ, ୧୦ କିମି ରନ୍, ୫ କିମି ଏବଂ ୧.୫ କିମି ଫନ୍ ରନ୍ ବର୍ଗରେ ବିଭିନ୍ନ ବୟସ ବର୍ଗର ୫ ହଜାରରୁ ଅଧିକ ମାରାଥନ ଧାବକ ଏବଂ ଉତ୍ସାହୀ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯାହାର ପୁରସ୍କାର ରାଶି ୪୫.୩୪ ଲକ୍ଷ ଟଙ୍କା ରଖାଯାଇଥିଲା। ପଶ୍ଚିମବଙ୍ଗର ଲିଲି ଦାଶ ଓ ଉତ୍ତରପ୍ରଦେଶରୁ ପ୍ରିନ୍ସ କୁମାର ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ଏହି ମାରଥନ୍ର ବିଭିନ୍ନ ବର୍ଗ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଲିମ୍ପିକ୍ସ ପଦକ ବିଜୟିନୀ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଯୋଗ ଦେଇଥିବାବେଳେ ସେ ମୁଖ୍ୟ ଆକର୍ଷଣରେ ରହିଥିଲେ।
ସାଇନା ନେହୱାଲ୍ ମୁଖ୍ୟ ଆକର୍ଷଣ
କାର୍ଯ୍ୟକ୍ରମରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ମୁଖ୍ୟ ସଚିବ ମନୋଜ ଆହୁଜା, କୋଲ ଇଣ୍ଡିଆ ଅଧ୍ୟକ୍ଷ ପି ଏମ୍ ପ୍ରସାଦ, ଏମ୍ସିଏଲ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଯୋଗ ଦେଇଥିଲେ। ଏକ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା।