ଅସୁସ୍ଥତା ମୁକ୍ତ ବିଶ୍ବକପ୍ ପାଇଁ ବିଭୂ ଆଶ୍ବସ୍ତ

ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ବକପ୍‌ରେ ଓଡ଼ିଆ ପୁଅ ବିଭୂ କଲ୍ୟାଣ ନାୟକ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ସ୍ବସ୍ଥ୍ୟ ଅଧିକାରୀ ଦାୟିତ୍ବରେ ଅଛନ୍ତି। ଏହି ସମ୍ମାନଜନକ ପଦ ପାଇବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ବିଶ୍ବକପ୍‌ରେ କୌଣସି ବଡ଼ ଧରଣର ଅସୁସ୍ଥତା ଜନିତ ସମସ୍ୟା ଉପୁଜି ନଥିବାରୁ ବିଭୂ ଏବେ ବେଶ୍ ଆଶ୍ବସ୍ତ ଅଛନ୍ତି। ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲରେ କ୍ରୀଡ଼ା ଔଷଧ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ବିଭୂ ଖେଳାଳିମାନେ ଯେମିତି ଖାଦ୍ୟ ବିଶାକ୍ତ କରଣ କିମ୍ବା ଅନ୍ୟ କୌଣସି କାରଣରୁ ଅସୁସ୍ଥ ନ ହୁଅନ୍ତି, ସେ ଦିଗରେ ସର୍ବାଧିକ ଧ୍ୟାନ ଦେଉଥିଲେ। ବିଶେଷ କରି ଖେଳାଳି ରହୁଥିବା ହୋଟେଲର ସ୍ବଚ୍ଛତା ଏବଂ କର୍ମଚାରୀଙ୍କ ମଧ୍ୟରେ ଏଥିନେଇ ସଚେନତନା ସୃଷ୍ଟିକୁ ସେ ଅଗ୍ରାଧିକାର ଦେଇଥିଲେ। ପୂର୍ବରୁ ଏକାଧିକ ଥର ଭାରତୀୟ ହକି ଦଳ ସହ କାମ କରି ସାରିଥିବା ବିଭୂ ଏସୀୟ ହକି ମହାସଂଘ ସ୍ବସ୍ଥ୍ୟ ସମିତିର ଅଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ଅଛନ୍ତି। ସେହିଭଳି ଖେଳାଳି ଯେମିତି ଆଘାତ ପ୍ରାପ୍ତ ନହୁଅନ୍ତି , ତାହା ମଧ୍ୟ ବିଭୂଙ୍କ କାର୍ଯ୍ୟ ପରିସର ଅନ୍ତର୍ଭୂକ୍ତ ଥିଲା। ଏଥିନେଇ ବିଭୂ କହିଛନ୍ତି, ଆମକୁ ସବୁ ଖେଳାଳିଙ୍କ ସ୍ବାସ୍ଥ୍ୟ ଇତିହାସ ଜଣା ନଥିଲା। ତଥାପି ଯଦି କୌଣସି ଖେଳାଳି ସହ କିଛି ଅଘଟଣ ଘଟେ, ତାହାଲେ ଆମେ ତାଙ୍କୁ ଶ୍ରେଷ୍ଠ ସମାଧାନ ପ୍ରଦାନ କରିବୁ। ଆର୍ଜେଣ୍ଟିନା ଏବଂ ପାକିସ୍ତାନ ଖେଳାଳି ଯେତେବେଳେ ଆହତ ହେଲେ ଆମେ ତୁରନ୍ତ ବଦଳ ଖେଳାଳି ନେବା ପ୍ରକ୍ରିୟା ଶେଷ କରିଥିଲୁ। ତଥ୍ୟଗତ ପ୍ରମାଣ ଦେଖି ଆମକୁ ସବୁବେଳେ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଭୁବନେଶ୍ବରର ମୂଳବାସିନ୍ଦା ବିଭୂ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଲତାନ ଆଜଲାନ ସାହା ହକି, ଏସୀୟ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ଦଳର ଡାକ୍ତର ଥିଲେ।

ସମ୍ବନ୍ଧିତ ଖବର