ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦେବା ବେ‌ଳେ ମାନସିକ ସ୍ବାସ୍ଥ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। କିନ୍ତୁ ଏହାର ସୁଫଳ ତୃଣମୂଳସ୍ତରକୁ ଯିବାର ଆବଶ୍ୟକତା ରହିଥିବା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରା କହିଛନ୍ତି। ବିନ୍ଦ୍ରାଙ୍କ ମତରେ, ମାନସିକ ସ୍ବାସ୍ଥ୍ୟ ସିଧାସଳଖ କ୍ରୀଡ଼ାବିତ୍‌ଙ୍କ ଶାରୀରିକ ସୁସ୍ଥତା ସହିତ ଜଡ଼ିତ। ଏଥିପାଇଁ କ୍ରୀଡ଼ା ପ୍ରଶାସକମାନଙ୍କର ଦାୟିତ୍ବ ମଧ୍ୟ ରହିଛି। ଆମେ ଏଭଳି ଏକ କ୍ରୀଡ଼ା ପରିସଂସ୍ଥା ଭିତରେ ରହିଛୁ, ଯେଉଁଠାରେ ନିରନ୍ତର ପ୍ରଗତି ହେଉଛି। ଏହା ଧୀରେ ଧୀରେ ପରିପକ୍ବ ହେଉଥିବା ଏକ ଭର୍ଚୁଆଲ୍‌ ଆଲୋଚନାରେ ସେ କହିଛନ୍ତି।

Advertisment

ବ୍ୟକ୍ତିଗତ ଜୀବନରେ ଧ୍ୟାନର ପ୍ରଭାବ ବିଷୟରେ ବିନ୍ଦ୍ରା କହିଛନ୍ତି, ୨୦୦୮ରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ପରେ ଯେତେବେଳେ ସୁଟିଂ ଛାଡ଼ିବାକୁ ଚାହିଥିଲି, ସେତେବେଳେ ଧ୍ୟାନ ତାଙ୍କୁ ଆଗକୁ ବଢ଼ିବାରେ ସହାୟତା କରିଥିଲା। ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ପରେ ଶାରୀରିକ, ମାନସିକ ଓ ଭାବପ୍ରବଣ ଭାବରେ ସେ ସଂପୂର୍ଣ୍ଣ ରୂପେ ଦୁର୍ବଳ ହୋଇଯାଇଥିଲେ। ତେଣୁ କିଛି ଦିନ ବିଶ୍ରାମ ନେବା ପରେ ନିଜକୁ ପ୍ରସ୍ତୁତ କରିବାକୁ ଚାହିଥିଲି। ହେଲେ ତାହା ସହଜ ନଥିଲା। ତେଣୁ ବିପାସନା ଧ୍ୟାନ ପାଠ୍ୟକ୍ରମ କରିବାକୁ ସ୍ଥିର କରିଥିଲି। ଦିନକୁ ୮ରୁ ୯ଘଣ୍ଟା ଧରି ୧୦ ଦିନ ପର୍ଯ୍ୟନ୍ତ ଧ୍ୟାନ କରିବା ପରେ ମୁଁ ପୁଣି ଥରେ ଖେଳକୁ ପ୍ରତ୍ୟାବର୍ତ୍ତନ କରିଥିଲି ଏବଂ ଏବେ ଏହି ଖେଳ ପ୍ରତି ଭଲପାଇବା ବଢ଼ିଯାଇଥିବା ସେ କହିଛନ୍ତି।