ନ୍ୟୁୟର୍କ: ତୃତୀୟ ସିଡ୍ ତଥା ରୁଷିଆର ଡାନିଏଲ୍ ମେଦଭେଦେଭ ଓ ୧ ନମ୍ବର ମାନ୍ୟତାପ୍ରାପ୍ତ କାର୍ଲୋସ ଆଲକାରାଜଙ୍କ ମଧ୍ୟରେ ୟୁଏସ୍ ଓପନ୍ ପୁରୁଷ ଏକକର ସେମିଫାଇନାଲ୍ ଖେଳାଯିବ। କ୍ବାର୍ଟରଫାଇନାଲ୍ରେ ମେଦଭେଦେଭ ନିଜ ଦେଶର ଆନ୍ଦ୍ରେ ରୁବଲେଭ୍ଙ୍କୁ ହରାଇଛନ୍ତି। ପ୍ରବଳ ଗରମ ଓ ଉତ୍ତାପ ବାତାବରଣ ମଧ୍ୟରେ ମେଦଭେଦେଭ୍ ଏହି ମ୍ୟାଚ୍କୁ ୬-୪, ୬-୩, ୬-୪ରେ ଜିତିଥିଲେ। ତଥାପି ଏହି ବିଜୟ ପରେ ମେଦଭେଦେଭ ଆଦୌ ଖୁସି ଜଣାପଡୁନଥିଲେ। ୨୦୨୧ର ବିଜେତା ଏହି ମ୍ୟାଚ୍ ଜିତିବା ପରେ ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼ିଥିଲା ବେଳେ କ୍ୟାମେରା ଆଗରେ କହିଥିଲେ ‘ତୁମେ ବିଶ୍ବାସ କରିବନି, ଜଣେ ଖେଳାଳି ମରିବାକୁ ଯାଉଛି ଓ ଏହାପରେ ଯାଇ ସେମାନେ ଏହାକୁ ହୃଦ୍ବୋଧ କରିବେ।
ଏହି ପରିସ୍ଥିତିରେ ଆମେ ଦୁହେଁ ଅସୁବିଧାର ସମ୍ମୁଖୀନ ହୋଇଛୁ। ଏପରିକି ପ୍ରଥମ ସେଟ୍ ପରେ ମୋତେ ବଲ୍ ମଧ୍ୟ ଦେଖାଯାଇନଥିଲା। ତଥାପି ବଲ୍କୁ ମାରିବାକୁ ଚେଷ୍ଟା କରିଥିଲି ଓ ଦୌଡୁଥିଲି।’ ଅନ୍ୟ ଏକ କ୍ବାର୍ଟରଫାଇନାଲ୍ରେ ଆଲ୍କାରାଜ ୬-୩, ୬-୨, ୬-୪ରେ ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ୯ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍ରେ ବେନ୍ ସେଲ୍ଟନ୍ଙ୍କ ମୁକାବିଲା ନୋଭାକ ଜୋକୋଭିକ୍ଙ୍କ ସହ ହେବାକୁ ଥିବା ବେଳେ ଆଲ୍କାରାଜ ଓ ମେଦଭେଦେଭଙ୍କ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ।
ମହିଳା ଏକକରେ ଚେକ୍ ରିପବ୍ଲିକ୍ର ମାର୍କେଟା ଭନ୍ଦ୍ରୌସୋଭାଙ୍କ ଅଭିଯାନ ଶେଷ ହୋଇଛି। ଗୁରୁବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ ଆମେରିକାର ମାଡିସନ୍ କିଜ୍ ୬-୧, ୬-୪ରେ ମାର୍କେଟାଙ୍କୁ ପରାସ୍ତ କରିଥିଲେ। ଶୁକ୍ରବାର ହେବାକୁ ଥିବା ସେମିଫାଇନାଲ୍ରେ କିଜ୍ଙ୍କ ମୁକାବିଲା ଆରିନା ସାବାଲେଙ୍କାଙ୍କ ସହିତ ହେବ। ଏଥିପୂର୍ବରୁ କୋକୋ ଗଫ୍ ଓ କାରୋଲିନା ମୁଚୋଭାଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ।