ନ୍ୟୁୟର୍କ: ରୁଷିଆର ଡାନିଏଲ୍ ମେଦଭେଦେଭ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ ଦିଗରେ ଅଭିଯାନ ଜାରି ରଖିଛନ୍ତି। ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ବୁଧବାର ଖେଳାଯାଇଥିବା ପୁରୁଷ ଏକକ କ୍ବାର୍ଟର୍ ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ମେଦଭେଦେଭ ୭-୬, ୬-୩, ୭-୬ ସେଟ୍ରେ ନିଜ ପିଲା ଦିନର ସାଙ୍ଗ ତଥା ଦଶମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭଙ୍କୁ ହରାଇ ଦେଇଛନ୍ତି। ଏହି ମ୍ୟାଚ୍ରେ ରୁବଲେଭଙ୍କୁ ସେ କୌଣସି ବ୍ରେକ୍ ପଏଣ୍ଟ୍ ସୁଯୋଗ ଦେଇନଥିଲେ। ୨୦୦୭ ପରେ ଦୁଇଜଣ ରୁଷିଆ ଖେଳାଳି ଏକାଠି କୌଣସି ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍ ଫାଇନାଲ୍ରେ ଖେଳିବା ଏହା ପ୍ରଥମ ଘଟଣା ହୋଇଥିଲା। ୨୦୦୭ ଫ୍ରେଞ୍ଚ ଓପନ୍ରେ ଶେଷ ଥର ପାଇଁ ଦୁଇ ରୁଷୀୟ ତାରକା ଇଗୋର ଆନ୍ଦ୍ରେଭ ଓ ନିକୋଲେ ଡାଭିଡେଙ୍କୋ ଖେଳିଥିଲେ। ରୋଜର ଫେଡେରର୍ ଓ ରାଫେଲ୍ ନାଦାଲ ୟୁଏସ୍ ଓପନ୍ରୁ ଓହରି ଯାଇଥିଲା ବେଳେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଅଯୋଗ୍ୟ ଘୋଷିତ ହେବାରୁ ମେଦଭେଦେଭଙ୍କ ଟ୍ରଫି ଜିତିବା ସମ୍ଭାବନା ଅଧିକ ରହିଛି। ଗତ ବର୍ଷ ଫାଇନାଲ୍ରେ ନାଦାଲ୍ଙ୍କଠୁ ହାରି ଟ୍ରଫି ଜିତିବାରୁ ବଞ୍ଚିତ ହୋଇଥିବା ମେଦଭେଦେଭ ସେମିଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡୋମିନିକ ଥିମ୍ଙ୍କୁ ଭେଟିବେ। ଅଷ୍ଟ୍ରିଆ ଟେନିସ ତାରକା ଥିମ୍ ସିଧାସଳଖ ୬-୧, ୬-୨, ୬-୪ ସେଟ୍ରେ ଅଷ୍ଟ୍ରେଲିଆର ଆଲେକ୍ସ ଡି'ମିନୌରଙ୍କୁ ପରାସ୍ତ କରି ପ୍ରଥମ ଥର ୟୁଏସ୍ ଓପନ୍ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ଥିମ୍ ୨ ଘଣ୍ଟା ସମୟ ନେଇଥିଲେ।
ପିରୋଙ୍କୋଭାଙ୍କୁ ବିଦା କଲେ ସେରେନା; ସେମିରେ ଅଜାରେଙ୍କାଙ୍କୁ ଭେଟିବେ
ଅଣମାନ୍ୟତାପ୍ରାପ୍ତ ବୁଲଗେରିଆର ସ୍ବିତା ପିରୋଙ୍କୋଭାଙ୍କୁ ହରାଇ ୨୩ ଗ୍ରାଣ୍ଡସ୍ଲାମ୍ ବିଜୟିନୀ ଆମେରିକାର ସେରେନା ୱିଲିୟମ୍ସ ଚଳିତ ୟୁଏସ୍ ଓପନ୍ ମହିଳା ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର କ୍ବାର୍ଟର୍ ଫାଇନାଲ୍ରେ ଏହି ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ୪-୬, ୬-୩, ୬-୨ ସେଟ୍ରେ ପିରୋଙ୍କୋଭାଙ୍କୁ ମାତ୍ ଦେଇଛନ୍ତି। ନ୍ୟୁୟର୍କରେ ୬ ଥର ଟ୍ରଫି ଜିତିଥିବା ସେରେନା ପିରୋଙ୍କୋଭାଙ୍କଠୁ ପ୍ରଥମ ସେଟ୍ ହାରିଯାଇଥିଲେ। ହେଲେ ପରବର୍ତୀ ଦୁଇ ସେଟ୍କୁ ସହଜରେ ଜିତି ସର୍ବାଧିକ ୨୪ତମ ଏକକ ଗ୍ରାଣ୍ଡ ସ୍ଲାମ ସ୍ବପ୍ନ ପୂରଣ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଥିଲେ। ସେରେନା ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ସର୍ବାଧିକ ୨୩ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାରେ ମାର୍ଗାରେଟ କୋର୍ଟଙ୍କ ସମକକ୍ଷ ହୋଇଥିଲେ। ୩୮ ବର୍ଷୀୟା ସେରେନା ସେମିଫାଇାଲ୍ରେ ପୂର୍ବରୁ ଦୁଇ ଥର (୨୦୧୨, ୨୦୧୩) ୟୁଏସ୍ ଓପନ୍ ଫାଇନାଲ୍ରେ ହରାଇଥିବା ପୂର୍ବତନ ଶୀର୍ଷ ମାନ୍ୟତା ପ୍ରାପ୍ତ ବେଲାରୁଷର ଭିକ୍ଟୋରିଆ ଅଜାରେଙ୍କାଙ୍କୁ ଭେଟିବେ।
ଅଜାରେଙ୍କା ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ସିଧାସଳଖ ୬-୧, ୬-୦ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ବେଲ୍ଜିୟମର ଏଲିସ ମର୍ତେନ୍ସଙ୍କୁ ପରାସ୍ତ କରିଥିଲେ। ଗତ ମାସରେ ୱେଷ୍ଟର୍ନ ଓ ସଦର୍ନ ଓପନ୍ ଜିତି ୩୧ ବର୍ଷୀୟା ଅଜାରେଙ୍କା ୪ ବର୍ଷ ଧରି ଟ୍ରଫି ମରୁଡ଼ିର ଅବସାନ ଘଟାଇଥିଲେ। ଏହି ଦୁଇ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ୨୦୧୩ ପରେ ପ୍ରଥମ ଥର କୌଣସି ବଡ଼ ପ୍ରତିଯୋଗିତାର ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।