ସିସିପାସ୍‌ଙ୍କୁ ହରାଇ ଫାଇନାଲ୍‌ରେ ମେଦଭେଦେବ

ମହିଳା ଫାଇନାଲ୍‌ରେ ଆଜି ଓସାକା-ବ୍ରାଡ଼ି ଲଢ଼େଇ

ମେଲ୍‌ବର୍ଣ୍ଣ : ରୁଷିଆର ଡାନିଲ ମେଦଭେଦେବ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ମେଦଭେଦେବ ୬-୪, ୬-୨, ୭-୫ ସିଧାସଳଖ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଗ୍ରିକ୍‌ର ଷ୍ଟିଫାନସ ସିସିପାସଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତି ମେଦଭେଦେବ ବିଜୟ ଧାରାକୁ ୨୦ରେ ପହଞ୍ଚାଇଛନ୍ତି। ରବିବାର ଫାଇନାଲ୍‌ରେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ତାରକା ନୋଭାକ ଜୋକୋଭିକଙ୍କୁ ଭେଟିବେ। ବିଜେତା ଜୋକୋଭିକ ୧୭ ଗ୍ରାଣ୍ଡ୍ ସ୍ଲାମ୍‌ ଏକକ ଟ୍ରଫି ଜିତିଥିଲା ବେ‌ଳେ ଏଠାରେ ୮ ଥର ମୁକୁଟ କରାୟତ୍ତ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲ୍‌ରେ ୨୩ ବର୍ଷୀୟା ଜାପାନର ନାଓମି ଓସାକା ଏବଂ ୨୫ ବର୍ଷୀୟା ଆମେରିକାର ଜେନିଫର ବ୍ର‌ାଡି ମୁହାଁମୁହିଁ ହେବେ। ତୃତୀୟ ମାନ୍ୟତାପ୍ରାପ୍ତ ଓସାକା ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ହେବା ସହ ଏଠାରେ ୨୦୧୯ରେ ଟ୍ରଫି କରାୟତ୍ତ କରିଥିଲେ। ଅନ୍ୟପକ୍ଷରେ ବ୍ରାଡିଙ୍କ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌।

ମର୍ତେନ୍ସ-ସାବାଲେଙ୍କା ଜିତିଲେ ମହିଳା ଯୁଗଳ ଟ୍ରଫି
ଦ୍ବିତୀୟ ମାନ୍ୟତାପ୍ରାପ୍ତ ଯୋଡ଼ି ଏଲିସ ମର୍ତେନ୍ସ ଓ ଆରିନା ସାବାଲେଙ୍କା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଏହି ବେଲ୍‌ଜିୟମ-ବେଲାରୁଷ ଯୋଡ଼ି ସିଧାସଳଖ ୬-୨, ୬-୩ ସେଟ୍‌ରେ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ଓ କାଟେରିନା ସିନିଆକୋଭାଙ୍କୁ ମାତ୍‌ ଦେଇଥିଲେ। ମର୍ତେନ୍ସ ଓ ସାବାଲେଙ୍କାଙ୍କର ଏହା ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଏବଂ ମୋଟ ଉପରେ ପଞ୍ଚମ। ପୂର୍ବରୁ ଏହି ଯୋଡ଼ି ୨୦୧୯ ୟୁଏସ୍‌ ଓପନ୍‌ ଜିତିଥିଲେ। ସାବାଲେଙ୍କା ଏକକ ଉପରେ ଧ୍ୟାନ ଦେବାକୁ ସ୍ଥିର କରିଥିବାରୁ ଏହି ଯୋଡ଼ିଙ୍କୁ ୨୦୨୧ରେ ହେବାକୁଥିବା ଅବଶି‌ଷ୍ଟ ଗ୍ରାଣ୍ଡ ସ୍ଲାମ୍‌ରେ ଏକାଠି ଦେଖିବାକୁ ମିଳିବନି। ଚଳିତ ବର୍ଷ ଏକକ ବର୍ଗରେ ଉଭୟ ଚତୁର୍ଥ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ପ୍ରଥମ ଡବ୍ଲ୍ୟୁଟିଏ ମୁକୁଟ ଜିତିଲେ ଅଙ୍କିତା
ମେଲ୍‌ବର୍ଣ୍ଣ : ଭାରତର ଅଙ୍କିତା ରାଇନା ଶୁକ୍ରବାର ନିଜର ପ୍ରଥମ ଡବ୍ଲ୍ୟୁଟିଏ ମୁକୁଟ କରାୟତ୍ତ କରିଛନ୍ତି। ସେ ରୁଷୀୟ ସାଥୀ କାମିଲା ରାଖିମୋଭାଙ୍କ ସହ ମିଶି ମେଲ୍‌ବର୍ଣ୍ଣରେ ଆୟୋଜିତ ଫିଲିପ ଆଇସଲାଣ୍ଡ ଟ୍ରଫି ଜିତିଛନ୍ତି। ମହିଳା ଯୁଗଳ ଫାଇନାଲ୍‌ରେ ଏହି ଭାରତ-ରୁଷିଆ ଯୋଡ଼ି ୨-୬, ୬-୪, ୧୦-୭ ସେଟ୍‌ରେ ରୁଷିଆର ଆନ୍ନା ବ୍ଲିଙ୍କୋଭା ଓ ଆନାସ୍ତେସିଆ ପୋଟାପୋଭ‌ାଙ୍କୁ ମାତ୍‌ ଦେଇଥିଲେ। ଏହି ଟ୍ରଫି ଜିତିବା ପରେ ଅଙ୍କିତା ଡବ୍ଲ୍ୟୁଟିଏ ଯୁଗଳ ମାନ୍ୟତାରେ ଶୀର୍ଷ ୧୦୦ରେ ପ୍ରବେଶ କରିଛନ୍ତି। ଶୀର୍ଷ ୧୦୦ରେ ପହଞ୍ଚିବାରେ ସେ ସାନିଆଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ହୋଇଛନ୍ତି। ଅଙ୍କିତା ପୂର୍ବରୁ ଆଇଟିଏଫ୍‌ ଯୁଗଳ ଟ୍ରଫି ଏବଂ ‌ଡବ୍ଲ୍ୟୁଟିଏ ୧୨୫କେ ସିରିଜ ମୁକୁଟ ଜିତିଥିଲେ।

ସମ୍ବନ୍ଧିତ ଖବର