ମୃତ ବିଜେପି କର୍ମୀଙ୍କ ପରିବାରକୁ ଭେଟିବା ମହଙ୍ଗା ପଡ଼ିଲା: ମାସେ ପାଇଁ ଯୋଗେନ୍ଦ୍ରଙ୍କୁ ନିଲମ୍ବନ କଲେ ଚାଷୀ ସଂଗଠନ

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାରେ ପ୍ରାଣ ହରାଇଥିବା ବିଜେପି କର୍ମୀ ଶୁଭମ ମିଶ୍ରାଙ୍କ ପରିବାରକୁ ଭେଟିବା ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ପାଇଁ ମହଙ୍ଗା ପଡ଼ିଛି। ୪୬ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚ ତାଙ୍କୁ ମାସକ ପାଇଁ ନିଲମ୍ବନ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଥିବା ଯାଦବ ସଂଘର କୌଣସି ବୈଠକରେ ଯୋଗଦେଇ ପାରିବେ ନାହିଁ କିମ୍ବା ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ଭାରତୀୟ କିଷାନ ସଂଘ ନେତା ମନଜିତ ସିଂହ ରାୟଙ୍କ କହିବାନୁଯାୟୀ, ଏହି ନିଷ୍ପତ୍ତିକୁ ୩୨ଟି କୃଷକ ସଂଘ ସମର୍ଥନ କରିଛନ୍ତି। ସେମାନେ ଯାଦବଙ୍କ ଠାରୁ ସାଧାରଣରେ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

ଗତ ସପ୍ତାହରେ ଯାଦବ ଆନ୍ଦୋଳନରେ ମୃତ୍ୟୁ ହୋଇଥିବା ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେ ଭେଟିବାକୁ ଯାଇଥିବା ନେଇ ଦୁଃଖିତ ନୁହନ୍ତି। କିନ୍ତୁ କୃଷକ ସଂଗଠନ ସହିତ ପୂର୍ବରୁ ଏ ନେଇ ଆଲୋଚନା କରି ନଥିବାରୁ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ବିକେୟୁ ନେତା ରାକେଶ ଟିକାୟତ ଏହି ପ୍ରସଙ୍ଗରେ କହିଛନ୍ତି, କମିଟିରେ ଥିବା ୪୦ ଜଣ ନେତା ସର୍ବସମ୍ମତିକ୍ରମେ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯୋଗେନ୍ଦ୍ର ଯାଦବ ମିଶ୍ରାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଫେରିବା ପରେ ଏକ ଟ୍ବିଟ୍ କରିଥିଲେ। ଏହି ଟ୍ବିଟ୍ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନାଯୋଗ୍ୟ ଲଖିମପୁର ହିଂସାରେ ୩ ଜଣ ବିଜେପି କର୍ମୀଙ୍କୁ ଆନ୍ଦୋଳନକାରୀମାନେ ପିଟିପିଟି ମାରିଦେଇଥିବା ଏତଲା ହୋଇଛି ଏବଂ ପୁଲିସ ଏହାର ତଦନ୍ତ କରୁଛି। ତେବେ ଚାଷୀଙ୍କ ଦ୍ବାରା ହିଂସାକୁ କେବଳ ଏକ ପ୍ରତିକ୍ରିୟା ବୋଲି ରାକେଶ ଟିକାୟତ ପୂର୍ବରୁ କହିଛନ୍ତି।

ସମ୍ବନ୍ଧିତ ଖବର