ଗୋଟିଏ ପାଳିରେ ୧୦ ୱିକେଟ୍‌, କୁମ୍ବଲେଙ୍କ କ୍ଲବ୍‌ରେ ନିର୍ଦେଶ

କୋଲକାତା : ମିରଟ୍ ଅଫ୍ ସ୍ପିନର୍ ନିର୍ଦେଶ ବୈଶୋୟା ବୁଧବାର ନାଗାଲାଣ୍ଡ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ଵିକେଟ୍ ନେବାର ସଫଳତା ପାଇଛନ୍ତି। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ମେଘାଳୟ ତରଫରୁ ଖେଳି ସେ ଏହି କୀର୍ତ୍ତିମାନ କରିଛନ୍ତି। ନିର୍ଦେଶ ଏହି ମ୍ୟାଚ୍‌ରେ ୨୧ ଓଭର ବୋଲିଂ କରି ୫୧ ରନ୍ ବିନିମୟରେ ପ୍ରତିପକ୍ଷ ଦଳର ୧୦ଟି ଯାକ ଵିକେଟ୍ କରାୟତ କରିଥିଲେ। ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ୧୫ ବର୍ଷୀୟ ନିର୍ଦେଶଙ୍କର ଏହା ଦ୍ବିତୀୟ ଋତୁ। ଗତ ବର୍ଷ ଖେଳିଥିବା ୬ ମ୍ୟାଚ୍‌ରୁ ସେ ୩୩ ଵିକେଟ୍‌ ନେଇଥିଲେ। ଚଳିତ ବର୍ଷର ପ୍ରଥମ ଚାରିଟି ମ୍ୟାଚ୍‌ରୁ ଏହି କିଶୋର କ୍ରିକେଟ୍ ତାରକା ୨୭ ଵିକେଟ୍ ଅକ୍ତିଆର କରିସାରିଲେଣି।

ନିର୍ଦେଶ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କର ଜଣେ ବଡ଼ ପ୍ରଶଂସକ। ‌ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆ ସ୍ପିନର ନାଥନ୍ ଲାୟନଙ୍କୁ ସେ ନିଜ ଆଦର୍ଶ କରିଛନ୍ତି। ମିଜୋରାମ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ନିର୍ଦେଶଙ୍କ ୯ ଵିକେଟ୍‌ ସଫଳତା ବଳରେ ମେଘାଳୟ ଗୋଟିଏ ପାଳି ଓ ୨୨ ରନ୍‌ରେ ବିଜୟୀ ହୋଇଥିଲା। ତାଙ୍କ ପୂର୍ବରୁ ମଣିପୁରୀ ଦ୍ରୁତ ବୋଲର ରେକ୍ସ ସିଂହ ୨୦୧୦-୧୧ କୁଚ୍ ବେହାର ଟ୍ରଫିରେ ଗୋଟିଏ ପାଳିରେ ୧୦ ଵିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ପୁଦୁଚେରିର ବାମହାତୀ ସ୍ପିନର ସିଦକ ସିଂହ ମଣିପୁର ବିପକ୍ଷରେ ସି କେ ନାୟୁ଼ଡ଼ୁ ଟ୍ରଫିରେ ୧୦ ଵିକେଟ୍ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଏବଂ ଇଂଲଣ୍ଡ ସ୍ପିନର ଜିମ୍ ଲେକର ଅନ୍ତର୍ଜାତୀୟ କ୍ରିକେଟ୍‌ର ଗୋଟିଏ ପାଳିରେ ୧୦ ୱିକେଟ୍ ନେବାର କୀର୍ତ୍ତିମାନ କରିଛନ୍ତି।

ସମ୍ବନ୍ଧିତ ଖବର