ଭୁବନେଶ୍ବର (ସୁରେଶ ସ୍ବାଇଁ): ରାଜ୍ୟ ଟେନିସ୍ ଏତେ ଉଚ୍ଚ ସ୍ତରକୁ ଯାଇପାରିନି ସତ, କିନ୍ତୁ ନିକଟ ଅତୀତରେ କିଛି ଉଦୀୟମାନ ପ୍ରତିଭାଙ୍କ ପ୍ରଶଂସନୀୟ ପ୍ରଦର୍ଶନ ଆଶାର ଆଲୋକ ଦେଖାଇଛି। ସେମାନଙ୍କ ମଧ୍ୟରେ କେବଳ ଦୁଇଟି ନାମ ବାଛିବାକୁ କୁହାଗଲେ ନିଶ୍ଚିତ ଭାବେ ସୋହିନୀ ମହାନ୍ତି ଏବଂ ମେହେର ମିଶ୍ର ଆଗରେ ରହିବେ। ସୋହିନୀ ଜାତୀୟ ବୟସ ବର୍ଗ ପ୍ରତିଯୋଗିତାରେ ଉପବିଜୟିନୀ ହୋଇ ଇତିହାସ ରଚିଥିବା ବେଳେ ୧୫ ବର୍ଷ ବୟସରେ ମେହେର ଆଇଟିଏଫ୍ ପଦାର୍ପଣରେ ଯୁଗଳ ବର୍ଗ ସେମିଫାଇନାଲ୍ ଖେଳି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସୋହିନୀଙ୍କ ସମ୍ପର୍କରେ ଢେର ଚର୍ଚ୍ଚା ହୋଇଥିବା ବେଳେ ମେହେର କିନ୍ତୁ ରାଜ୍ୟ କ୍ରୀଡ଼ା ଦୁନିଆରେ ଅପରିଚିତ ରହିଛନ୍ତି। କାରଣ ସେ ଓଡ଼ିଆ ହୋଇଥିଲେ ବି ଓଡ଼ିଶା ପାଇଁ ଖେଳିନାହାନ୍ତି। ପରିବାର ସହ ନୂଆଦିଲ୍ଲୀରେ ରହୁଥିବାରୁ ମେହେରଙ୍କ ସମ୍ପର୍କରେ ପ୍ରଚାର ଓ ପ୍ରସାର କମ୍ ହୋଇଥିଲେ ମଧ୍ୟ ସଫଳତାର ଫର୍ଦ୍ଦ ବେଶ ଲମ୍ବା ରହିଛି।
ନିକଟରେ ଭିଲାଇରେ ଅନୁଷ୍ଠିତ (ମାର୍ଚ୍ଚ ୧୫ରୁ ୨୦) ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍) ପ୍ରତିଯୋଗିତାରେ ମେହେର ମିଶ୍ର ବାଳିକା ଯୁଗଳ ବର୍ଗରେ ସେମିଫାଇନାଲ୍କୁ ଉଠିବା ସବୁଠାରୁ ଉଲ୍ଲେଖନୀୟ ସଫଳତା। ଓଡ଼ିଶା ଟେନିସ୍ ଇତିହାସରେ ଆଇଟିଏଫ୍ ଖେଳାଳିଙ୍କ ସଂଖ୍ୟା ସୀମିତ ରହିଥିବା ବେଳେ ଏତେ ବାଟ ଉଠିବା ପ୍ରଥମ ଥର ନଜରକୁ ଆସିଛି। ସିମରିନ୍ ଅହମ୍ମଦଙ୍କୁ ସାଥୀ କରି ଖେଳିଥିବା ମେହେର ସେମିଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ଇଣ୍ଡୋ-ଆମେରିକୀୟ ଯୋଡ଼ି ଶୃତି ଅହଲୱତ ଓ ଋତୁଜା ଚଫଲକରଙ୍କ ନିକଟରୁ ୨-୬, ୧-୬ରେ ହାରିଯାଇଥିଲେ। ଏହି ସଫଳତା ପୂର୍ବରୁ ମେହେର ମଧ୍ୟ ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା)ର ବିଭିନ୍ନ ବର୍ଗରେ ଗତ ୩ ବର୍ଷ ହେବ ଏକାଧିକ ସଫଳତା ପାଇଛନ୍ତି। ୨୦୧୮ ଓ ୨୦୧୯ରେ ମେହେର ସିବିଏସ୍ଇ ଜାତୀୟ ପ୍ରତିଯୋଗିତାରେ ମିଶ୍ରିତ ଯୁଗଳରେ ଫାଇନାଲିଷ୍ଟ ହୋଇ ମଧ୍ୟ ଆତ୍ମବିଶ୍ବାସ ବଢ଼ାଇଥିଲେ। ଖେଳ ଜୀବନର ଆଦ୍ୟ ଭାଗରୁ ମେହେର ମଧ୍ୟ ନିଜ ମହକର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଭବିଷ୍ୟତରେ ଭାରତ ଓ ଓଡ଼ିଶା ପାଇଁ ଅଧିକ ସଫଳତା ଅର୍ଜନ ଲକ୍ଷ୍ୟରେ ଥିବା ମେହେର ରାଜ୍ୟଗୋଷ୍ଠୀ ଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାର ଲମ୍ବା ଅଭିଳାଷ ମଧ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କ ସମର୍ପିତ ପିତାମାତା ଦେବବ୍ରତ ମିଶ୍ର ଓ ମିନାକ୍ଷୀ ମିଶ୍ର ମଧ୍ୟ ଯୋଜନା କରିଛନ୍ତି।
ଅଲ୍ରାଉଣ୍ଡର୍
ଲନ୍ ଟେନିସ୍ ଉପରେ ଏକଗ୍ର ହେବା ପୂର୍ବରୁ ମେହେର ଏକାଧିକ ଖେଳରେ ନିଜ ସଫଳତାର ସ୍ପର୍ଶ ରଖିଥିଲେ। ସ୍କୁଲ ଜୀବନରେ ଦୌଡ଼କୁଦ, ଫୁଟ୍ବଲ୍, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍ କେବଳ ଖେଳିନଥିଲେ ବିଦ୍ୟାଳୟ ଦଳର ଅଧିନାୟିକା ବି ହୋଇଥିଲେ। ଟେନିସ୍, ୧୦୦ ମିଟର୍, ୪୦୦ ମିଟର୍ ରିଲେ ରେସ୍, ଫୁଟ୍ବଲ୍, ବ୍ୟାଡମିଣ୍ଟନ୍ରେ ମଧ୍ୟ ତାଙ୍କୁ ଇନ୍ହାଉସ୍ ସ୍ବର୍ଣ୍ଣ ପଦକ ମିଳିଛି। ଖେଳକୁଦ ଛଡ଼ା ୪ ବର୍ଷ ପାଇଁ ଆନୁଷ୍ଠାନିକ ଭାବେ ଓଡ଼ିଶୀ ନୃତ୍ୟ ତାଲିମ ମଧ୍ୟ ନେଇଥିଲେ। ପେଣ୍ଟିଂ, କମ୍ପ୍ୟୁଟର୍ କ୍ରିଏଟିଭ୍ସ, ସ୍ଥପତି, ଡିଜେ ଆଦିରେ ବି ଏହି ଚପଳମତିଙ୍କ ଚକ୍ମା ପ୍ରତିଫଳିତ ହୋଇଛି। ଏପରିକି ଦେଶବ୍ୟାପୀ ଲକ୍ଡାଉନ୍ ସମୟରେ ଅବହେଳିତ ତଥା ବାସହୀନମାନଙ୍କ ଲାଗି ଖାଦ୍ୟ ସଂଗ୍ରହ ଓ ବଣ୍ଟନ କରିଥିଲେ। ଅନାଥ ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ କରିବାର ଦକ୍ଷତା ମେହେରଙ୍କୁ ବିବିଧ ପ୍ରତିଭାର ଅଧିକାରିଣୀ କରିଛି।
କ୍ରୀଡ଼ାବିତ୍ ପରିବାର
ମେହେରଙ୍କ କ୍ରୀଡ଼ା କ୍ୟାରିୟର୍ ଗଢ଼ିବାରେ କ୍ରୀଡ଼ାବିତ୍ ପରିବାର ସଦସ୍ୟଙ୍କ ବଡ଼ ଯୋଗଦାନ ଓ ପ୍ରଭାବ ରହିଛି। ପିତା ଦେବବ୍ରତ ବିଶ୍ବବିଦ୍ୟାଳୟ ସ୍ତରୀୟ ବାସ୍କେଟ୍ବଲ୍ ଖେଳାଳି ଥିଲେ। କିନ୍ତୁ ପିଉସୀ ପ୍ରଣତି ମିଶ୍ର ଥିଲେ ଜାତୀୟ ହାଇଜମ୍ପର୍ କାଂସ୍ୟ ପଦକ ବିଜୟିନୀ (୧୯୮୨)। ପ୍ରଣତି ମିଶ୍ର ମଧ୍ୟ ଏକାଧିକ ଥର ବିଶ୍ବବିଦ୍ୟାଳୟ ସ୍ତରରେ ବାସ୍କେଟ୍ବଲ୍ ଖେଳିଥିଲେ। ପିଉସା କୁମୁଦ କୁମାର ନାଥ ଓଡ଼ିଶା ଚେସ୍ର ଏକ ପରିଚିତ ମୁହଁ। ପ୍ରଣତି-କୁମୁଦଙ୍କ କନ୍ୟା ରିତିକା ନାଥ ବିଶ୍ବବିଦ୍ୟାଳୟ ସ୍ତରରେ ଟେନିସ୍ ଖେଳିଥିଲେ। ରିତିକାଙ୍କ ପ୍ରଭାବରେ ମେହେର ଟେନିସ୍ ଖେଳିଥିବା ବିଶ୍ବାସ କରାଯାଏ।